ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବରିଷ୍ଠ ରାଜସ୍ୱ ସହକାରୀ ତଥା ଭାରପ୍ରାପ୍ତ ପଞ୍ଚାୟତ ସମିତି ଉନ୍ନୟନ ବିଭାଗର କିରାଣୀ। ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ମିଳିତ ଭିଜଲାନ୍ସ ଟିମ ଚଢ଼ାଉ କରି ହେପାଜତକୁ ନେଇଛି।
କାଶୀପୁର ବ୍ଲକ କାର୍ଯ୍ୟାଳୟ ଉନ୍ନୟନ ବିଭାଗରେ କିରାଣୀ ରୂପେ ପ୍ରକାଶ କୁମାର ସାହୁ ଦୀର୍ଘଦିନ ଧରି କାର୍ଯ୍ୟରତ ଥିଲେ। ମଙ୍ଗଳବାର କାର୍ଯ୍ୟାଦେଶ ପ୍ରଦାନ ନାଁରେ ଅଭିଯୋଗକାରୀ ବ୍ୟକ୍ତିଙ୍କଠୁ ଲାଞ୍ଚ ନେଉଥିବାବେଳେ କିରାଣୀ ଜଣକ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି।
ବିଧାୟକ ପାଣ୍ଠିରୁ ଡଙ୍ଗାସିଲ ଗ୍ରାମଠାରେ ବିଶ୍ରାମ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରେରଣ କରିବା ନିମନ୍ତେ ଚାରିହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଥିଲେ। ଡଙ୍ଗାସିଲ ଗ୍ରାମରେ ବିଶ୍ରାମଗାର ନିର୍ମାଣ ସକାଶେ ଗ୍ରାମବାସୀ ସ୍ଥାନୀୟ ବିଧାୟକଙ୍କୁ କହିବା ପରେ ବିଧାୟକ ତାଙ୍କ ପାଣ୍ଠିରୁ ଚାରିଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହାର ନିର୍ମାଣ ସକାଶେ ବିଳାସ ନାୟକ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟାଦେଶ ନପାଇ ହତାଶ ହୋଇ ଫେରୁଥିଲେ। ତେବେ କାର୍ଯ୍ୟାଦେଶ ପାଇବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ କିରାଣୀ ତାଙ୍କୁ ପାଞ୍ଚ ହଜାର ଟଙ୍କା ପିସି ଦେବାକୁ କହିଥିଲେ। ପୂର୍ବରୁ ବିଳାସ ନାୟକ କିରାଣୀ ପ୍ରକାଶ କୁମାର ସାହୁଙ୍କୁ ଏକ ହଜାର ଟଙ୍କା ଦେଇଥିଲେ। ବାକି ଚାରି ହଜାର ଟଙ୍କା ପରେ ଦେବାକୁ କହିଥିଲେ। ଏହି ସମୟ ମଧ୍ୟରେ ବିଳାସ ନାୟକ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ମାମଲା ରୁଜୁ କରିଥିଲେ। ଅଭିଯୋଗକୁ ଆଧାର କରି ଲାଞ୍ଚୁଆ କିରାଣୀକୁ କାବୁ କରିବା ସକାଶେ କଳାହାଣ୍ଡି ଓ ରାୟଗଡ଼ାର ମିଳିତ ୧୦ଜଣିଆ ଭିଜିଲାନ୍ସ ଟିମ ଗଠନ ହୋଇଥିଲା। ଯୋଜନା ମୁତାବକ ବିଳାଶ ନାଏକ କାଶୀପୁର ପଞ୍ଚାୟତସମିତି କାର୍ଯ୍ୟାଳୟକୁ କାର୍ଯ୍ୟାଦେଶ ଆଣିବା ପାଇଁ ଯାଇଥିଲେ। ସେଠାରେ ପଞ୍ଚାୟତସମିତି ଉନ୍ନୟନ ବିଭାଗର କିରାଣି ପ୍ରକାଶ କୁମାର ସାହୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜଲାନ୍ସର ମିଳିତ ଟିମ ଚଢାଉ କରି କିରାଣୀକୁ କାବୁ କରିଥିଲେ। ଏଥିସହିତ ତାଙ୍କଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଥିଲା। ଏହାପରେ ଅଧିକ ଖୋଳତାଳ ପାଇଁ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଭିଯୁକ୍ତ କିରାଣୀକୁ ଅଧିକ ପଚାରଉଚରା କରାଯାଉଥିବା ରାୟଗଡ଼ା ଭିଜିଲାନ୍ସ ଡ଼ିଏସପି ଏପି ମଲ୍ଲିକ ସୂଚନା ଦେଇଛନ୍ତି।

Comment