ଓଡ଼ିଶାଲାଇଭ୍ ବ୍ୟୁରୋ

କେହି ଜଣେ ଫୋନ୍ କଲେ ଆମେ ପ୍ରଥମେ ‘ହେଲୋ’ ବୋଲି କହିଥାଉ। ତା ପରେ ହିଁ କଥାବାର୍ତ୍ତା ଆରମ୍ଭ ହୁଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଫୋନ୍ ଉଠାଇବା ମାତ୍ରେ ଲୋକମାନେ କାହିଁକି ‘ହେଲୋ’ କହିଥାନ୍ତି? ତେବେ କେବେ ଓ କେମିତି ଏହି ‘ହେଲୋ’ ଶବ୍ଦର ଉତ୍ପତ୍ତି ହେଲା ଜାଣନ୍ତୁ…

ଆଲେକ୍‌ଜାଣ୍ଡର ଗ୍ରାହମ ବେଲ ୧୮୭୬ ମାର୍ଚ୍ଚ ୧୦ ତାରିଖରେ ଟେଲିଫୋନ୍ ଆବିଷ୍କାର କରିଥିଲେ। ଗ୍ରାହମ ବେଲ୍‌ଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ଥିଲା ମାରଗ୍ରେଟ୍ ହେଲୋ। ଗ୍ରାହମ ବେଲ୍ ତାଙ୍କୁ ହେଲୋ ବୋଲି ଡାକୁଥିଲେ। ତେଣୁ ସେ ଯେତେବେଳେ ପ୍ରଥମ ଥର ପାଇଁ ଫୋନ୍‌ରେ କଥା ହେଲେ ସେତେବେଳେ ‘ହେଲୋ’ ବୋଲି କହିଥିଲେ। ଏହାପରେ ତାଙ୍କୁ ଦେଖି ଲୋକମାନେ ମଧ୍ୟ ‘ହେଲୋ’ କହିବା ଆରମ୍ଭ କରିଥିଲେ ବୋଲି ଅନୁମାନ କରାଯାଏ।ଏହାକୁ ନେଇ ଆଉ ଗୋଟିଏ କଥା ମଧ୍ୟ ରହିଛି। ୧୯୯୨ ମସିହା ମାର୍ଚ୍ଚ ମାସ ୫ ତାରିଖରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କିନ୍ତୁ ଆଉ ଗୋଟିଏ କଥା ଲେଖାଅଛି। ଏଥିରେ ଲେଖାଅଛି ଗ୍ରାହମ ବେଲ ନୁହେଁ ବରଂ ପ୍ରଖ୍ୟାତ ବୈଜ୍ଞାନିକ ଥୋମାସ ଏଡ଼ିସନଙ୍କ ଉଦ୍ଭାବିତ ଶବ୍ଦ ହେଉଛି ହେଲୋ।

ଯେତେବେଳେ ଲୋକମାନେ ଟେଲିଫୋନ୍ ବ୍ୟବହାର କଲେ ସେତେବେଳେ ସେମାନେ ହେଲୋ ଜାଗାରେ ‘ଆହୋଏ’ (Ahoy) ବୋଲି କହୁଥିଲେ। କିନ୍ତୁ ଆମେରିକୀୟ ବୈଜ୍ଞାନିକ ଥୋମାସ୍ ଏଡ଼ିସନ ଏତେ ବଡ଼ ବାକ୍ୟ କହିବାକୁ ପସନ୍ଦ କରୁନଥିଲେ। ଥରେ ସେ ନିଜର ଜଣେ ବନ୍ଧୁଙ୍କ ସହିତ କଥା ହେଉଥିଲେ। ଥୋମାସ୍‌ଙ୍କ ବନ୍ଧୁ ଫୋନ୍ ଉଠାଇବା ପରେ ପ୍ରଥମେ ‘ଆହୋଏ’ ବୋଲି କହିଲେ। କିନ୍ତୁ ଥୋମାସ୍‌ଙ୍କୁ ତାହା ‘ହେଲୋ’ ପରି ଶୁଣାଗଲା। ତାଙ୍କୁ ଏହି ଶବ୍ଦଟି ଖୁବ୍ ଭଲ ଲାଗିଲା। ତେଣୁ ସେ ୧୮୭୭ରେ ଫୋନ୍‌ରେ ପ୍ରଥମେ ‘ହେଲୋ’ କହିବାକୁ ପ୍ରସ୍ତାବ ଦେଲେ।ଏହି ପ୍ରସ୍ତାବକୁ ପାସ୍ କରାଇବା ପାଇଁ ଥୋମାସ୍ ଏଡ଼ିସନ ପିଟର୍ସବର୍ଗର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଆଣ୍ଡ ପ୍ରିଣ୍ଟିଙ୍ଗ ଟେଲିଗ୍ରାଫ୍ କମ୍ପାନିର ଅଧ୍ୟକ୍ଷ ଟିବିଏ ସ୍ମିଥ୍‌ଙ୍କୁ ଚିଠି ଲେଖିଲେ। ଟେଲିଫୋନ୍‌ରେ ପ୍ରଥମ ଶବ୍ଦ ‘ହେଲୋ’ କହିବା ଦରକାର ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଥିଲେ। ଏହା ପରେ ଯେତେବେଳେ ଥୋମାସ୍ ପ୍ରଥମ ଥର ଫୋନ୍ କଲେ ସେତେବେଳେ ସେ ‘ହେଲୋ’ ବୋଲି କହିଥିଲେ। ଏହା ପରଠାରୁ ସମସ୍ତେ ଫୋନ୍‌ ଉଠାଇବା ମାତ୍ରେ ‘ହେଲୋ’ କହିବା ଆରମ୍ଭ କଲେ ଯାହାକି ଏବେ ଅଭ୍ୟାସରେ ପରିଣତ ହୋଇଯାଇଛି।

ଅକ୍ସଫୋର୍ଡ ଇଂରାଜି ଡିକ୍ସିନାରି ଅନୁସାରେ, ‘ହେଲୋ’ ଶବ୍ଦଟି ପୁରୁଣା ଜର୍ମାନୀ ଶବ୍ଦ ‘ହୋଲା’ରୁ ଆସିଛି। ଏହାର ଅର୍ଥ ହେଉଛି ‘କେମିତି ଅଛ’। ଏହି ଶବ୍ଦ ଅପଭ୍ରଂଶ ହୋଇ ପରେ ‘ହେଲୋ’ ଶବ୍ଦରେ ପରିଣତ ହୋଇଥିବା ଅନୁମାନ କରାଯାଏ।

Comment