ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ପ୍ରଭାବରେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଅନ୍ୟପଟେ ଲଗାଣ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପର ଦେଇ ଗତି କରୁଛି। ବିଶେଷ କରି ଜଳକା ଓ ବୈତରଣୀ ନଦୀର ଜଳସ୍ତର ବଢ଼ିବା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

ଲଗାଣ ବର୍ଷା କାରଣରୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ଘଟିଛି। ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା ଓ ଚିତ୍ରଡା ଆଦି ଅଞ୍ଚଳରେ ଗତକାଲିଠାରୁ ବର୍ଷା ହେବାଦ୍ୱାରା ନଦୀର ଜଳସ୍ତର ବୃଦ୍ଧି ପାଇଛି।

ଲଗାଣ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ହେତୁ ବର୍ତ୍ତମାନ ବସ୍ତାର ବ୍ଲକର ୧୦ଟି ପଞ୍ଚାୟତ ସମେତ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ଦେଖାଦେଇଛି।BGUସେହିପରି ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଜଳପତ୍ତନ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ବର୍ଷା ପାଣି ଜମି ରହିବା ସହିତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।

ତେବେ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗତକାଲି ଏସଆରସି ପ୍ରଦୀପ ଜେନା କହିସାରିଛନ୍ତି। ଅନ୍ୟପଟେ ଆସନ୍ତକାଲିଠୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comment