ଓଡ଼ିଶାଲାଇଭ୍ ବ୍ୟୁରୋ

ନାଁ ଇନ୍‌ଶା ଜାନ୍, ବୟସ ମାତ୍ର ୨୩ ବର୍ଷ। କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଏହି କଶ୍ମୀର ଯୁବତୀଙ୍କର ରହିଛି ବଡ଼ ଭୂମିକା। ୨୦୧୯ରେ ପୁଲଓ୍ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏହି ଯୁବତୀଙ୍କ ହାତ ରହିଛି। ଏହି ଆତ୍ମଘାତୀ ଆକ୍ରମଣରେ ଇନ୍‌ଶାଙ୍କ ବାପା ଅହମଦ ଶାହ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ଏହି ଘଟଣାରେ ବାପ, ଝିଅ ଦୁହେଁ ଗିରଫ ହୋଇଛନ୍ତି।

ଇନଶାଙ୍କ ଘର ଦକ୍ଷିଣ କାଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ହକ୍ରିପୋରା ଗାଁରେ। ଉଭୟଙ୍କର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ସହିତ ସମ୍ପର୍କ ଥିଲା ବୋଲି ନିକଟରେ ଏନ୍ଆଇଏ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରେ କୁହାଯାଇଛି।

ଏଥିସହ ଇନ୍‌ଶାଙ୍କର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ ମିଲିଟାରି ଭେଷ୍ଟ ପିନ୍ଧିଥିବା ବେଳେ ଗୋଟିଏ ପିସ୍ତଲ ଧରିଛନ୍ତି ଏବଂ ଆତଙ୍କବାଦୀଙ୍କ ପାଖରେ ବସିଛନ୍ତି।ଆତଙ୍କବାଦୀଙ୍କୁ ଘରେ ଆଶ୍ରୟ ଦେଇଥିଲେ ଇନଶା ଓ ତାଙ୍କ ବାପା

ଗତ ମାର୍ଚ୍ଚ ମାସରେ ଇନ୍‌ଶା ଏବଂ ତାଙ୍କ ପିତା ଅହମଦଙ୍କୁ ଏନ୍ଆଇଏ ଅଧିକାରୀମାନେ ତାଙ୍କ ଘରୁ ଗିରଫ କରିଥିଲେ। ଚାର୍ଜସିଟ୍ ଅନୁସାରେ, ସେମାନେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲେ। ଜୈଶ୍-ଇ-ମହମ୍ମଦର ସଦସ୍ୟମାନେ ସେମାନଙ୍କ ଘରେ ୨୦୧୮ରୁ ୨୦୧୯ ମସିହା ଭିତରେ ଅନେକ ଦିନ ଧରି ରହିଥିଲେ। ଏଥିସହ ଇନ୍‌ଶା ଟେକ୍ସଟ୍ ମେସେଜ୍ ଏବଂ ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ସହ ସମ୍ପର୍କରେ ଥିଲା ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି।

ତେବେ ଏନ୍ଆଇଏ ପକ୍ଷରୁ ଇନ୍‌ଶାଙ୍କର ଯେଉଁ ଫଟୋ ଜାରି ହୋଇଛି ତାକୁ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଉମର ଫାରୁକ(୨୪) ଉଠାଇଥିଲା ବୋଲି ଜଣାପଡ଼ିଛି। ଏଥିସହ ଫାରୁକ ଏବଂ ଇନ୍‌ଶା ମଧ୍ୟରେ ବହୁ ବାର ଟେକ୍ସଟ୍ ମେସେଜରେ ଯୋଗାଯୋଗ ହୋଇଥିବା ଏନ୍ଆଇଏ ଦାବି କରିଛି।

ଆତଙ୍କବାଦୀଙ୍କୁ ଭୟରେ ମନା କରିପାରିନଥିଲେ

ଇନ୍‌ଶାଙ୍କ ମା’ ନସୀମା ଏକଥା ସ୍ଵୀକାର କରିଛନ୍ତି ଯେ ପୁଲଓ୍ଵାମା ଆକ୍ରମଣ ପୂର୍ବରୁ ତାଙ୍କ ଘରେ ଆତଙ୍କବାଦୀ ରହୁଥିଲେ। କିନ୍ତୁ ତାଙ୍କ ପରିବାର ଲୋକେ ଭୟରେ  ସେମାନଙ୍କୁ ମନା କରିପାରିନଥିଲେ ବୋଲି ସେ ଦାବି କରିଛନ୍ତି। ଆତଙ୍କବାଦୀମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଆସିଥିଲେ। ତେଣୁ ସେମାନଙ୍କୁ ଘରେ ରଖିବା ଛଡ଼ା ତାଙ୍କ ପରିବାର ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ଆତଙ୍କବାଦୀମାନେ ତାଙ୍କ ଘରେ ରହିବା ଫଳରେ ଇନ୍‌ଶା ସେମାନଙ୍କ ସମ୍ପର୍କରେ ଆସିଥିଲେ ବୋଲି ନସୀମା କହିଛନ୍ତି।

ସେ ଆହୁରି କହିଛନ୍ତି, “ମୋ ପୁଅ ଜଣେ ଟ୍ରକ ଚାଳକ। ଯେହେତୁ ଟ୍ରକଗୁଡ଼ିକୁ କେବଳ ରାତିରେ ଯାତାୟତ କରିବାକୁ ଅନୁମତି ମିଳେ ତେଣୁ ସେ ପ୍ରାୟ ରାତିରେ ହିଁ ଟ୍ରକ ଚଲାଇଥାଏ। ଯେତେବେଳେ ଆତଙ୍କବାଦୀମାନେ ଆମ ଘରକୁ ଆସିଲେ ସେତେବେଳେ ମୋ ସ୍ଵାମୀ ଭୟରେ ଘରୁ ଲୁଚିକି ପଳାଇଲେ। ଫଳରେ ଘରେ କେବଳ ମୁଁ, ମୋ ବୋହୂ ଏବଂ ଝିଅ ଇନ୍‌ଶା ହିଁ ଥିଲୁ। ମୁଁ ଆତଙ୍କବାଦୀଙ୍କୁ ସାମ୍ନା କରିପାରିଲି ନାହିଁ। ସେମାନେ ବିଶେଷକରି ଉର୍ଦ୍ଦୁରେ କଥା ହେଉଥିଲେ। କିନ୍ତୁ ମୁଁ ଉର୍ଦ୍ଦୁ ଜାଣିନଥିବାରୁ ମୋ ଝିଅ ଇନ୍‌ଶା ସେମାନଙ୍କ ଖାଇବା ପିଇବା କଥା ବୁଝୁଥିଲା।”ଇନ୍‌ଶାଙ୍କ ଘରକୁ ୩ ଥର ଆସିଥିଲେ ଆତଙ୍କବାଦୀ

ନସୀମାଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ ୨୦୧୮ରୁ ପୁଲଓ୍ଵାମା ଆକ୍ରମଣ ପର୍ଯ୍ୟନ୍ତ ତିନି ଥର ତାଙ୍କ ଘରକୁ ଆସିଥିଲେ। ତାଙ୍କ ଘର ହକ୍ରିପୋରା ଗାଁର ଏକ ନିଛାଟିଆ ଜାଗାରେ ଥିବାରୁ ଆତଙ୍କବାଦୀମାନେ ଏହାକୁ ନିଜ ଆଶ୍ରୟସ୍ଥଳୀ ଭାବେ ବାଛିଥିଲେ ବୋଲି ନସୀମା ଅନୁମାନ କରିଛନ୍ତି।

ସେ କହିଛନ୍ତି, “ଆତଙ୍କବାଦୀମାନେ ଯେତେବେଳେ ଆମ ଘରକୁ ଆସିଥିଲେ ସେତେବେଳେ ଆମ ଘର ଚାରିପଟ ନିଛାଟିଆ ଥିଲା। ଏହାଛଡ଼ା ଆମ ଘରକୁ ଚାରିପଟୁ ସିଲ୍ କରିବା ପାଇଁ ଆମେ କୌଣସି କାନ୍ଥ ବା ପାଚେରୀ ନିର୍ମାଣ କରିନଥିଲୁ। ତେଣୁ ଯେ କେହି ବି ଆସି ଘର କବାଟ ବାଡ଼ୋଉଥିଲେ।”

ପରିବାର ପ୍ରତି ବିପଦ ଥିଲା

ଆତଙ୍କବାଦୀମାନେ ବାରମ୍ବାର ତାଙ୍କ ଘରକୁ ଆସିବାରୁ ଏକଦା ବିରୋଧ କରିଥିଲେ ନସୀମା। ସେ ଯବାନମାନଙ୍କୁ ଆତଙ୍କବାଦୀଙ୍କ ବିଷୟରେ ଜଣାଇଦେବେ ବୋଲି ଦିନେ ସେମାନଙ୍କୁ କହିଥିଲେ। କିନ୍ତୁ ଆତଙ୍କବାଦୀମାନେ ତାଙ୍କୁ ଭୟ ଦେଖାଇ ଚୁପ୍ କରିଦେଇଥିଲେ। ଏନେଇ ନସୀମା କହିଛନ୍ତି, “ସେମାନେ କହିଥିଲେ ଯେ କାଶ୍ମିରୀ ମହିଳାମାନେ ସହଜରେ ଦୁର୍ବଳ ହୋଇପଡ଼ନ୍ତି। ଏହାଛଡ଼ା ଆତଙ୍କବାଦୀଙ୍କ ସହଯୋଗୀମାନେ ଜାଣିଥିଲେ ଯେ ସେମାନେ ଆମ ଘରେ ଅଛନ୍ତି। ତେଣୁ ଯଦି ଆମ ଘରେ ସେମାନଙ୍କ ସହ କିଛି ଅଘଟଣ ହୁଏ ତେବେ ତାର ପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ିବ।”

ବହୁ ବର୍ଷ ପୂର୍ବରୁ ନସୀମାଙ୍କ ସମ୍ପର୍କୀୟମାନଙ୍କୁ ଇନ୍‌ଫର୍ମର ସନ୍ଦେହରେ ଆତଙ୍କବାଦୀମାନେ ମାରି ଦେଇଥିଲେ। ତେଣୁ ଜୀବନ ପ୍ରତି ବିପଦ ଥିବାରୁ ସେମାନେ ଆତଙ୍କବାଦୀମାନଙ୍କୁ ନିଜ ଘରେ ରହିବାକୁ ମନା କରିପାରିନଥିଲେ ବୋଲି ନସୀମା କହିଛନ୍ତି।ଲାଜକୁଳି ସ୍ଵଭାବର ଥିଲେ ଇନ୍‌ଶା

ଭାଇ ଭଉଣୀଙ୍କ ମଧ୍ୟରୁ ସବୁଠୁ ସାନ ହେଉଛନ୍ତି ଇନ୍‌ଶା। ବଡ଼ ଭାଇ ଶାହନବାଜ୍ ଅହମ୍ମଦ ଏବଂ ଭଉଣୀ ବିଲ୍‌କିସ୍ ବିବାହ କରିସାରିଛନ୍ତି। ଇନ୍‌ଶା ନବମ ପଢ଼ିବା ପରେ ସ୍କୁଲ ପଢ଼ା ଛାଡ଼ିଦେଇଥିଲେ। ତେବେ ଇନ୍‌ଶା ଅଧିକାଂଶ ସମୟ ଘର ଭିତରେ ବିତାଉଥିଲେ ବୋଲି ତାଙ୍କ ମା ନସୀମା ଏବଂ ସମ୍ପର୍କୀୟମାନେ କହିଛନ୍ତି।

ନସୀମାଙ୍କ କହିବା ଅନୁସାରେ ଇନ୍‌ଶା ନିଜ ଘରକୁ ପରିଷ୍କାର ରଖିବାକୁ ବହୁତ ପସନ୍ଦ କରୁଥିଲେ। ତାଙ୍କର କୌଣସି ସାଙ୍ଗ ନଥିଲେ। ଏପରିକି ସେ କୌଣସି ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଉନଥିଲେ। ଗୋଟିଏ ରାତି ବି ଇନ୍‌ଶା ନିଜ ମା’ଙ୍କୁ ଛାଡ଼ି ରହିପାରୁନଥିଲେ।

ଇନ୍‌ଶା ନିଜ ଜେଜେବାପାଙ୍କ ସହିତ ବେଶ୍ ଘନିଷ୍ଠ ଥିଲେ। ସେ ଗିରଫ ହେବାର ଦୁଇ ମାସ ପୂର୍ବରୁ ହିଁ ତାଙ୍କ ଜେଜେବାପାଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କର ଖାଇବା ପିଇବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଯତ୍ନ ନେଉଥିବା ନସୀମା କହିଛନ୍ତି।

ଇନ୍‌ଶାଙ୍କ ଭଉଣୀ ବିଲ୍‌କିସ୍ କହିଛନ୍ତି, “ନିଜ ବୟସର ଅନ୍ୟ ଝିଅଙ୍କ ପରି ମୋ ଭଉଣୀ ଟ୍ରେଣ୍ଡି ଡ୍ରେସ୍ ପିନ୍ଧିବାକୁ କିମ୍ବା ଲୋକଙ୍କ ସହିତ ମିଳାମିଶା କରିବାକୁ ପସନ୍ଦ କରୁନଥିଲା। ସେ ଫ୍ୟାଶନ୍ ପ୍ରତି ବିଲକୁଲ୍ ଆଗ୍ରହୀ ନଥିଲା।”

ହକ୍ରିପୋରା ଗାଁର ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି, “ଯେତେବେଳେ ଏନ୍ଆଇଏ ଅଫିସରମାନେ ଇନ୍‌ଶାଙ୍କୁ ଗିରଫ କଲେ ସେତେବେଳେ ମୁଁ ତାକୁ ପ୍ରଥମ ଥର ପାଇଁ ଦେଖିଲି। ଆଗରୁ ମୁଁ ତାକୁ କେବେ ବି ଦେଖିନଥିଲି।”ଇନ୍‌ଶାଙ୍କ ଫଟୋକୁ ନେଇ ପ୍ରଶ୍ନ

ଏମିତି ଜଣେ ଲାଜକୁଳା ସ୍ଵଭାବର ଇନ୍‌ଶା କିପରି ଅସ୍ତ୍ରଶସ୍ତ୍ର ଧରି ଫଟୋ ଉଠାଇଲେ ତାକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କୁ  କେହି ବଳପୂର୍ବକ ଏପରି କରିବାକୁ ବାଧ୍ୟ କରିଥାଇପାରନ୍ତି ବୋଲି ଇନ୍‌ଶାଙ୍କ ମା’ ଅନୁମାନ କରୁଛନ୍ତି। ଏହି ଫଟୋ କେବେ ଉଠାଯାଇଥିଲା, କିଏ ଉଠାଇଥିଲା ଏସବୁ ବିଷୟରେ ଇନ୍‌ଶା ତାଙ୍କ ସହ କିଛି ବି ଆଲୋଚନା କରିନଥିବା ନସୀମା କହିଛନ୍ତି।

ଇନ୍‌ଶାଙ୍କ ଘରେ ହିଁ ସୁଟିଂ ହୋଇଥିଲା ଆତ୍ମଘାତୀର ସୁଇସାଇଡାଲ୍ ଭିଡିଓ

ପୁଲଓ୍ଵାମା ଆକ୍ରମଣର କିଛି ଘଣ୍ଟା ପରେ ପୂର୍ବରୁ ରେକର୍ଡିଂ ହୋଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ଦର୍ ନିଜକୁ ଆତ୍ମହତ୍ୟା ପାଇଁ ଦାୟୀ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏନ୍ଆଇଏର ସୂଚନା ଅନୁଯାୟୀ ଏହି ଭିଡିଓକୁ ସେହି ଫାରୁକ ହିଁ ରେକର୍ଡିଂ କରିଥିଲା ଯେ କି ଇନ୍‌ଶାଙ୍କ ଫଟୋ ଉଠାଇଛି। ୨୦୧୯ ଜାନୁଆରୀ ଶେଷ ଆଡ଼କୁ ହକ୍ରିପୋରା ଗାଁର ଏକ ଘରେ ଏହି ଭିଡିଓ ସୁଟିଂ କରାଯାଇଥିଲା।

ଏ ବାବଦରେ ନସୀମା କହିଛନ୍ତି, “ଦିନେ ସେମାନେ କୋଠରୀ ଭିତରକୁ ଯାଇ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ। ସେଠି ସେମାନେ କଣ କଲେ ସେ ବିଷୟରେ କିଏ ଜାଣେ?” ନସୀମା ସେହି ଭାଇରାଲ ଭିଡିଓରୁ ଆଦିଲ ଅହମ୍ମଦ ଦରକୁ ଚିହ୍ନିବା ସହିତ ପୂର୍ବରୁ ସେ ତାଙ୍କ ଘରକୁ ଆସିଥିବା କହିଛନ୍ତି।BGUପରିବାର ଲୋକେ ଦେଖା କରିପାରୁନାହାନ୍ତି

ପାଖାପାଖି ୬ ମାସ ହେବ ଇନ୍‌ଶା ଏବଂ ତାଙ୍କ ବାପା ଗିରଫ ହୋଇଥିଲେ ମଧ୍ୟ ସେମାନେ କେଉଁଠି ଅଛନ୍ତି ସେ ବିଷୟରେ ପରିବାର ଲୋକ ଜାଣିନାହାନ୍ତି। ବାପ, ଝିଅ ଦୁଇ ସପ୍ତାହରେ ଥରେ ଘରକୁ ଫୋନ୍ କରୁଛନ୍ତି। କିନ୍ତୁ ସେମାନଙ୍କ ସହ ଖିୁବ୍ କମ୍ ସମୟ ପାଇଁ କଥାବାର୍ତ୍ତା ହୋଇଥାଏ ବୋଲି ନସୀମା କହିଛନ୍ତି।

ଅନ୍ୟପଟେ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ପରିବାର ଲୋକେ ଇନ୍‌ଶା ଏବଂ ତାଙ୍କ ବାପାଙ୍କୁ ଦେଖା କରିବାକୁ କୌଣସି ଉଦ୍ୟମ କରିନାହାନ୍ତି। କିଛି ଦିନ ତଳେ ସେମାନେ ଏନେଇ ଯୋଜନା କରିଥିଲେ କିନ୍ତୁ କରୋନା ମହାମାରୀ ଯୋଗୁଁ ସେମାନଙ୍କୁ ଦେଖା କରିବା ଅସମ୍ଭବ ହୋଇପଡ଼ିଛି ବୋଲି ନସୀମା କହିଛନ୍ତି।

Comment