ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଡ଼ ଗାଁ ବ୍ଳକକୁ ମିଳିଥିବା ବସ୍।
  • ପ୍ରବାସୀ ଓ କୋଭିଡ୍‌ ରୋଗୀଙ୍କ ସେବାରେ ୨୬ଟି ବସ୍‌
  • ୧୭ଟି ବ୍ଲକକୁ ଗୋଟିଏ ଲେଖାଏଁ ବସ୍‌
  • ରାଉରକେଲା ମହାନଗର ନିଗମକୁ ୪ଟି ବସ୍‌
  • ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ୨ଟି
  • ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩ଟି ବସ୍
  • ସୁବିଧାରେ ଏବଂ ମାଗଣାରେ ପ୍ରବାସୀ ଓ କୋଭିଡ୍‌ ରୋଗୀଙ୍କୁ ମିଳିବ ବସ୍‌ ସେବା

କରୋନା ଭୂତାଣୁ ଚାରିଆଡେ କାୟା ମେଲାଉଛି। ଏହି ମହାମାରୀକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଶେଷକରି ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଏବଂ କୋଭିଡ୍ ରୋଗୀଙ୍କୁ ସେବା ଯୋଗାଇଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ଆଗରେ ରହିଛି। ୧୭ଟି ବ୍ଲକ ସମେତ ରାଉରକେଲା ମହାନଗର ନିଗମକୁ କରୋନା ମୁକାବିଲା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପକ୍ଷରୁ ସ୍ୱତନ୍ତ୍ର ବସ୍ ଯୋଗାଇ ଦିଆଯାଇଛି।

ରାଜଗାଙ୍ଗପୁର ବ୍ଲକକୁ ମିଳିଥିବା ବସ୍।

ଏହି ପ୍ରବାସୀ ଏବଂ କୋଭିଡ୍‌ ରୋଗୀଙ୍କ ସେବାରେ ଲାଗିବ। ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡରୁ ପ୍ରବାସୀମାନଙ୍କୁ ନେଇ ବିଭିନ୍ନ ପଂଚାୟତ ଏବଂ ସହରାଞ୍ଚଳରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର (ଟିଏମସି)ରେ ପହଞ୍ଚାଇବ। ଏହାସହ ଟିଏମସିରେ ଯେଉଁମାନଙ୍କର ଜ୍ୱର, କାଶ, ଛିଙ୍କ ଭଳି କିଛି ଲକ୍ଷଣ ଦେଖାଯିବ ସେମାନଙ୍କୁ କୋଭିଡ୍ କେୟାର ହୋମ୍ ଏବଂ ପଜିଟିଭ୍ ଚିହ୍ନଟ ରୋଗୀଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବ ଏହି ବସ୍। ଏଥିପାଇଁ ଜିଲ୍ଲାର ୧୭ଟି ବ୍ଲକକୁ ଗୋଟିଏ ଲେଖାଏଁ ବସ୍ ଯୋଗାଇ ଦିଆଯାଇଛି। ଏହାସହ ରାଉରକେଲା ମହାନଗର ନିଗମକୁ ୪ଟି ବସ୍, ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ୨ଟି ଏବଂ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩ଟି ବସ୍ ଯୋଗାଇ ଦିଆଯାଇଛି।

ଗୁରୁଣ୍ଡିଆ ବ୍ଲକକୁ ମିଳିଥିବା ବସ୍।

ଆଗାମୀ ଦିନରେ ଯଦି କେଉଁ ଅଞ୍ଚଳରେ ଅଧିକ ବସ୍‌ର ଆବଶ୍ୟକ ପଡ଼େ ତାହାଲେ ଯୋଗାଇ ଦିଆଯିବ ବୋଲି ଡିଏମ୍ଏଫ୍ ତରଫରୁ କୁହାଯାଇଛି। ବର୍ତ୍ତନ ସୁନ୍ଧା ଗୁରୁଣ୍ଡିଆ, ବଡ଼ଗାଁ, ବଣାଇଗଡ଼, କୋଇଡ଼ା, ରାଜଗାଙ୍ଗପୁର ଏବଂ ସବଡ଼େଗା ବ୍ଲକକୁ ଡିଏମଏଫ ତରଫରୁ ବସ୍ ପ୍ରଦାନ କରାଯାଇଛି। ଅତିଶୀଘ୍ର ଜିଲ୍ଲାର ସମସ୍ତ ବ୍ଲକରେ ଏହି ବସ୍ ପହଞ୍ଚାଇ ଦିଆଯିବ।

ଜିଲ୍ଲାରେ ଥିବା ବିଭିନ୍ନ ସ୍କୁଲପିଲାମାନଙ୍କ ପାଇଁ ଡିଏମଏଫ ତରଫରୁ ୩୬ଟି ବସ୍ ଆସିଥିଲା ଏହାର ପରିଚାଳନା ଦାୟିତ୍ୱ ଏକ ଏଜେନ୍ସିକୁ ଦିଆଯାଇଥିଲା ହେଲେ କରୋନା ମହାମାରୀ ପାଇଁ ସ୍କୁଲଗୁଡ଼ିକ ବନ୍ଦ ରହିଛି। ତେଣୁ ଏହି ବସ୍‌ଗୁଡ଼ିକୁ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ମୁକାବିଲାରେ ବ୍ୟବହାର କରାଯାଉଛି। ମୋଟ ୩୬ଟି ବସ୍‌ରୁ ୨୬ଟି କରୋନା ପରିଚାଳନାରେ ଲାଗିଛି।

କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲକଡାଉନ୍ ଘୋଷଣା କରିଥିଲେ। ଲକଡାଉନ୍ ଯୋଗୁଁ ଯାତାୟତ ବନ୍ଦ ହୋଇଯାଇଥିଲା। ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ଲୋକ ଅଟକି ରହିଥିଲେ। ଏମାନଙ୍କୁ ବିଭିନ୍ନ ସ୍ଥାନରୁ ସୁନ୍ଦରଗଡ଼ ଆଣିବା ପାଇଁ ଏହି ବସ୍‌ର ସହାୟତା ନିଆଯାଇଥିଲା। ଏବେ ବାହାର ରାଜ୍ୟରୁ ଫେରୁଥିବା ଲୋକ ଏବଂ କୋଭିଡ୍ ରୋଗୀଙ୍କ ସେବାରେ ଏହି ବସ୍ ଲାଗିଛି। ଏହି ବସ୍ ଜରିଆରେ ପ୍ରବାସୀ ଏବଂ କୋଭିଡ୍ ରୋଗୀଙ୍କୁ ମାଗଣାରେ ଓ ସୁବିଧାରେ ଯିବା ଆସିବା କରୁଛନ୍ତି।

Comment