ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ କରୋନା ମହାମାରୀକୁ ହରାଇ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣ ବଦାନ୍ୟ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ କୋଭିଡ୍ ଯୋଦ୍ଧା ଥିବା ବେଳେ ଅନ୍ୟ ଜଣେ ସାଧାରଣ ବ୍ୟକ୍ତି ଅଛନ୍ତି। ଅନ୍ୟର ଜୀବନ ବଞ୍ଚାଇବାକୁ ଆଗେଇ ଆସିଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ କୃତଜ୍ଞତା ଜଣାଇଛି।

ଜିଲ୍ଲାରେ କୋଭିଡ୍‌ରୁ ସୁସ୍ଥ ହୋଇଥିବା ୯ ଜଣଙ୍କର ରକ୍ତ ନମୁନା ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜକୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ନିଜ ପ୍ଲାଜ୍‌ମା ଦାନ ସକାଶେ ଯୋଗ୍ୟ ବିବେଚିତ ହୋଇଥିଲେ। ତେବେ ଜଣେ ବ୍ୟକ୍ତି ନିଜ ପ୍ଲାଜ୍‌ମା ଦାନ କରିବାକୁ ଅମଙ୍ଗ ହୋଇଥିବା ବେଳେ ବାକି ୪ ଜଣ ବ୍ରହ୍ମପୁର ଯାଇ ସେଠାରେ ପ୍ଲାଜ୍‌ମା ଦାନ କରିଛନ୍ତି।ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିଥିବା ଏହି ବଦାନ୍ୟ ବ୍ୟକ୍ତିବିଶେଷଙ୍କ ପାଇଁ ବିଭନ୍ନ ମହଲରୁ ସୁଭେଚ୍ଛାର ସୁଅ ଛୁଟିଛି। ସେହିପରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ତଥା ପ୍ଲାଜ୍‌ମା ସଂଗ୍ରହ ନୋଡାଲ ଅଧିକାରୀ ଶରତ ଚନ୍ଦ୍ର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା କୋଭିଡ୍ ନୋଡାଲ ଅଧିକାରୀ ଅମୃତ ଋତୁରାଜ, ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ତଥା ପ୍ଲାଜ୍‌ମା ଥେରାପି ସଂଯୋଜିକା ଆଦି ପ୍ଲାଜ୍‌ମା ଦାତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନ୍ୟର ଜୀବନ ବଞ୍ଚାଇବାକୁ ଆଗେଇ ଆସିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ତେବେ ଆସନ୍ତା ୨୧ ତାରିଖରେ ପୁଣି ୧୧ ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟକୁ ପଠାଯିବା ସ୍ଥିର ଲାଗି ହୋଇଛି। ନମୁନା ପରୀକ୍ଷଣ ପରେ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।

Comment