ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ପ୍ରାୟ ୧୦୦ଟି ଦେଶକୁ ନେଇ ରିପୋର୍ଟ ପ୍ରକାଶ କଲା ୟୁନିସେଫ୍‌।

  • ସ୍କୁଲ ଶିକ୍ଷା ଉପରେ ପ୍ରଭାବ ପକାଇଲା କରୋନା ମହାମାରୀ
  • ପୂର୍ବ ଓ ଦକ୍ଷିଣ ଆମେରିକାର ଅଧିକ ପିଲା ପ୍ରଭାବିତ
  • ପ୍ରାୟ ୬୭ ନିୟୁତ ପିଲା ଶିକ୍ଷାଦାନରୁ ବଞ୍ଚିତ
  • ପ୍ରାକ୍‌-ପ୍ରାଥମିକ ପିଲାଙ୍କ ଉପରେ ବି ପ୍ରଭାବ
  • ଭାରତରେ ପାଖାପାଖି ୧୫ ଲକ୍ଷ ସ୍କୁଲ ବନ୍ଦ
  • ଭାରତରେ ୨୮.୬ କୋଟି ପିଲା ପ୍ରଭାବିତ

କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସାରା ବିଶ୍ୱରେ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯିବାରୁ ପ୍ରାୟ ୪୬୩ ନିୟୁତ ଛାତ୍ରଛାତ୍ରୀ ଶିକ୍ଷାଠାରୁ ଦୂରରେ ରହିଛନ୍ତି। ସ୍କୁଲ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନେ ଘରେ ରହି ମଧ୍ୟ ପାଠ ପଢ଼ିପାରୁନଥିଲେ ବୋଲି ୟୁନିସେଫ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।

ଏହି ଅବସରରେ ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିନେରିଟା ଫୋର କହିଛନ୍ତି ଯେ, ‘‘କୋଭିଡ୍-୧୯ ପାଇଁ ଅନେକ ପିଲାଙ୍କର ସ୍କୁଲ ଶିକ୍ଷା ବ୍ୟାହତ ହୋଇଛି। ଏହାକୁ ବିଶ୍ୱସ୍ତରରେ ଶିକ୍ଷାର ଏକ ଜରୁରୀକାଳୀନ ସମସ୍ୟା ବୋଲି କୁହାଯାଇପାରିବ। ଭବିଷ୍ୟତରେ ଏହାର ପ୍ରଭାବ ଅର୍ଥନୀତି ଓ ସମାଜ ଉପରେ ମଧ୍ୟ ଅନୁଭବ କରାଯାଇପାରେ।”

କରୋନା ରୋକିବା ପାଇଁ ବିଭିନ୍ନ ଦେଶରେ ଲକଡାଉନ୍ ଲାଗୁ ହେବାରୁ ୧୫୦ କୋଟିରୁ ଅଧିକ ସ୍କୁଲ ପିଲାଙ୍କ ଉପରେ ପ୍ରଭାବ ପଡ଼ିଥିଲା। ଏପରିକି ସେମାନେ ନିଜକୁ ଅନଲାଇନ୍ କିମ୍ବା ଡିଜିଟାଲ ମାଧ୍ୟମରେ ମଧ୍ୟ ଯୋଡ଼ି ପାରିନଥିଲେ। ଫଳରେ ସେମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ୟୁନିସେଫ୍ ପକ୍ଷରୁ ବିଶ୍ୱର ୧୦୦ଟି ଦେଶକୁ ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ସେଥିରୁ ଏହି ତଥ୍ୟ ଜଣାପଡ଼ିଛି।

ଅନ୍ୟପଟେ ୟୁନିସେଫ ତରଫରୁ କୁହାଯାଇଛି ଯେ, ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତାହା ଭବିଷ୍ୟତ ପାଇଁ ଖରାପ ହୋଇପାରେ। ଏଥିସହିତ କିଛି ପିଲାମାନଙ୍କ ପାଖରେ ଟେକ୍ନୋଲୋଜି ଓ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ବିଭିନ୍ନ କାରଣରୁ ସେମାନେ ଶିକ୍ଷା ସହିତ ସଂଶ୍ଲିଷ୍ଟ ହୋଇପାରୁନାହାନ୍ତି।

ବିଶେଷକରି ପୂର୍ବ ଓ ଦକ୍ଷିଣ ଆମେରିକାର ପିଲାମାନେ କୋଭିଡ୍ ସମୟରେ ଅଧିକ ପ୍ରଭାବିତ ହୋଇଛନ୍ତି। ଏଠାକାର ପାଖାପାଖି ୬୭ ନିୟୁତ ପିଲା ସ୍କୁଲ ବନ୍ଦ ଥିବା ସମୟରେ ଶିକ୍ଷା ଅର୍ଜନରୁ ବଞ୍ଚିତ ହୋଇଛନ୍ତି। ଏହାପରେ ପଶ୍ଚିମ ଓ ମଧ୍ୟ ଆଫ୍ରିକାର ମଧ୍ୟ ୫୪ ନିୟୁତ, ପୂର୍ବ ଏସିଆର ୮୦ ନିୟୁତ, ଉତ୍ତର ଆମେରିକାର ୩୭ ନିୟୁତ, ଦକ୍ଷିଣ ଏସିଆର ୧୪୭ ନିୟୁତ ପିଲାମାନେ କୋଭିଡ୍ ସମୟରେ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି।

କେବଳ ସ୍କୁଲ ଯାଉଥିବା ପିଲା ନୁହନ୍ତି, ପ୍ରାକ୍‌-ପ୍ରାଥମିକ ଶ୍ରେଣୀରେ ପାଠ ପଢୁଥିବା ପ୍ରାୟ ୧୨୦ ନିୟୁତ ପିଲା ମଧ୍ୟ ଶିକ୍ଷାଠୁ ଦୂରରେ ରହିଯାଇଛନ୍ତି। ସେହିପରି ୨୧୭ ନିୟୁତ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ୭୮ ନିୟୁତ ନିମ୍ନ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀ କୋଭିଡ୍ ମହାମାରୀ ପାଇଁ ଶିକ୍ଷା ଅର୍ଜନ କରିପାରି ନାହାନ୍ତି।

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଭାରତରେ ପାଖାପାଖି ୧୫ ଲକ୍ଷ ସ୍କୁଲ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନସୁଦ୍ଧା ବି ସ୍ଥିତି ସ୍ୱାଭାବିକ ହୋଇନି। ଏହା ଦ୍ୱାରା ୨୮.୬ କୋଟି ପିଲା ପ୍ରଭାବିତ ହେଇଥିଲେ। ପିଲାମାନଙ୍କ ପାଖରେ ଶିକ୍ଷା ପହଞ୍ଚାଇବାକୁ ଭାରତ ସରକାର ଅନେକ ଚେଷ୍ଟା କରିଥିଲେ। ଏଥିପାଇଁ ଦୀକ୍ଷା ପୋର୍ଟାଲ, ଦୂରଦର୍ଶନ ଓ ସ୍ୱୟଂପ୍ରଭା ଭଳି ଟିଭି ଚ୍ୟାନେଲର ମଧ୍ୟ ସାହାଯ୍ୟ ନିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ଅନେକ ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିଲେ।

ୟୁନିସେଫ୍‌ର ଭାରତ ପ୍ରତିନିଧି ଡକ୍ଟର ଜସ୍ମିନ ଅଲି ହକ୍ କହିଛନ୍ତି, “ଆମେ ସମସ୍ତେ ଜାଣିଛେ ଯେ କୌଣସି ବିପର୍ଯ୍ୟୟ ସମୟରେ ଯୁବକ ଓ ଦୁର୍ବଳ ଲୋକମାନେ ପ୍ରଭାବିତ ହୋଇଥାନ୍ତି। କୋଭିଡ୍ ସମୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ଅଭିଭାବକମାନେ ମଧ୍ୟ ଘରେ ବସିଛନ୍ତି। ଡିଜିଟାଲ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେବା ପାଇଁ ସେଭଳି କୌଣସି ସୁବିଧା ନାହିଁ। ତେଣୁ ଏଭଳି ସମୟରେ ପିଲାମାନଙ୍କୁ ଶିକ୍ଷା ସହ ଜଡ଼ିତ ରଖିବା ପାଇଁ ଏକ ମିଶ୍ରିତ ଆଭିମୁଖ୍ୟ ରହିବା ଆବଶ୍ୟକ।”

Comment