ଓଡ଼ିଶାଲାଇଭ୍ ବ୍ୟୁରୋ
କିଙ୍ଗ୍ ଖାନ୍ ଶାହାରୁଖଙ୍କ ଝିଅ ସୁହାନା ଖାନ୍ ସବୁବେଳେ ନିଜର ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ସେଆର୍ କରୁଥିବା ତାଙ୍କର ସମସ୍ତ ଫୋଟକୁ ଲକ୍ଷ ଲକ୍ଷ ଲୋକ ଲାଇକ୍ କରିଥାନ୍ତି। ହେଲେ ବର୍ତ୍ତମାନ ଇନଷ୍ଟାଗ୍ରାମରେ ତାଙ୍କର ଏକ ଲେଖାକୁ ନେଇ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି।
ସୁହାନା ତାଙ୍କର ଏହି ପୋଷ୍ଟରେ ବର୍ଣ୍ଣବୈଷମ୍ୟ କଥାକୁ ଉଠାଇଛନ୍ତି। ତାଙ୍କର ଦେହର ରଙ୍ଗ ଶ୍ୟାମଳ ହୋଇଥିବା କାରଣରୁ ଅନେକ ଲୋକ ତାଙ୍କୁ କିପରି ଅସଭ୍ୟ ବ୍ୟବହାର କରୁଛନ୍ତି ସେ ନେଇ ଇନଷ୍ଟାଗ୍ରାମରେ ସୁହାନା ଲେଖିଛନ୍ତି।
ସୁହାନା ଲେଖିଛନ୍ତି ଯେ, “ଏବେ ବହୁତ କିଛି ଚାଲିଛି ଏବଂ ଏହା ଏପରି ଏକ ଘଟଣା ଯାହାକୁ ଆମେ ଠିକ୍ କରିବା ଦରକାର। ଏହା କେବଳ ମୋ କଥା ନୁହେଁ ବରଂ ସବୁ ପୁଅ ଝିଅଙ୍କର କଥା। ମୋ ଦେହର ରଙ୍ଗ ଶ୍ୟାମଳ ହୋଇଥିବାରୁ ମୋତେ ୧୨ ବର୍ଷ ବୟସରୁ ଏଭଳି ଅନେକ କଥା ଶୁଣିବାକୁ ମିଳିଛି। ମୁଁ ଅସୁନ୍ଦର ବୋଲି ଅନେକ ଲୋକ କହିଛନ୍ତି।”ଏଥିସହିତ ସୁହାନା ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଲୋକଙ୍କ ମତରେ ଯଦି ତୁମର ଉଚ୍ଚତା ୫ ଫୁଟ୍ ୭ ଇଞ୍ଚରୁ କମ୍ ଏବଂ ଦେହର ରଙ୍ଗ ଶ୍ୟାମଳ ତେବେ ତୁମେ ସୁନ୍ଦର ନୁହଁ। ହେଲେ ତାଙ୍କର ଉଚ୍ଚତା ୫ ଫୁଟ୍ ୩ ଇଞ୍ଚ ଓ ଦେହର ରଙ୍ଗ ଶ୍ୟାମଳ ଏବଂ ଏହାକୁ ନେଇ ସେ ବେଶ୍ ଖୁସି ବୋଲି ସୁହାନା ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି।
ଅସଲ କଥା ହେଉଛି, ସୁହାନାଙ୍କ ଦେହର ରଙ୍ଗ ଶ୍ୟାମଳ ହୋଇଥିବାରୁ ତାଙ୍କୁ ସୋସିଆଲ୍ ମିଡିଆରେ ଅନେକ ଲୋକ କଳା ବୋଲି ଆକ୍ଷେପ କରୁଛନ୍ତି। ହେଲେ ଏହାକୁ ନେଇ ସେ ଚୁପ୍ ରହିବା ବଦଳରେ ସେହି ଲୋକଙ୍କୁ ଏଭଳି ଢଙ୍ଗରେ ଜବାବ୍ ଦେଇଛନ୍ତି।