ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ମୁନିଗୁଡ଼ା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ପୋଲିସ ଆଖିରେ ଧୂଳି ଦେଇ ମାଓ ଅଧ୍ୟୁଷିତ ଅଞ୍ଚଳରେ ଚୋରା ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏଥିସହ ବେଆଇନ୍ ଭାବେ ଚାଲିଥିବା କମାରଶାଳରୁ ଚୋରା ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ପାତ୍ରଗୁଡ଼ା ପଞ୍ଚାୟତର ବୁର୍ଜୁଗୁଡ଼ା ଗ୍ରାମ ନିକଟରେ ଅଭିଯୁକ୍ତମାନେ ଚୋରା ବନ୍ଧୁକ ତିଆରି କରୁଥିଲେ। ଦୀର୍ଘ ଦିନ ହେବ ବୁର୍ଜୁଗୁଡ଼ା ଅଞ୍ଚଳରେ ନକଲି ମଦ, ଗୁଟ୍‌ଖା ଓ ଚୋରା ବନ୍ଧୁକ ତିଆରି କାମ ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀ ଅଭିଯୁକ୍ତକୁ ଧରିବା ସକାଶେ ଜାଲ ବିଛାଇଥିଲେ।ସୁଯୋଗ ପାଇ ଏସ୍‌ଆଇ ଅଶୋକ କୁମାର ବିଶୋଇଙ୍କ ନେତୃତ୍ୱରେ ହାବିଲଦାର ଶ୍ରୀନିବାସ ଦଳେଇ, ନିରଞ୍ଜନ ଦାଶ, ରବି ବିଡ଼ିକା ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମିଳିତ ଭାବେ ଗୁରୁବାର ଅପରାହ୍ନ ପ୍ରାୟ ପାଞ୍ଚଟା ସମୟରେ ବୁର୍ଜୁଗୁଡ଼ା ଗ୍ରାମ ନିକଟରେ ଚୋରା ବନ୍ଧୁକ ତିଆରି ଶାଳ ଉପରେ ଚଢ଼ାଉ କରି ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ବୁର୍ଜୁଗୁଡ଼ା ଗ୍ରାମର ଗୌରାଙ୍ଗ କରକରିଆ(୬୦) ଓ ହାତିରାମ ଉର୍ଲାସିକା (୬୧)। ଉକ୍ତ କମାରଶାଳରୁ ୧୩ଟି ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ଥାନା କେସ୍ ନମ୍ଵର ୧୨୦/୨୦ ଦଫା ୨୫ ଆର୍ମ୍ସ ଆକ୍ଟ ଅନୁଯାୟୀ ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି।BGU

Comment