ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ଅତ୍ୟଧିକ କୀଟନାଶକ ବ୍ୟବହାର ଦ୍ୱାରା ହେଉଥିବା ସମସ୍ୟାର ସମାଧାନ ଲାଗି ସରକାର ଏକ ଆଇନ ପ୍ରଣୟନ କରିଛନ୍ତି। ତେଣୁ କୀଟନାଶକ ଆଇନକୁ ଅନୁପାଳନ କରନ୍ତୁ।

କୀଟନାଶକ ସୁଚିନ୍ତିତ ଓ ନିୟନ୍ତ୍ରିତ ବ୍ୟବହାର ଚାଷୀଙ୍କୁ ସୁଫଳ ପ୍ରଦାନ କରିଥାଏ। କିନ୍ତୁ କୀଟନାଶକର ଅନାବଶ୍ୟକ ବ୍ୟବହାର ପରିବେଶକୁ ପ୍ରଦୂଷିତ କରିବା ଧନଜୀବନ ହାନିର କାରଣ ସାଜିଥାଏ।

୧୯୫୮ ମସିହାରେ ଅର୍ଗାନ ଫସଫରସ୍ କୀଟନାଶକ ଦ୍ୱାରା ସୃଷ୍ଟି ହୋଇଥିବା ଖାଦ୍ୟ ବିଷ କ୍ରିୟାରେ କେରଳ ଓ ମାଡ୍ରାସରେ ବହୁ ଲୋକଙ୍କ ପ୍ରାଣହାନି ଘଟିଥିଲା। ସେହିପରି ୧୯୬୨ ମସିହାରେ ପଶ୍ଚିମବଙ୍ଗ ଓ ଆସାମରେ, ୧୯୬୩ ମସିହାରେ ବମ୍ବେ ଓ ଆଗ୍ରାରେ ଅନେକ ଜୀବନ ହାନି ହୋଇଥିଲା। ଏହାପରେ ସରକାର ଏକ କମିଟି ବସାଇ କୀଟନାଶକ ଉତ୍ପାଦନ, ଆମଦାନୀ, ବିତରଣ ଓ ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ଯାଇ କୀଟନାଶକ ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ଉଲ୍ଲଙ୍ଘନ କଲେ ଉଲ୍ଲଙ୍ଘନକାରୀଙ୍କ ପାଇଁ ଦଣ୍ଡବିଧାନର ପ୍ରାବଧାନ ରଖିଲେ।

ସୁତରାଂ ସରକାର ପ୍ରଣୟନ କରିଥିବା କୀଟନାଶକ ଆଇନର କେତୋଟି ପ୍ରମୁଖ ବିଷୟ ଉପରେ ଚାଷୀ ଅବଗତ ତଥା ସଚେତନ ରହିବା ଜରୁରୀ।

ଏହି ଆଇନ ବଳରେ କୌଣସି ବିକ୍ରେତା ପ୍ରାଧିକୃତ ଅଧିକାରୀଙ୍କଠାରୁ ଲାଇସେନ୍ସ ସଂଗ୍ରହ ନକରି କୀଟନାଶକ ବିକ୍ରି କରିବା ଏକ ଦଣ୍ଡନୀୟ ଅପରାଧ। କୀଟନାଶକ ଆଇନ ଅନୁଯାୟୀ ଏହି ଲାଇସେନ୍ସର ଅବଧି ରହିଥାଏ ୨ ବର୍ଷ।

ଏଥିସହିତ ବିକ୍ରେତା ଯେଉଁ କୀଟନାଶକ ଉତ୍ପାଦନ ସଂସ୍ଥାର କୀଟନାଶକ ବିକ୍ରୟ କରିବେ ତାହା ମଧ୍ୟରେ ଏଥିର ସ୍ପଷ୍ଟ ଉଲ୍ଲେଖ ରହିବା ଜରୁରୀ। ବିନା ଅନୁମତିରେ କୌଣସି ଉତ୍ପାଦନ ସଂସ୍ଥାର କୀଟନାଶକ ବିକ୍ରୟ କରିବା ମଧ୍ୟ ଏହି ଆଇନ ଅନୁଯାୟୀ ଅପରାଧ।BGU

ବିକ୍ରେତା ଏହି ଲାଇସେନ୍ସକୁ ଏଭଳି ଏକ ସ୍ଥଳରେ ଲଗାଇବେ ଯେମିତି କ୍ରେତା ଲାଇସେନ୍ସଟିକୁ ସୁବିଧାରେ ଦେଖିପାରିବେ। କୀଟନାଶକ ଖୋଲା ବିକ୍ରୟକୁ ଏହି ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ତେଣୁ କୌଣସି ଚାଷୀ ଖୋଲାଥିବା କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ।

ବିକ୍ରେତା କ୍ରେତାଙ୍କୁ ବିକ୍ରୟ କରିଥିବା ଦ୍ରବ୍ୟର ବିଲ୍‌ ପ୍ରଦାନ କରିବା ବାଧ୍ୟତାମୂଳକ ଏବଂ ଯେଉଁଥିରେ ଦ୍ରବ୍ୟର ନାମ, ନମ୍ବର, ଏକ୍ସପାରୀ ଡେଟ ସ୍ପଷ୍ଟ ଉଲ୍ଲଖ ରହିବା ଜରୁରୀ।

ବିକ୍ରେତା ଏକ୍ସପାରୀ କୀଟନାଶକ ଆଦୌ ବିକ୍ରି କରିବେ ନାହିଁ ଏବଂ ବିକ୍ରି କରୁଥିବା କୀଟନାଶକର ସାର୍ଟିଫିକେଟ ରଖିବା ନିତାନ୍ତ ଆବଶ୍ୟକ। ନକଲି, ତ୍ରୁଟିପୂର୍ଣ୍ଣ ତଥା ନିଷିଦ୍ଧ କୀଟନାଶକ ବିକ୍ରି କରିବା ଏକ ଧର୍ତ୍ତବ୍ୟ ଅପରାଧ। ତେଣୁ ଉଭୟ କ୍ରେତା ଓ ବିକ୍ରେତା ଏହି ଆଇନର ଅନୁପାଳନ କରନ୍ତୁ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment