ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ବଢ଼ିବାରେ ଲାଗିଛି। ବୁଧବାର ଜୟପୁରର ଗୁନେଇପଡ଼ା ଅଞ୍ଚଳରୁ ୩୨୨ କେଜି ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ୍ ଜବତ ହୋଇଛି। ଏହି ଘଟଣାରେ ୨ଜଣକୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରାୟପୁର ଅଞ୍ଚଳର ବିପିନ ମିଶ୍ରା ଓ ଅରୁଣ ଦୁବେ।

ଆନ୍ଧ୍ରପ୍ରଦେଶ ଏନୁଗୁ ଅଞ୍ଚଳରୁ ଲମତାପୁଟ, ଜୟପୁର, ରାୟପୁର ଦେଇ ଉତ୍ତର ପ୍ରଦେଶ ଅଞ୍ଚଳକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।

ଆନ୍ଧ୍ର ପ୍ରଦେଶ ସୀମାନ୍ତ ଏନୁଗୁ ଅଞ୍ଚଳରୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମଙ୍ଗଳବାର କୋରାପୁଟ ଏସ୍‌ପି ମୁକେଶ ଭାମୋ ସୂଚନା ପାଇଥିଲେ। ଏହାପରେ ସେ ନନ୍ଦପୁର ଏସଡିପିଓଙ୍କୁ ସୂଚନା ଦେଇଥିଲେ। ଏସ୍‌ପିଙ୍କ ସୂଚନା ଆଧାରରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଗୁନେଇପଡ଼ା ଅଞ୍ଚଳରରେ ରାତ୍ରି ପାଟ୍ରୋଲିଂ କରିଥିଲେ। ଏହି ସମୟରେ ଏନୁଗୁ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଗୁନେଇପଡ଼ା ନିକଟସ୍ଥ ଶିବ ମନ୍ଦିର ଛକରେ ଅଟକାଇ ଯାଞ୍ଚ କରିଥିଲା ପୋଲିସ। ଟ୍ରକରୁ ପ୍ରାୟ ୩୨୧କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରିଥିଲା। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି।

 

Comment