ଓଡ଼ିଶାଲାଇଭ ବ୍ୟୁରୋ

‌ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୩ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଜୁଲାଇ ୧୫ ତାରିଖରେ ଅନୁଷ୍ଠିତ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମଥର ପାଇଁ ଅନ୍‌ଲାଇନ୍ ବା ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

ବୁଧବାର ଅନୁଷ୍ଠିତ ହେଉଥିବା ଏଜିଏମ୍ ‌(ଆନୁଆଲ ଜେନେରାଲ ମିଟିଂ)ରେ ସର୍ବାଧିକ ସଂଖ୍ୟକ ସେୟାରହୋଲ୍‌ଡର୍ ଅଂଶଗ୍ରହଣ କରିପାରିବା ପାଇଁ କମ୍ପାନି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କମ୍ପାନି ପକ୍ଷରୁ ଏକ ସ୍ୱତନ୍ତ୍ର ଭର୍ଚୁଆଲ୍ ପ୍ଲାଟଫର୍ମ ଆରମ୍ଭ କରାଯାଇଛି ଯାହାଦ୍ୱାରା ଦେଶ ବିଦେଶର ୫୦୦ରୁ ଊର୍ଦ୍ଧ୍ୱ ସ୍ଥାନରୁ ପ୍ରାୟ ଏକ ଲକ୍ଷ ସେୟାରହୋଲ୍‌ଡର୍ ଏକସାଙ୍ଗରେ ଭାଗ ନେଇପାରିବେ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏହି ବୈଠକ ପ୍ରତିବର୍ଷ ମୁମ୍ବାଇରେ ଭବ୍ୟ ଆଡମ୍ବରରେ ଆୟୋଜିତ ହୋଇଥାଏ। ଚଳିତବର୍ଷ କରୋନା ସ୍ଥିତିରେ ଭର୍ଚୁଆଲ ବୈଠକ ହେବ। ମୁମ୍ବାଇ ବାହାରର ଅନେକ ସେୟାରହୋଲ୍‌ଡର୍ ଏଥିରେ ସିଧାସଳଖ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ଏବଂ ଏଥିରେ ହେବାକୁ ଥିବା ପ୍ରମୁଖ ଘୋଷଣାଗୁଡିକ ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ଅବଗତ ହୋଇପାରିବେ।

ଭାରତର ବିଭିନ୍ନ ସହର ସମେତ ଆମେରିକା, ଇଂଲଣ୍ଡ, କାନାଡା, ୟୁଏଇ, ଜାପାନ, ହଂକଂ, ସିଙ୍ଗାପୁର, ମାଲେସିଆ ଏବଂ ଅଷ୍ଟ୍ରେଲିଆରୁ ସେୟାରହୋଲଡରମାନେ ଚଳିତ ବର୍ଷର ଭର୍ଚୁଆଲ ମିଟିଂରେ ଯୋଗ ଦେବେ। ଏହି ବୈଠକକୁ ସଫଳ କରିବା ପାଇଁ ଭିଡିଓ କନଫରେନ୍ସି, ଜିଓ ମିଟ୍ ପ୍ଲାଟଫର୍ମ, ସିସ୍‌କେ ୱେବେକ୍ସ ଏବଂ ବାଣିଜ୍ୟିକ ୱେବ୍‌କାଷ୍ଟ୍ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ଲାଟଫର୍ମ ସମୂହର ଉପେଯାଗ କରାଯିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରହୋଲ୍‌ଡର୍ ମାନଙ୍କୁ ସୂଚନା ଦେବା ସହିତ ବିଭିନ୍ନ ତଥ୍ୟ ସମ୍ପର୍କରେ ସଚେତନ କରାଇବା ପାଇଁ କମ୍ପାନି ପକ୍ଷରୁ ହ୍ୱାଟ୍ସଆପ୍ ନମ୍ବର ୭୯୭୭୧୧୧୧୧୧ ରେ ଚାଟ୍‌ବଟ୍ ସେବା ଆରମ୍ଭ କରାଯାଇଛି।  ଏହାଦ୍ୱାରା ସେୟାରହୋଲ୍‌ଡରମାନେ ଅନ୍‌ଲାଇନ୍ ଲଗ୍‌ଇନ୍ କରିବା, ପ୍ରଶ୍ନ କରିବା ଓ ବିଭିନ୍ନ ପ୍ରସ୍ତାବ ଉପରେ ମତାମତ ଦେବା ସମ୍ପର୍କିତ ସୂଚନା ପାଇପାରିବେ। ଏହା ୨୪ ଘଣ୍ଟା କାର୍ଯ୍ୟ କରିବା ସହିତ ଜରୁରୀ ସୂଚନା ପ୍ରଦାନ କରିବ ଏବଂ ଏକା ସାଙ୍ଗରେ ଲେଖା ଓ ଭିଡିଓ ଜରିଆରେ ୫୦ ହଜାର ପ୍ରଶ୍ନର ଉତ୍ତର ଦେଇପାରିବ।CGU new

ଗତ ବର୍ଷ ଅଗଷ୍ଟ ମାସରେ ଆୟୋଜିତ ଏହି ବୈଠକରେ କମ୍ପାନି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୨୦୨୧ ମାର୍ଚ୍ଚ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ନେଟ୍ ଋଣମୁକ୍ତ କରିବା ନେଇ ଘୋଷଣା କରିଥିଲେ। ତେବେ ଗତ ମାସରେ ଜିଓ ପ୍ଲାଟଫର୍ମର ୨୫.୨୪ ପ୍ରତିଶତ ଅଂଶଧନ ବିଶ୍ୱର ଅଗ୍ରଣୀ ନିବେଶକମାନଙ୍କୁ ବିକ୍ରି କରି ୧.୧୮ ଲକ୍ଷ କୋଟି ଟଙ୍କା ଏବଂ ରାଇଟସ୍ ଇସୁ ଜରିଆରେ ଆଉ ୫୩ ହଜାର ୧୨୪ କୋଟି ଟଙ୍କା ଜୁଟାଇବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନେଟ୍ ଋଣ ମୁକ୍ତ ହୋଇଛି। ସେହିଭଳି କମ୍ପାନିର ଇନ୍ଧନ ରିଟେଲ ବ୍ୟବସାୟରେ ୪୯ ପ୍ରତିଶତ ଅଂଶଧନ ପାଇଁ ବିପି ୭ ହଜାର କୋଟି ଟଙ୍କା ପୁଂଜି ନିବେଶ କରିଛି।

୧୯୮୫ ମସିହାରେ ମୁମ୍ବାଇର କୋଲାବାସ୍ଥିତ କୋପରେଜ ଫୁଟବଲ ପଡିଆରେ ୧୨ ହଜାର ସେୟାରହୋଲଡରଙ୍କୁ ନେଇ ରିଲାଏନ୍ସର ବାର୍ଷିକ ସଧୋରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପର ବର୍ଷ ସହରର କ୍ରସ ମଇଦାନରେ ଅନୁଷ୍ଠତ ଏଜିଏମରେ ୩୫ ହଜାର ସେୟାରହୋଲଡର ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ କମ୍ପାନିର ସେୟାରହୋଲଡର ସଂଖ୍ୟା ୨୬ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ମିଟିଂ ବିଭିନ୍ନ ଅଡିଟୋରିୟମ୍‌କୁ ସ୍ଥାନାନ୍ତରିତ ହୋଇଥିଲା।

Comment