ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର: କେନ୍ଦ୍ର ସରକାର ନୂତନ ଭାବେ ପ୍ରଣୟନ କରିଥିବା କୃଷି ଆଇନକୁ ବିରୋଧ କରିଛି କୃଷକ କଲ୍ୟାଣ ମଞ୍ଚ କୋରାପୁଟ। ଏନେଇ ଆଜି ସମସ୍ତ ଚାଷୀମାନେ ଏକତ୍ରିତ ହୋଇ ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ-ଜିଲାପାଳଙ୍କ ଦାୟିତ୍ୱରେ ଥିବା ପିଏ ଆଇଟିଏ ଗୋପିନାଥ ସାରକାଙ୍କୁ ମଞ୍ଚ ତରଫରୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।
ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବରୁ ଯେପରି ଏମଏସପି ଥିଲା ତାହା ବଳବତ୍ତର ରହିବ କିନ୍ତୁ ସରକାରୀ ସଂସ୍ଥା କୃଷି ଜାତ ଦ୍ରବ୍ୟ କ୍ରୟ ନକଲେ ଏମଏସପିର କୌଣସିମାନେ ରହିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କୃଷକ ସେମାନଙ୍କ ଉତ୍ପାଦିତ ଶସ୍ୟ ଯେପରି ଖୋଲବଜାରରେ ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ ତାହା କଟକଣା ମୁକ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ମଞ୍ଚ ତରଫରୁ ଦିଆଯାଇଥିବା ୭ ଦଫା ଦାବିପତ୍ରରେ କରାଯାଇଥିବା ଦାବିଗୁଡ଼ିକ ହେଲା ସରକାର କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଚାଷୀଙ୍କ ଆୟ କିପରି ଦ୍ୱିଗୁଣିତ ହେବ ତାହା ପ୍ରତି ପ୍ରାଥମିକତା ଦିଆଯାଉ, ସ୍ୱାମୀନାଥନ କମିଟି ସୁପାରିସ ତୁରନ୍ତ ଲାଗୁ କରାଯାଉ,କୃଷିକୁ ଶିଳ୍ପର ମାନ୍ୟତା ଦିଆଯାଉ, କୃଷକମାନଙ୍କ ଆତ୍ମହତ୍ୟା ଯେପରି ବନ୍ଦ ହେବ ଓ ଅନ୍ନଦାତା ସମାଜରେ ଅନ୍ୟ ବର୍ଗର ଲୋକଙ୍କ ପରି ସ୍ୱାଭିମାନ ଓ ଆତ୍ମସମ୍ମାନର ସହିତ ବଞ୍ଚିପାରିବେ ତାହା ପ୍ରତି ଚିନ୍ତା କରାଯାଇ କାର୍ଯ୍ୟ କରାଯାଉ, କ୍ରେତା, ବ୍ୟବସାୟୀମାନେ ଅନ୍ତତଃ ଏମଏସପିଠାରୁ କମ ଦରରେ ଯେପରି କୃଷିଜାତ ପଦାର୍ଥ ସଂଗ୍ରହ ନକରନ୍ତି ସେଥିପ୍ରତି ଆଇନର ବ୍ୟବସ୍ଥା କରାଯାଉ ଆଦି ଦାବି ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ, ମନୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


















