ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସ୍କୁଲ ୟୁନିଫର୍ମ ଏବଂ ଜେତା। ସମସ୍ତ ସରକାରୀ ହାଇସ୍କୁଲ ଏବଂ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଚଳିତ ଶିକ୍ଷା ବର୍ଷଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।

ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ୟୁନିଫର୍ମ ସହ ହଳେ ଜୋତା, ୨ ହଳ ମୋଜା ଦିଆଯିବ। ଜଣେ ଲେଖାଏଁ ଛାତ୍ରଙ୍କୁ ୧ ହଜାର ଟଙ୍କା ମୂଲ୍ୟର ୟୁନିଫର୍ମ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ୟୁନିଫର୍ମ ସଂଗ୍ରହ ଓ ବିତରଣ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଗୋଟିଏ ପିଲା ପିଛା ୫୫୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ। ଏହାସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ୍‌ ପ୍ୟାଣ୍ଟ ଛାତ୍ରଛାତ୍ରୀଙ୍କୁ ଦିଆଯିବ।

ପୋଷାକ, ଜୋତା ଓ ମୋଜା କ୍ରୟ ଏବଂ ବିତରଣ ପାଇଁ ବ୍ଲକ ସ୍ତରରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଛନ୍ତି।

ଏହି କମିଟି ନେତୃତ୍ୱରେ ସ୍ୱୀକୃତିପ୍ରାପ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଷାକ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହ ଜୋତା, ମୋଜା ସଂଗ୍ରହ କରି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବେ। ଜଣେ ପିଲାଙ୍କୁ ବର୍ଷକ ପାଇଁ ଦୁଇ ହଳ ପୋଷାକ, ହଳେ ଜୋତା ଓ ୨ ହଳ ମୋଜା ପ୍ରଦାନ କରାଯିବ।

Tags: #School #Education #SchoolUniform #OdishaGovt

Comment