ଓଡ଼ିଶାଲାଇଭ୍ ବ୍ୟୁରୋ

  • ବୁଲାବିକାଳୀ ଓ ଉଠା ଦୋକାନୀଙ୍କୁ ସହଜରେ ମିଳିବ ପରିଚୟ ପତ୍ର
  • କରୋନା ପାଇଁ ବୁଲାବିକାଳୀ ଓ ଉଠା ଦୋକାନୀଙ୍କୁ ମିଳିବ ଋଣ
  • ୨୦୨୦ ମାର୍ଚ୍ଚ ୨୪ ତାରିଖ ପୂର୍ବରୁ ବ୍ୟବସାୟ କରୁଥିଲେ ମିଳିବ ଋଣ
  • ପ୍ରମାଣପତ୍ର ପାଇଥିବା ଆବଶ୍ୟକ

ରାଉରକେଲାରେ ଖୋଲିଲା ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ସୁବିଧା କେନ୍ଦ୍ର ବା ପିଏମ୍ ସ୍ୱନିଧି ସୁବିଧା କେନ୍ଦ୍ର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି କେନ୍ଦ୍ର ଉଦିତ ନଗର ଥାନା ନିକଟରେ ଖୋଲା ଯାଇଛି। ଶୁକ୍ରବାର ଦିନ ଏହାକୁ ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି।

ଏହି କେନ୍ଦ୍ର ମାଧ୍ୟମରେ ଆଧାର କାର୍ଡ ପ୍ରସ୍ତୁତି ଏବଂ ତ୍ରୁଟି ସଂଶୋଧନ ସୁବିଧାରେ ହୋଇପାରିବ। ଏହାସହ ପି ଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ଅନଲାଇନ ଫର୍ମ ଦାଖଲ କରିବା, ବୁଲା ବିକାଳୀ ତଥା ଉଠା ଦୋକାନୀଙ୍କୁ ପରିଚୟ ପତ୍ର ତଥା ପ୍ରମାଣ ପତ୍ର ପ୍ରଦାନ ଆଦି କାର୍ଯ୍ୟ ସୁବିଧାରେ ହୋଇପାରିବ। ପ୍ରତି କାର୍ଯ୍ୟ ଦିବସରେ ଏହି କେନ୍ଦ୍ର ଦିନ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଅଧିକ ବିବରଣୀ ପାଇଁ ୮୭୬୩୩୩୩୩୭୬ ନମ୍ବରରେ ଯୋଗାଯୋଗ କରିବା ଲାଗି ମହାନଗର ନିଗମ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଡେପୁଟି କମିସନର ସୁଧାଂଶୁ କୁମାର ଭୋଇ ଓ ସୀତାଦେବୀ ମାଝିଙ୍କ ସମେତ ମୁଖ୍ୟ ଗୋଷ୍ଠୀ ସଂଗଠିକା ସୌଭାଗ୍ୟବତୀ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସିଟି ମିଶନ ମ୍ୟାନେଜର – ଏନ୍.ୟୁ.ଏଲ୍.ଏମ୍ ସନ୍ତୋଷ କୁମାର ଭୂୟାଁ ପରିଚାଳନା କରିଥିଲେ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ବୁଲାବିକାଳୀ/ ଉଠା ଦୋକାନୀମାନଙ୍କର ଥଇଥାନ ନିମନ୍ତେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ବୁଲାବିକାଳୀମାନେ ସୁବିଧାରେ କ୍ଷୁଦ୍ର ଋଣ ପାଇପାରିବେ। ଯେଉଁ ବୁଲାବିକାଳୀମାନେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୨୪ ମାର୍ଚ୍ଚ, ୨୦୨୦ ପୂର୍ବରୁ ବ୍ୟବସାୟ କରୁଥିବେ ସେମାନେ ଏହି ଯୋଜନାର ସୁବିଧା ପାଇପାରିବେ। ଏଥିଲାଗି ସେମାନେ ଆର୍‌ଏମ୍‌ସି ପକ୍ଷରୁ ବୁଲାବିକାଳୀ ପ୍ରମାଣପତ୍ର ପାଇଥିବା ଆବଶ୍ୟକ। ଯେଉଁମାନେ ପ୍ରମାଣ ପତ୍ର ପାଇନଥିବେ କିନ୍ତୁ ସର୍ଭେରେ ଚିହ୍ନଟ ହୋଇଥିବେ, ସେମାନେ ମଧ୍ୟ ଏହି ଯୋଜନା ଲାଗି ଯୋଗ୍ୟ ବିବେଚିତ ହେବେ।

ସେହିପରି ଯେଉଁ ବୁଲାବିକାଳୀମାନେ ସର୍ଭେ ସରିଲା ପରେ ବ୍ୟବସାୟ ଆରମ୍ଭ କରିଥିବେ ଏବଂ ୨୪ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ନେଇ ସୁପାରିଶପତ୍ର ଆର୍‌ଏମ୍‌ସି କିମ୍ବା Town Vending Committee (TVC) ଠାରୁ ପାଇଥିବେ, ସେମାନେ ମଧ୍ୟ ଏହି ଯୋଜନାର ଲାଭ ନେଇପାରିବେ।

ସହରର ଆଖପାଖ ଅଞ୍ଚଳରୁ ଆସି ରାଉରକେଲାରେ ଦୈନିକ ବ୍ୟବସାୟ କରୁଥିବା ବୁଲାବିକାଳୀମାନଙ୍କ ଲାଗି ମଧ୍ୟ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି।BGUଏହି ଯୋଜନା ମାଧ୍ୟମରେ  ମାତ୍ର ୭% ସୁଧ ହାରରେ ବିନା ଅମାନତରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇପାରିବ। ତେବେ ନିୟମିତ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଡିଜିଟାଲ ମାଧ୍ୟମରେ କାରବାର କରୁଥିବା ବ୍ୟବସାୟୀଙ୍କୁ ପୁରସ୍କୃତ କରାଯିବ। ମାସିକ କିସ୍ତି ହିସାବରେ ୧ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ପଡ଼ିବ। ନିୟମିତ କିସ୍ତି ଦେଉଥିବା ବ୍ୟବସାୟୀଙ୍କୁ ସୁଧରେ ରିହାତି ଦିଆଯିବ।

ଯେଉଁ ବୁଲା ବିକାଳୀମାନେ ଠିକ ସମୟରେ ଋଣ ପରିଶୋଧ କରିବେ ସେମାନଙ୍କ ଲାଗି ପରବର୍ତ୍ତୀ ସମୟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ସମସ୍ତ ପ୍ରକାରର ବ୍ୟାଙ୍କ୍, ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ ଆଦି ଋଣ ପ୍ରଦାନ କରିବେ। ବ୍ୟାଙ୍କରେ ଥିବା ବ୍ୟାଙ୍କ ମିତ୍ର କିଓସ୍କ୍, ଜନସେବା କେନ୍ଦ୍ର କିମ୍ବା ନିଜେ ଇଣ୍ଟରନେଟ ମାଧ୍ୟମରେ ଏହି ଯୋଜନାରେ ଋଣ ଲାଗି ଯୋଗ୍ୟ ବୁଲା ବିକାଳୀମାନେ ଆବେଦନ କରିପାରିବେ। ତେବେ ବର୍ତ୍ତମାନ ଶୁଭାରମ୍ଭ ହୋଇଥିବା ପି.ଏମ୍. ସ୍ୱନିଧି ସୁବିଧା କେନ୍ଦ୍ରରେ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ।

ଋଣ ଆବେଦନ ପାଇଁ ଆଧାରକାର୍ଡ, ବ୍ୟାଙ୍କ ଜମା ଖାତା ନମ୍ବର, ବ୍ୟାଙ୍କ ଶାଖାର ନାମ ଓ IFSC Code ନିହାତି ଜରୁରୀ। ତା’ ସାଙ୍ଗକୁ ଭୋଟ ପରିଚୟ ପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ, ରାସନ କାର୍ଡ କିମ୍ବା ଅନ୍ୟାନ୍ୟ ସରକାରୀ ଅନୁମୋଦିତ କାଗଜପତ୍ର ଥିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଲାବିକାଳୀମାନଙ୍କ ଜୀବିକାକୁ ସଜାଡି ହେବ ଏବଂ ତା ସାଙ୍ଗକୁ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ସଫଳତା ମିଳିପାରିବ। ଏ ସଂପର୍କିତ ସବିଶେଷ ବିବରଣୀ http://pmsvanidhi.mohua.gov.in ୱେବସାଇଟରେ ଉପଲବ୍ଧ ଅଛି।

Comment