ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ଆଳୁ ଆମ ଦେଶରେ ଏକ ମୁଖ୍ୟ ପରିବା ରୂପେ ବ୍ୟବହୃତ ହେଉଅଛି। ଆଳୁ ଚାଷ କ୍ରମେ କ୍ରମେ ଅଧିକ ଲାଭଜନକ ହେବା ଫଳରେ ଅନେକ ଚାଷୀ ଏହ। କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ନିମାପଡ଼ା କୁଅଁରପୁରର କିଛି ଚାଷୀ ଏକତ୍ର ମିଶି ଆଳୁ ଚାଷ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେମାନଙ୍କୁ ଉନ୍ନତ ବିହନ ଯୋଗାଇବା ସହ ଚାଷ ପ୍ରଣାଳୀ ବତାଇଥାଏ ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର । ରାଜ୍ୟ ଉଦ୍ୟାନ କୃଷି ବିଭାଗର ସହାୟତାରେ ଓ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ ଏଠାରେ ଏକ ପ୍ରକଳ୍ପ ଅଧୀନରେ ଆଳୁ ଚାଷ ହୋଇଥାଏ। ଏହି ପ୍ରକଳ୍ପର ନାଁ ହେଲା ‘କ୍ଷୁଦ୍ର ଚାଷୀଙ୍କ ଦ୍ୱାରା ବୃହତ କୃଷି କ୍ଷେତ୍ର ସଂଯୋଜନା’।

ଛୋଟ ଛୋଟ ଜମିରେ ଯାନ୍ତ୍ରିକ ପଦ୍ଧତିରେ ଚାଷ ଲାଭ ଜନକ ହେଉନଥିବାରୁ ଏହି ପ୍ରକଳ୍ପରେ କ୍ଷୁଦ୍ର ସ୍ୱଳ୍ପ ଜମିଧାରୀ ଚାଷୀଙ୍କ ଏକ ଗୋଷ୍ଠୀ ଗଢ଼ାଯାଇ ସେମାନଙ୍କ ମୂଳ କ୍ଷେତକୁ ଏକ ବଡ଼ କ୍ଷେତ୍ରରେ ପରିଣତ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ଉନ୍ନତ ବିହନ ଯୋଗାଇ ଦେବା ସହିତ ଚାଷୀମାନେ ସିଧାସଳଖ କିପରି ବିଭିନ୍ନ କମ୍ପାନିଠାରୁ ସାର ଓ କୀଟନାଶକ ସୁଲଭ ଦରରେ ପାଇପାରିବେ ତାହାର ବ୍ୟବସ୍ଥା ମଧ୍ୟ କରାଯାଉଛି।

‘‘ଛୋଟ ଛୋଟ ଚାଷୀଙ୍କ ପାଇଁ ଯାନ୍ତ୍ରିକ ପଦ୍ଧତିରେ ଆଳୁ ଚାଷ କଲେ ବେଶୀ କିଛି ଲାଭ ମିଳିନଥାଏ। ସେଥିପାଇଁ କିଛି ଚାଷୀଙ୍କ ଏକତ୍ର କରି ତାଙ୍କ ଜମିକୁ ମିଶାଇ ଦେଲେ ଏହା ବଡ଼ କ୍ଷେତ ହୋଇଯିବ। ଏଥିରେ ଯାନ୍ତ୍ରିକ ପଦ୍ଧିତିରେ ଚାଷ କଲେ ଚାଷୀ ଉପକୃତ ହେବେ’’ କହିଛନ୍ତି କୃଷି ବିଭାଗର ଅତିରିକ୍ତ ସଚିବ ମନ୍ମଥ ପାଣି।

ପାରମ୍ପରିକ ପଦ୍ଧତି ଛାଡ଼ି ଯାନ୍ତ୍ରିକ ପଦ୍ଧତିରେ ଉନ୍ନତ କିସମ ଆଳୁ ଚାଷ କଲେ ଅମଳ ବଢ଼େ ଓ ଖର୍ଚ୍ଚ କମେ। ଖରିଫ ଧାନ ଅମଳ ପରେ ଜମିକୁ ପଡ଼ିଆ ନଛାଡ଼ି ସେଠି ଯଦି ସ୍ୱଳ୍ପ କିମ୍ବା ମଧ୍ୟମ କିସମ ଆଳୁ ଚାଷ କରାଯାଏ  ତେବେ ଗୋଟିଏ ଗୁଳିରେ ୨ଟି ଶିକାର କଲା ଭଳି ହୁଏ।

ଭୁବନେଶ୍ୱର ଉପକଣ୍ଠ ଡେରାଶରେ ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ରହିଛି। ଏଠାରେ ବିଭିନ୍ନ କିସମର ଆଳକୁ ନେଇ ଚାଲିଥାଏ ରୀତିମତ ପରୀକ୍ଷା, ନୀରିକ୍ଷା। ଏହିଠାରେ ହିଁ ବିଭିନ୍ନ କିସମର ଆଳୁ ବିହନ ପ୍ରସ୍ତୁତ କରୁଛନ୍ତି କୃଷି ବୈଜ୍ଞାନିକ। ଏଠାରେ ଏକ ନୂଆ କିସମର ବିହନ ବିକଶିତ କରାଯାଇଛି, ଯାହାର ନାଁ ହେଲା କୁଫ୍ରି ଲିମା। ଏହି ବିହନ ଲଗାଇଲେ ଏହା ୬୦ ଦିନରେ ଭଲ ଅମଳ ଦେଇଥାଏ।

ରାଜ୍ୟ ସରକାରଙ୍କ ଆଳୁ ମିଶନ ଅଧୀନରେ ଜାରି ରହିଥିବା ଏହି ପ୍ରଚେଷ୍ଟା ଓଡ଼ିଶାକୁ ଯେ ଦିନେ  ସାରାଦେଶରେ ଆଳୁ ଉତ୍ପାଦନରେ ସ୍ୱତନ୍ତ୍ର ପରିଚୟ ଦେବ ସେଥିରେ ସନ୍ଦେହ ନାହିଁ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment