ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡୁଥିବା ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ପଦକ୍ଷେପ
  • ନବମ ଓ ଦଶମ ଶ୍ରେଣୀରେ ଏଣିକି ମିଳିବ ମଧ୍ୟାହ୍ନ ଭୋଜନ
  • ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ଛାତ୍ରବୃତ୍ତି
  • ଉଚ୍ଚଶିକ୍ଷା ପାଇଁ ୧୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ପ୍ରୋତ୍ସାହନ
  • କେନ୍ଦୁଝର ଡିଏମ୍‌ଏଫ୍‌ ତରଫରୁ ବାର୍ଷିକ ୨୨ କୋଟି ଟଙ୍କାର ବ୍ୟୟବରାଦ

ଖଣି ପ୍ରଭାବିତ ଜିଲ୍ଲା କେନ୍ଦୁଝରରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପଦକ୍ଷେପ ନେଇଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଏଣିକି ମଧ୍ୟାହ୍ନ ଭୋଜନ ମିଳିବା ସହ ମାଗଣାରେ ୟୁନିଫର୍ମ ଏବଂ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଆଶିଷ ଥାକ୍‌ରେ ସୂଚନା ଦେଇଛନ୍ତି। ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହା ଲାଗୁ କରାଯିବ।

ଏହାସହ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଡିଏମ୍‌ଏଫ୍‌ ତରଫରୁ ୧୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଇବା ଏବଂ ଦଶମ ଶ୍ରେଣୀ ପରେ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଡିଏମ୍‌ଏଫ୍‌ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଛନ୍ତି। ଏହାସହ ମାଗଣାରେ ୟୁନିଫର୍ମ ଏବଂ ପାଠ୍ୟପୁସ୍ତକ ମଧ୍ୟ ଯୋଗାଇ ଦେଉଛନ୍ତି। ହେଲେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ବ୍ୟବସ୍ଥା ନାହିଁ। ଏଣୁ କେନ୍ଦୁଝର ଜିଲ୍ଲାର ଅଧିକାଂଶ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀ ପରେ ଆଉ ପାଠ ପଢ଼ି ନଥାନ୍ତି। ସେମାନେ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରିବା ଲାଗି ଡିଏମ୍‌ଏଫ୍‌ ସହାୟତାରେ ଏହି ପଦକ୍ଷେପ ନିଆଯାଇଛି।

CGU newକେନ୍ଦୁଝର ଜିଲ୍ଲାରେ ଶତକଡ଼ା ୫୫ ଭାଗ ଲୋକ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର। ଏଣୁ ଡିଏମ୍‌ଏଫ୍‌ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଆଗାମୀ ଦିନରେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

ଜାତୀୟ ଶିକ୍ଷା ନୀତି-୨୦୧୯ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଡିଏମ୍‌ଏଫ୍‌ ତରଫରୁ ବାର୍ଷିକ ୨୨ କୋଟି ଟଙ୍କାର ବ୍ୟୟବରାଦ କରାଯିବ। ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ୫୦ ହଜାର ପିଲା ପ୍ରତିବର୍ଷ ଏଥିରେ ଉପକୃତ ହେବେ।

LEAVE A REPLY

Please enter your comment!
Please enter your name here