ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। କିନ୍ତୁ ବିବାହ କରିବାକୁ ଜିଦ୍ କରିବାରୁ ପ୍ରତାରଣା କଲେ ପ୍ରେମିକ। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗାଁର ଜଣେ ଯୁବତୀ। ନ୍ୟାୟ ପାଇଁ ସମ୍ପୃକ୍ତ ଯୁବତୀଜଣକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରସ୍ଥ ହୋଇଛନ୍ତି। ତେବେ ଏସ୍‍ପିଙ୍କ ଭେଟ ନପାଇ ଏଏସ୍‌ପିଙ୍କ ନିକଟରେ ସେ ଅଭିଯୋଗପତ୍ର ଦାଖଲ କରିଥିବା ସୂଚନା ମିଳିଛି।

ଘଟଣାରୁ ପ୍ରକାଶ, ପିଙ୍କି ଶବର(ଛଦ୍ମନାମ) ଦୀର୍ଘଦିନ ହେଲା ମୁମ୍ବାଇରେ କାମଧନ୍ଧା କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଚଳିତ ମାସ ୧ ତାରିଖରୁ ପିଙ୍କି ଏକ ଆପାର୍ଟମେଣ୍ଟରେ ଅନ୍ୟଜଣେ ମହିଳାଙ୍କ ସହ ରହୁଥିଲେ। ଗତ ୪ ତାରିଖ ଦିନ ଅଭିଯୁକ୍ତ ଯୁବକଜଣକ ମୁନିଗୁଡ଼ାରୁ ମୁମ୍ବାଇ ଯାଇଥିଲେ। ପିଙ୍କି ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚି ନିଜକୁ ପିଙ୍କିଙ୍କ ଭାଇ ବୋଲି ପରିଚୟ ଦେଇଥିଲେ।

ତେବେ ପିଙ୍କି ସେହି ଯୁବକଙ୍କୁ ଜାଣିଥିବାରୁ ତାଙ୍କୁ ନିଜ ଘରେ ରହିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଏହାର ଫାଇଦା ନେଇ ଅଭିଯୁକ୍ତ ଜଣକ ପିଙ୍କିଙ୍କୁ ଦୀର୍ଘ ୧୦ରୁ ୧୨ ଦିନ କାଳ ଦୁଷ୍କର୍ମ କରି ଚାଲିଥିଲେ। ପିଙ୍କି ଏହାକୁ ବାରମ୍ବାର ବିରୋଧ କରିବାରୁ ଯୁବକଜଣକ ତାଙ୍କୁ ଧମକଚମକ ଦେବା ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।

ବିବାହ ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଅଭିଯୁକ୍ତ ପିଙ୍କିଙ୍କୁ ଭୁବନେଶ୍ୱର ଆଣିଥିଲେ। ସେଠାରେ ମଧ୍ୟ ଯୁବକଜଣକ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ପିଙ୍କି ମୁମ୍ବାଇରେ ଯେଉଁ ମହିଳାଙ୍କ ସହିତ ରହୁଥିଲେ ସେହି ମହିଳାଜଣକ କୌଣସି ଅଘଟଣର ଆଭାସ ପାଇ ପିଙ୍କିଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ।

ଏନେଇ ଙ୍କ ବାପା ସ୍ଥାନୀୟ ମୁନିଗୁଡ଼ା ଥାନାରେ ଏକ ନିଖୋଜ ମାମଲା ଦାଏର କରିଥିଲେ। ଗତ ୧୯ ତାରିଖ ଦିନ ଟ୍ରେନ ଯୋଗେ ଉଭୟ ପିଙ୍କି ଓ ଅଭିଯୁକ୍ତ ଯୁବକ ମୁନିଗୁଡ଼ାରେ ପହଞ୍ଚିବା ପରେ ପୋଲିସ ଯୁବକଙ୍କୁ ଅଟକ ରଖିଛି।ଅନ୍ୟପଟେ ସମ୍ପୃକ୍ତ ଯୁବକ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ଏନେଇ ସେ ମୁନିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଥାନା ଏଏସ୍‌ଆଇ ଚନ୍ଦ୍ରମା ଶବର ସମ୍ପୃକ୍ତ ପୀଡ଼ିତାଙ୍କ ଏଫ୍‌ଆଇଆର୍ ଦାଏର ନକରି ପୀଡ଼ିତାଙ୍କୁ ନିଜ ବୟାନ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି।

ତେଣୁ ସମ୍ପୃକ୍ତ ଏଏସ୍‌ଆଇ ଏଭଳି ନକରି ତୁରନ୍ତ ମାମଲା ଦାଏର କରିବା ସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୀଡ଼ିତାଙ୍କ ପରିବାର ଲୋକେ ଏସ୍‌ପିଙ୍କ ନିକଟରେ ଦାବି କରିଛନ୍ତି।

Comment