ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନଳକୂପରୁ ବାହାରୁଛି ଦୂଷିତ ଜଳ। ଏହି ଜଳକୁ ପିଇ ୧୨ ଜଣ ବ୍ୟକ୍ତି କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହୋଇଥିବା ବେଳେ ୪ ଜଣ ପ୍ରଣ ହରାଇସାରିଲେଣି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅଧିନ ସିକାମପଦର ଗ୍ରାମରେ। ତେବେ ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ସୂଚନା ମିଳିଛି।

ରାୟଗଡ଼ା ଜିଲ୍ଲା ସିକାମପଦର ଗ୍ରାମରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରନ୍ତି। ଗ୍ରାମରେ ପାନୀୟ ଜଳ ପାଇଁ ସରକାରଙ୍କ ପକ୍ଷରୁ ମାତ୍ର ୪ଟି ନଳକୂପର ବ୍ୟବସ୍ଥା କରାଯାଇଛି। କିନ୍ତୁ ଉକ୍ତ ସମସ୍ତ ନଳକୂପରୁ ଦୂଷିତଜଳ ବାହରୁଛି। ପରୀକ୍ଷାଗାରରେ ଏହି ପାଣିକୁ ପରୀକ୍ଷା କରିବା ପରେ ଏଥିରେ ଆଇରନ ମାତ୍ରା ଅଧିକ ରହିଥିବା ଜିଣିବାକୁ ପାଇଥିଲେ ଗ୍ରାମବାସୀ। ମାତ୍ର ପାନୀୟଜଳ ପାଇଁ ଗ୍ରାମରେ ଆଉ କିଛି ବିକଳ୍ପ ନଥିବାରୁ ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ପିଉଛନ୍ତି।ସମୟକ୍ରମେ ଏହି ଦୂଷିତ ପାଣି ପିଇ ଜଣଙ୍କ ପରେ ଜଣେ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗ୍ରାମର ଅଧିକାଂଶ ଲୋକେ କୃଷି ଓ ଶ୍ରମ କାର୍ଯ୍ୟ କରି ନିଜ ଜୀବିକା ଉପାର୍ଜନ କରୁଥିବା ସ୍ଥଳେ ଏଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଅତ୍ୟଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଛନ୍ତି। ଗୋଡ଼ହାତ ଫୁଲା ସାଙ୍ଗକୁ ଆକସ୍ମିକ ଜ୍ୱର, ଦେହ ଦୁର୍ବଳ, ପାଚନକ୍ରିୟା ଠିକ୍ ଭାବେ ନହେବା, ଉଚ୍ଚ ରକ୍ତଚାପ ଆଦି ଲକ୍ଷଣ ଦେଖାଦେଉଛି। ରୋଗାଗ୍ରସ୍ତ ବ୍ୟକ୍ତି ସୁସ୍ଥହେବାକୁ ଯାଇ ନିଜ ଘରଦ୍ୱାର, ଚାଷଜମି ଆଦି ବିକ୍ରିକରି ପଡୋଶୀ ଆନ୍ଧ୍ରପ୍ରଦେଶ କିମ୍ବା ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଯାଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏଥିରୁ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି।BGUଏ ନେଇ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକ୍ରାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସମ୍ପୃକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାମକୁ ପଠାଯାଇ ଘଟଣାର ଅନୁସନ୍ଧାନ କରାଯିବ। ବାରମ୍ଵାର ଅଭିଯୋଗ ହେଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ଗ୍ରାମାବାସୀଙ୍କ ତରଫରୁ ଏଯାଏଁ କୌଣସି ଅଭିଯୋଗ କରାଯାଇନାହିଁ ବୋଲି କହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଅଧିକାରୀ ମୋତିଲାଲ ତିୱାରୀ।

Comment