ଓଡ଼ିଶାଲାଇଭ୍ ବ୍ୟୁରୋ

‘ସୌଭାଗ୍ୟ’ ଯୋଜନାରେ ଅନିୟମିତତା ଅଭିଯୋଗରେ ଜୟପୁର ସାଉଥ କୋର ଅଧିକ୍ଷଣ ଯନ୍ତ୍ରୀଙ୍କ କାଯ୍ୟାଳୟ ଘେରାଉ କରିଛି ପବ୍ଲିକ୍ ରାଉଟ୍‌ ଆସୋସିଏସନ। ଆସୋସିଏସନର ସଭାପତି ଦେବେନ୍ଦ୍ର ବାହିନିପତିଙ୍କ ନେତୃତ୍ୱରେ ଘେରାଉ କରାଯାଇ ଦାବି ପତ୍ର ପ୍ରଦାନ କରାଯାଇଛି। ଅଧିକ୍ଷଣ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ କୁମାର ଗୌଡ଼ଙ୍କୁ ଦାବି ପତ୍ର ଦିଆଯାଇଥିବା ସୂଚନା ମିଳିଛି।

ଆସୋସିଏସନର ସଭାପତି ଦେବେନ୍ଦ୍ର ବାହିନିପତି ଅଭିଯୋଗ କରିଛନ୍ତି ଯେ, ‘ସୌଭାଗ୍ୟ’ ଯୋଜନାରେ ଉପଭୋକ୍ତାଙ୍କୁ ଠିକ ସମୟରେ ବିଲ୍ ଦିଆଯାଉନାହିଁ। ୬ ମାସ, ୧ ବର୍ଷର ବିଲ୍ ଏକା ସହିତ ଦିଆଯାଉଛି। ସେମାନେ ଗରିବ ଶ୍ରେଣୀର ହୋଇଥିବା ବେଳେ ଏକା ସହିତ କିପରି ବିଲ୍ ପୈଠ କରିବେ ବୋଲି ସେ ଅଭିଯୋଗ କରିଛନ୍ତି।

ଅପର ପକ୍ଷରେ, ଲୋକଙ୍କୁ ବ୍ୟବହାରଠାରୁ ଅଧିକ ବିଲ୍ ଦିଆଯାଉଛି। ବିଦ୍ୟୁତ ସଂଯୋଗ ନଥିବା ବକ୍ତିଙ୍କ ନାମରେ ବିଲ୍ ଆସୁଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଆସୋସିଏସନ ପକ୍ଷରୁ ଦାବି ହୋଇଛି।

ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ‘ସୌଭାଗ୍ୟ’ ଯୋଜନା ମାଧ୍ୟମରେ ବିଜୁଳି ସଂଯୋଗ ପାଇଥିବା ହିତାଧିକାରୀଙ୍କ ଘରେ ମିଟର ସଂଯୋଗ ନକରି ମନଇଚ୍ଛା ଏବଂ ଏକକାଳୀନ ବିଜୁଳି ବିଲ୍ ପ୍ରଦାନ କରାଯାଉଛି। ଫଳରେ ଉପଭୋକ୍ତାମାନେ ଆର୍ଥକ ସସମ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ହିତାଧିକରୀଙ୍କ ଘରେ ମିଟର ଲଗାଯାଇ ବକେୟା ଥିବା ସମସ୍ତ ବିଜୁଳି ବିଲ୍ ଛାଡ଼ କରାଯାଉ, ନଚେତ୍ କିସ୍ତିରେ ବିଜୁଳି ଦର ଆଦାୟ କରାଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।ବିଜୁଳି ବିତରକ କମ୍ପାନିର ପ୍ରସ୍ତାବିତ ୟୁନିଟ୍ ପିଛା ୨୦ ପଇସା ଦରବୃଦ୍ଧିକୁ ଆସୋସିଏସନ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି। ଏହି ଘେରାଉ ସମୟରେ ଅମର ଲାଲା ଆହୁଜା, ନରସିଂହ ନାୟକ, ସିମାଞ୍ଚଳ ସୁଆର, କନ୍ଦର୍ପ ପାଣିଗ୍ରାହୀ, ସାହେବ ମହାରଣା, ଅନିଲ ମିଶ୍ର, ରାଜେନ୍ଦ୍ର ପାତ୍ର, ରମେଶ ବିଶୋଇ, ଗୌର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comment