ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।
ଓଡ଼ିଆ ଓ ଓଡ଼ିଶା (୩୧)
ମଣିଷର ଅସ୍ଥିରତାରୁ ଭାବ ଉତ୍ପନ୍ନ ହୁଏ। ଆମର ସାଧାରଣ ଚଳଣିରେ ବ୍ୟାଘାତ ହେଲେ ଭାବର ଉତ୍ପତ୍ତି ହୁଏ ଏବଂ ଆମେ ଉତ୍ତେଜିତ ହୋଇଥାଉ। ସ୍ଵାଭାବିକ ଭାବରେ ଆମ ଭିତରେ ଉତ୍ତେଜନା ନଥାଏ। ଅନ୍ୟପକ୍ଷରେ ସ୍ଵର ଆମର ସ୍ଥିରତାର ପ୍ରତୀକ। ଆମର ସ୍ଵାଭାବିକତାର ମାଧୁର୍ଯ୍ୟ ହେଲା ଆମର ସ୍ଵର। “ସ୍ଵର ଭିତରେ ଠାକୁର ଅଛି” ବୋଲି ଓଡିଆ ପ୍ରବାଦ ଅଛି। ଜୀବନରେ ମଧୁରତା ଆଣିବା ଅନେକ ସମୟରେ ଅସମ୍ଭବ ଜଣାପଡୁଥିଲେ ହେଁ ସଂସାର ଯେ’ “ମଧୁମୟ” ତା ପୁରୁଣା ଅଧିବାସୀ ଆବିଷ୍କାର କରିଥିଲେ। ପ୍ରକୃତିର ପ୍ରଶାନ୍ତିରେ ସ୍ଵଚ୍ଛନ୍ଦ ଜୀବନ ଯାପନ କଲେ ଏ ମଧୁରତା କିଛି ପରିମାଣରେ ହୃଦୟଙ୍ଗମ କରାଯାଇପାରେ। ଏହି ମଧୁରତା ଭିତରେ ରହିଛି ମଣିଷର ସ୍ଵର।
ମଣିଷର ଯେପରି ସ୍ଵର ଅଛି, ପ୍ରକୃତିର ମଧ୍ୟ ସେ’ପରି ସ୍ଵର ଅଛି। ଗଛ, ପାହାଡ, ନଈ, ଜହ୍ନ, ସୂର୍ଯ୍ୟ – ସମସ୍ତଙ୍କର ସ୍ଵର ଅଛି। ସ୍ଵାଭାବିକ ଭାବରେ ସମସ୍ତେ ଆପଣା ଆପଣା କାର୍ଯ୍ୟରେ ବ୍ୟସ୍ତ। କାହାରି କାହା ସାଙ୍ଗରେ ପ୍ରତିଦ୍ଵନ୍ଦିତା ନାହିଁ, ତେଣୁ ଉତ୍ତେଜନା ନାହିଁ। ଫଳ ଚାହୁଁଛି କେହି ତାକୁ ଗ୍ରହଣ କରୁ, ନଈ ଚାହୁଁଛି କେହି ତା’ପାଣି ପିଇ ତୃଷା ନିବାରଣ କରୁ, ଆଉ ମଣିଷ ଚାହୁଁଛି ଜଗତ ହିତକାରୀ ରହୁ। ଏହି ପରହିତ ହେଲା ମଧୁରତା, ପରହିତ ହେଲା ପ୍ରକୃତିର ସ୍ଵର।
ସମସ୍ତେ ଆପଣାର ହୋଇ ନିଜ ନିଜର ସ୍ଵାଧୀନ ମନ ନେଇ ନିଜ କାର୍ଯ୍ୟରେ ଲିପ୍ତ ରହିବା ହେଲା ଜଗତର ମଧୁରତା। ଏ’ମଧୁରତାର ଉତ୍ସ ହେଲା “ଆନନ୍ଦ” – ଏହା ମଣିଷର “ଅସ୍ତିତ୍ଵଗତ” ଭାବ। ଏ’ଆନନ୍ଦର ପ୍ରକାଶ ହେଲା ଆମର ସ୍ଵର। ଆମର ସ୍ଵର ମାଧ୍ୟମରେ ଅନ୍ୟକୁ ଆନନ୍ଦ ଦେଇ ପାରିବାର ଅଧିକାର ଆମର ଅଛି। ପୃଥିବୀର ଆନନ୍ଦର ପରିପ୍ରକାଶ ଆମର ହୃଦୟରୁ ଆମର ସ୍ଵର ଭାବରେ ପ୍ରକଟିତ ହୁଏ।
ତେବେ ଏ’ଆନନ୍ଦ କେବଳ ମଣିଷଠାରେ ସୀମିତ ନୁହେଁ। ପଶୁ, ପକ୍ଷୀ, କୀଟ, ପତଙ୍ଗ, ସର୍ପ- ସମସ୍ତଙ୍କର ଆନନ୍ଦ ଧ୍ଵନି ଅଛି। କିନ୍ତୁ ଶରୀର ଗଠନର ଆକୃତି ଫଳରେ ସେମାନଙ୍କର ସ୍ଵର ମଣିଷ ସ୍ଵରଠାରୁ ଅଲଗା। ଏହିସ୍ଵରମାନଙ୍କୁ ଅନୁକରଣ କରିପାରିବାର ଶକ୍ତି ମଣିଷର କଣ୍ଠରେ ଅଛି। ଏଥିରୁ ଆମର କଣ୍ଠର ଉଚ୍ଚ ଓ ନୀଚ ସ୍ଵର ପ୍ରକାଶିତ ହୁଏ। ସାମୂହିକ ଭାବରେ ଏହି ଉଚ୍ଚ ଓ ନୀଚ ସ୍ଵର ଅନୁକରଣ କରି ଆମେ ସଂଗୀତ ସୃଷ୍ଟି କରିଥାଉ , ଯାହାକି ପବନର ସ୍ଵର, ନଈର ସ୍ଵର,କି ସୂର୍ଯ୍ୟର ସ୍ଵର। ଆମର କଣ୍ଠର ସ୍ଵର ଯନ୍ତ୍ର ସାଧନା କରି ସ୍ଵରର ଉତ୍ତୋଳନ ଏବଂ ଅବତରଣ ଜରିଆରେ ଆନନ୍ଦ ଅନୁଭୂତି ସୃଷ୍ଟି କରିବା ହେଲା ସଂଗୀତ।
ସଂଗୀତ ତିଆରି କରିବାକୁ ଛନ୍ଦର ଆବଶ୍ୟକତା ହୁଏ। ଛନ୍ଦ କେବେ ସୃଷ୍ଟି ହେଲା–ତା’ ଆମେ କହିପାରିବା ନାହିଁ। ଆନନ୍ଦ ମନରେ ଆକାଶକୁ ଦେଖି ଆକାଶର ସ୍ଵର ଉପଲବ୍ଧି କରିବା ହେଲା ଛନ୍ଦ। ସେହିପରି ପାହାଡର ଛନ୍ଦ, ବା ନଈର ଛନ୍ଦ। ସ୍ଵାଭାବିକ ଭାବରେ ଆମେ ହ୍ରସ୍ଵ ଓ ଦୀର୍ଘ ସ୍ଵର ଉଚ୍ଚାରଣ କରିଥାଉ। ଏହା ଭିତରେ ଆମର ନିଃଶ୍ଵାସର ନିୟମ ଅଛି। ତେଣୁ ଆମର ଛନ୍ଦର ଅବଧି ଆମର ନିଃଶ୍ଵାସର ନିୟମରୁ ନିୟନ୍ତ୍ରିତ ହେବାର ଆବଶ୍ୟକତା ଅଛି।
ପ୍ରକୃତିର ସ୍ଵର ଅଛି କହିବା ଅର୍ଥ ହେଉଛି – ପ୍ରକୃତି ଜୀବନ୍ତ। ଗଛ, ପାଣି, ପାହାଡ, ଚନ୍ଦ୍ର, ସୂର୍ଯ୍ୟ – ସମସ୍ତେ ଜୀବନ୍ତ। ଏମାନଙ୍କର ସ୍ଵର ଆମେ ଶୁଣିପାରିବା, ଆଉ ଆମର ସ୍ଵର ସେମାନେ ଶୁଣିପାରିବେ। ତା’ର ଅର୍ଥ ବର୍ଷା, ପବନ, ନିଆଁ ବା ସମୁଦ୍ର – ଏମାନଙ୍କର କ୍ରିୟାକର୍ମକୁ ଆମେ ଛନ୍ଦମାଧ୍ୟମରେ ସ୍ଵରରେ ଗାଇପାରିବା। ଏହା ହେଲା ସଂଗୀତ। ଏ’ସଂଗୀତରେ ଏ’ସବୁ ପ୍ରାକୃତିକ ଦୃଶ୍ୟର ହୃଦ୍ବୋଧ ଆମଭିତରେ ହୋଇପାରେ। ତେଣୁ ଛନ୍ଦକୁ ଆହୁରି ସଂଗଠିତ କରାଯାଇପାରେ।
ଓଡିଆ ଭାଷା ଓ ଓଡିଆ ସାହିତ୍ୟ ଛନ୍ଦ ପ୍ରଧାନ। କୃଷି ପ୍ରଧାନ ଓ ପ୍ରାକୃତିକ ପରିବେଶର ଦେଶ ହୋଇଥିଲା ଫଳରେ ଓଡିଆର ବର୍ଣ୍ଣନା ଶୈଳୀ ମଣିଷର ପ୍ରକୃତି ସହ ସଂଯୋଗର କାହାଣୀ। ମଣିଷ ବାଦଲକୁ ଡାକିପାରେ, ସୂର୍ଯ୍ୟକୁ ନମସ୍କାର କରେ, ଗଛକୁ ପୂଜା କରେ, ପଥର ଓ କାଠରେ ଜୀବନ ଦେଖିଥାଏ। ଏ’ସବୁ ସହ କଥା ହେବାର ମାଧ୍ୟମ ହେଲା ଆମର ସ୍ଵର। ଆମର ପ୍ରତ୍ୟୟ ଯେ’ ସେମାନେ ଆମକୁ କିଛି କହୁଛନ୍ତି। ତେଣୁ ସୂର୍ଯ୍ୟ ଉଇଁବାଠାରୁ ଘଡଘଡି ଗର୍ଜନ ପର୍ଯ୍ୟନ୍ତ ସବୁକିଛି ମଣିଷର ଆନନ୍ଦର ସ୍ରୋତ ଏବଂ ସେଥିରୁ ଛନ୍ଦ ସାହିତ୍ୟ ସୃଷ୍ଟି ହୋଇଛି। ଏ ଛନ୍ଦ ସାହିତ୍ୟ ଆମେ ଆଗରେ ଆଲୋଚନା କରିବା।
ପ୍ରାକୃତିକ ସ୍ଵର ସହ ସଂଗୀତର ଭାବକୁ ଆମର ଭାଷାରେ “ରସ” ବୋଲି ନାମକରଣ କରାହୋଇଅଛି। ଓଡିଆ ସଂଗୀତ ଓ ସାହିତ୍ୟ ବିଶ୍ଳେଷଣରେ ରସ ସମ୍ବନ୍ଧୀୟ ଗବେଷଣାର ପ୍ରାଚୁର୍ଯ୍ୟଅଛି। ଆମ ଠାକୁର ଶ୍ରୀଜଗନ୍ନାଥଙ୍କୁ “ରସାନନ୍ଦୀ” ବୋଲି ସମ୍ବୋଧନ କରାଯାଇଥାଏ। ଓଡିଶା ଦେଶ ଭାରତବର୍ଷର ରସ ସାହିତ୍ୟର ଏକ ମୌଳିକ ପୃଷ୍ଠପୋଷକ। ପୁରୀର ଚତୁର୍ଦ୍ଦଶ ଶତାବ୍ଦୀ ପଣ୍ଡିତ ବିଶ୍ଵନାଥ କବିରାଜଙ୍କର “ସାହିତ୍ୟଦର୍ପଣ” ରସ ଗବେଷଣାର ସର୍ବୋତ୍କୃଷ୍ଟ ଗ୍ରନ୍ଥ।
ରସ ଶବ୍ଦର ମୂଳ ପ୍ରୟୋଗ “ସ୍ଵାଦ”ରୁ। ମଧୁର, ତିକ୍ତ, ଅମ୍ଳ, ଲବଣ, ବା କଟୂସ୍ଵାଦ ବିଭିନ୍ନ ଫଳମାନଙ୍କରୁ ଗ୍ରହଣ କରାଯାଏ। ଏମାନେ ବିଭିନ୍ନ ପ୍ରକାରେ ଆମକୁ ଆନନ୍ଦ ଦେଇଥାନ୍ତି। ଏମାନଙ୍କର ରସାୟନ ପ୍ରୟୋଗ ଆମର ସ୍ଵାସ୍ଥ୍ୟ ରକ୍ଷାରେ ସାହାଯ୍ୟ କରେ। ଏ’ସବୁ ହେଲେ ପ୍ରକୃତିର ରସ ଏବଂ ସେହିରସକୁ ଆମେକଣ୍ଠରେ ପ୍ରକାଶ କରିପାରିଲେ ଆନନ୍ଦ ଭାବ ସଞ୍ଚାରିତ ହୁଏ। ଏ’ଆନନ୍ଦ ଆମର କଣ୍ଠର ପ୍ରକୃତି ସହସାନ୍ନିଧ୍ୟ ଏବଂ ପୂର୍ଣ୍ଣ ସମର୍ପଣରୁ ଉତ୍ପନ୍ନ ହୋଇଥାଏ।
(କ୍ରମଶଃ)