କମଳାକାନ୍ତ ପତି

ଅତିମାରୀ କରୋନା ଉଜାଡ଼ି ଦେଇଛି ଅର୍ଥନୀତି। ହ୍ରାସ ପାଇଛି ରାଜସ୍ଵ ସଂଗ୍ରହ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି ଜିଏସ୍‌ଟି କ୍ଷତିପୂରଣ ଓ ମୋରାଟୋରିୟମ୍ ସମୟରେ ଋଣ କିସ୍ତି ଉପରେ ସୁଧ। ଗଭୀର ଚିନ୍ତାରେ ଅର୍ଥ ମନ୍ତ୍ରଣାଳୟ।

ଜିଏସ୍‌ଟି ନେଇ ବାହାରିପାରୁନି ସମାଧାନ ସୂତ୍ର

କରୋନା ଯୋଗୁ ଆର୍ଥିକ କାର୍ଯ୍ୟକ୍ରମ ସ୍ଥାଣୁ ହୋଇଯିବାରୁ ଗତ ଏପ୍ରିଲ୍ ମାସରୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ବାବଦ ରାଜସ୍ଵ ସଂଗ୍ରହ ହ୍ରାସ ପାଇଛି। ଯଦିଓ ସେପ୍ଟେମ୍ବର ମାସରେ ଜିଏସ୍‌ଟି ସଂଗ୍ରହରେ କିଛିଟା ବୃଦ୍ଧି ଆଶାର ସଞ୍ଚାର କରିଛି, କିନ୍ତୁ ରାଜ୍ୟଗୁଡ଼ିକୁ ଏ ବାବଦ କ୍ଷତିପୂରଣ ରାଶି ପ୍ରଦାନ କରିପାରୁନାହିଁ କେନ୍ଦ୍ର। ଜିଏସ୍‌ଟି ପରିଷଦର ୪୧ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଟିକସ ବାବଦ କ୍ଷତି, ଋଣ କରି ଭରଣା ପାଇଁ ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦେଇଥିଲେ।

ପ୍ରାୟ ୨୧ଟି ବିଜେପି ଓ ଏନ୍‌ଡିଏ ଶାସିତ ରାଜ୍ୟ ଅନିଚ୍ଛା ସତ୍ତ୍ଵେ ଅର୍ଥମନ୍ତ୍ରୀଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ମଧ୍ୟ ଅବଶିଷ୍ଟ ରାଜ୍ୟଗୁଡ଼ିକ ଏହାର ପ୍ରତିବାଦ କରି ଋଣ ଦାୟିତ୍ଵ କେନ୍ଦ୍ର ସରକାର ନିଅନ୍ତୁ ବୋଲି ଦାବି ଜଣାଇଥିଲେ। ସୋମବାର ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୪୨ତମ ବୈଠକରେ ସେହି ପ୍ରସଙ୍ଗକୁ ନେଇ ତୁମୁଳ କାଣ୍ଡ ଘଟିଯାଇଛି। ହେଲେ କୌଣସି ସମାଧାନର ରାସ୍ତା ବାହାରିବା ବିନା ବୈଠକ ଶେଷ ହୋଇଛି। ଏନେଇ ଆଲୋଚନା ପାଇଁ ଆସନ୍ତା ସୋମବାର (୧୨ ଅକ୍ଟୋବର) ପୁଣିଥରେ ଜିଏସ୍‌ଟି ପରିଷଦ ବୈଠକ ବସିବ।

କେନ୍ଦ୍ରକୁ ଅଟକାଇଦେଲେ ବିରୋଧୀ ରାଜ୍ୟ

ଜିଏସ୍‌ଟି କ୍ଷତିପୂରଣ ରାଶି ନେଇ କେନ୍ଦ୍ର ସରକାର ନିଜସ୍ଵ ନିଷ୍ପତ୍ତି ରାଜ୍ୟ ସରକାରଗୁଡିକ ଉପରେ ଲଦି ଦେବାର ଯେଉଁ ଉଦ୍ୟମ କରିଥିଲେ ତାହା ବିଫଳ ହୋଇଛି। କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ୧୧ଟି ବିରୋଧୀ ଦଳ ଶାସିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ବିରୋଧ କେନ୍ଦ୍ରର ଏହି ଚାପକୁ ଅଟକାଇ ଦେଇଛି। ପ୍ରତିଶ୍ରୁତି ମୁତାବକ କେନ୍ଦ୍ର ସରକାରଙ୍କୁ ଜିଏସ୍‌ଟି କ୍ଷତିପୂରଣ ଅର୍ଥ ରାଜ୍ୟଗୁଡ଼ିକୁ ଦେବାକୁ ପଡ଼ିବ ବୋଲି ଏହି ରାଜ୍ୟଗୁଡ଼ିକ ଦାବି କରିଛନ୍ତି। ଏପରିକି ସେମାନେ ଏଥିପାଇଁ ବୈଠକରେ ଭୋଟ୍ ହେଉ ବୋଲି ଦାବି କରିଥିଲେ। ଫଳରେ କେନ୍ଦ୍ର ସରକାରଙ୍କୁ ଏବେ ସ୍ଵର ବଦଳାଇବାକୁ ପଡ଼ିଛି।

ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଋଣ କରି କ୍ଷତିପୂରଣ ରାଶି ଭରଣା କରିବା ପ୍ରସଙ୍ଗଟି ଜିଏସ୍‌ଟି ପରିଷଦ ଅଧୀନରେ ଆସୁନାହିଁ, ଏହା ସମ୍ପୂର୍ଣ୍ଣ ରାଜ୍ୟର ପ୍ରସଙ୍ଗ। ତେଣୁ ଏହାକୁ ନେଇ ବୈଠକରେ ଭୋଟ୍ କରାଯାଇପାରିବ ନାହିଁ। ତେବେ ସେସ୍ ବସାଇବାର ଅଧିକାର ଜିଏସ୍‌ଟି ପରିଷଦର ରହିଛି। ତେଣୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ସକାଶେ ନିର୍ଦ୍ଧାରିତ ୫ ବର୍ଷ ପରେ (୨୦୨୨ ଜୁଲାଇ ପରେ) ସେସ୍ ମିଆଦ ବୃଦ୍ଧି କରାଯାଇଛି। କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀର ଜିଏସ୍‌ଟି ଉପରେ ସେସ୍ ଅବ୍ୟାହତ ରଖାଯିବ।

ନିର୍ମଳାଙ୍କ ବିକଳ୍ପ ପ୍ରସ୍ତାବକୁ ନେଇ ବିବାଦ

ଅର୍ଥ ମନ୍ତ୍ରଣାଳୟର ଅଧିକାରୀ କହୁଛନ୍ତି ଋଣ କରି ଜିଏସ୍‌ଟି ବାବଦ କ୍ଷତିପୂରଣ ରାଶି ଭରଣା କରିବା ଏହି ଏକକ ଟିକସ ସମ୍ବିଧାନରେ ନାହିଁ। ଯଦି ତାହା ସତ୍ୟ ତେବେ ଅର୍ଥମନ୍ତ୍ରୀ (ସୀତାରମଣ ରାଜ୍ୟଗୁଡ଼ିକୁ ଏହି ବିକଳ୍ପ ପରାମର୍ଶ ଦେଲେ କାହିଁକି? ୪୧ତମ ଜିଏସ୍‌ଟି ପରିଷଦ ବୈଠକରେ ଅର୍ଥମନ୍ତ୍ରୀ କହିଥିଲେ ଯେ, କରୋନା କାରଣରୁ ରାଜସ୍ଵ ସଂଗ୍ରହ ହ୍ରାସ ପାଇଛି। ତେଣୁ ରାଜ୍ୟଗୁଡ଼ିକୁ ଜିଏସ୍‌ଟି ବାବଦ କ୍ଷତିପୂରଣ ପ୍ରଦାନ ବର୍ତ୍ତମାନ ସମ୍ଭବ ନୁହେଁ। ରାଜ୍ୟଗୁଡ଼ିକୁ ୨ଟି ବିକଳ୍ପ ପ୍ରସ୍ତାବ ଦେଇଥିଲେ ସୀତାରମଣ। ପ୍ରଥମ ପ୍ରସ୍ତାବରେ କହିଥିଲେ ଯେ, ଜିଏସ୍‌ଟି ଯୋଗୁ ଯେଉଁ ଆୟ କମିଛି ସେହି ୯୭ ହଜାର କୋଟି ଟଙ୍କା ରାଜ୍ୟଗୁଡ଼ିକ ଖୋଲା ବଜାରରୁ ଋଣ ଆକାରରେ ଉଠାଇ ପାରିବେ। ଅଥବା ଜିଏସ୍‌ଟି ଏବଂ କରୋନା ପାଇଁ ଯେଉଁ ୨.୩୫ ଲକ୍ଷ କୋଟି ଟଙ୍କା ଆୟ କମିଛି, ତାହା ସମ୍ପୂର୍ଣ୍ଣ ଋଣ ଆକାରରେ ନେଇପାରିବେ।

ବିଜେପି ଏବଂ ଏନ୍‌ଡିଏ ଶାସିତ ୨୧ଟି ରାଜ୍ୟ ନିର୍ମଳାଙ୍କ ପ୍ରଥମ ବିକଳ୍ପକୁ ମାନି ନେଇଥିଲେ ମଧ୍ୟ ଅବଶିଷ୍ଟ ରାଜ୍ୟ ଏହାର ପ୍ରତିବାଦ କରିଥିଲେ। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଋଣ କରିବାକୁ ଚାପ ନ ପକାଇ ନିଜେ ଋଣ କରି କ୍ଷତିପୂରଣ ରାଶି ଭରଣା କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଥିଲେ। ଯାହାକୁ ନେଇ ଉଠିଥିବା ବିବାଦ ଅବ୍ୟାହତ ରହିଛି। ସୋମବାର ରାତିରେ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା କ୍ଷତିପୂରଣ ରାଶି ବଣ୍ଟନ କରିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ।

ତୁଟୁନି ମୋରାଟୋରିୟମ୍ ସମୟ ଋଣ କିସ୍ତି ବିବାଦ

ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର- ରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ କୋଭିଡ୍ କାଳରେ ଋଣ କିସ୍ତି ସ୍ଥଗିତ (ମୋରାଟୋରିୟମ୍) ପ୍ରସଙ୍ଗକୁ ନେଇ ବିବାଦର ଅନ୍ତ ଘଟୁନାହିଁ। କରୋନା ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହୋଇ ଯାଇଥିବାରୁ ସରକାର ବ୍ୟାଙ୍କ୍ ଋଣ କିସ୍ତି ଆଦାୟକୁ ଗତ ମାର୍ଚ୍ଚ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ସେହି ସ୍ଥଗିତ ଋଣ କିସ୍ତିର ସୁଧ ଉପରେ ସୁଧ ଛାଡ଼ ନେଇ ଦାବି ହୋଇଥିଲା। କେନ୍ଦ୍ର ସରକାର ସୁଧ ଉପରେ ସୁଧ ଛାଡ଼ ପାଇଁ ଯେଉଁ ପ୍ରସ୍ତାବ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି, ସେଥିରେ ସର୍ବୋଚ୍ଚ ଅଦାଲତ ସନ୍ତୁଷ୍ଟ ନୁହନ୍ତି।

କାରଣ ଏନେଇ କେନ୍ଦ୍ର ସରକାର ଯେଉଁ ଜବାବ ଦେଇଛନ୍ତି, ସେଥିରେ ବ୍ୟାଖ୍ୟାର ଅଭାବ ରହିଛି। ବିଶେଷକରି କରୋନା କାରଣରୁ ବିଦ୍ୟୁତ୍ ଏବଂ ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ଯେଉଁ ସମସ୍ୟା ଦେଖା ଦେଇଛି ସେ ନେଇ କେନ୍ଦ୍ର ସରକାର ଚିନ୍ତା କରି ନାହାନ୍ତି। ଏପରିକି ଯେଉଁ ଋଣଗ୍ରହିତାମାନେ ମୋରାଟୋରିୟମ୍ ସମୟରେ ଋଣ କିସ୍ତି ପ୍ରଦାନ କରିଚାଲିଥିଲେ ସେମାନଙ୍କ କଥା ମଧ୍ୟ ବିଚାରକୁ ନିଆଯାଇନାହିଁ। ଏଭଳି ପାତର ଅନ୍ତର ମନୋଭାବ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୁଷ୍ଟ।

କାମାଥ କମିଟି ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ମୋରାଟୋରିୟମ୍ କାଳରେ ଅନାଦେୟ ଋଣ କିସ୍ତି ଉପରେ ଚକ୍ରବୃଦ୍ଧି ସୁଧ ଆଦାୟ ପ୍ରସଙ୍ଗରେ ତର୍ଜମା କରି ଦେଖିବା ସକାଶେ କେଭି କାମାଥଙ୍କୁ ନେଇ ଏକ କମିଟି ଗଢ଼ା ଯାଇଥିଲା। ସେହି କମିଟି ତାଙ୍କର ରିପୋର୍ଟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ୍ ନିକଟରେ ଦାଖଲ କରିଛନ୍ତି। ରିପୋର୍ଟରେ କରୋନା କାଳରେ କ୍ଷତିଗ୍ରସ୍ତ ବିଭିନ୍ନ କ୍ଷେତ୍ରକୁ ରିଲିଫ୍ ଦେବା ସକାଶେ ଏକକାଳୀନ ଋଣ ପୁନର୍ଗଠନର ସୁପାରିଶ୍ କରାଯାଇଛି। ଏଥିରେ ୨୬ଟି କ୍ଷେତ୍ରକୁ ଋଣ ପୁନର୍ଗଠନର ସୁବିଧା ଦେବାକୁ କୁହାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ମାତ୍ର ୮ଟି କ୍ଷେତ୍ରରେ ଋଣ କିସ୍ତି ଉପରେ ଚକ୍ରବୃଦ୍ଧି ସୁଧ ଆଦାୟ ନ କରିବା କଥା କହିଛନ୍ତି। ତାହା ପୁଣି ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଲାଗୁ ହେବ।

ଏଥିରେ ରହିଛି କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ ଋଣ, ଗୃହ ଋଣ, ଶିକ୍ଷାଋଣ, ଗାଡି ଋଣ, କ୍ରେଡିଟ୍ କାର୍ଡ ବକେୟା ଓ କେତୋଟି ବିଳାସ ସାମଗ୍ରୀ କ୍ରୟ ଉପରେ ଋଣର କିସ୍ତି ତଥା ବ୍ୟକ୍ତିଗତ ଋଣ। କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ଏହା ମଧ୍ୟ କହିଛନ୍ତି ଯେ, ଏଥିପାଇଁ ବ୍ୟାଙ୍କଗୁଡ଼ିକର ଯାହା କ୍ଷତି ହେବ, କେନ୍ଦ୍ର ସରକାର ଭରଣା କରିବେ।

କାହିଁକି ବାଦ୍ ପଡ଼ିଲା ଅବଶିଷ୍ଟ କ୍ଷେତ୍ର

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଋଣ ପୁନର୍ଗଠନରୁ କାହିଁକି ବାଦ୍ ପଡ଼ିଛନ୍ତି ଅବଶିଷ୍ଟ କ୍ଷେତ୍ର। ବିଶେଷ କରି କରୋନା ଯୋଗୁ ରିୟଲ ଇଷ୍ଟେଟ୍ ଓ ବିଦ୍ୟୁତ୍ କ୍ଷେତ୍ର ବ୍ୟାପକ ପ୍ରଭାବିତ ହୋଇଥିଲେ ମଧ୍ୟ ଋଣ ପୁନର୍ଗଠନ ପ୍ରକ୍ରିୟାରୁ ସେମାନଙ୍କୁ ବାଦ୍ ଦିଆଯାଇଛି କାହିଁକି? ସୁପ୍ରିମକୋର୍ଟଙ୍କର ଏଭଳି ପ୍ରଶ୍ନ କେନ୍ଦ୍ର ସରକାରଙ୍କୁ ଅଡୁଆ ପରିସ୍ଥିତିରେ ପକାଇଛି। ସର୍ବୋଚ୍ଚ ଅଦାଲତ ଆସନ୍ତା ୧୩ରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ସେତେବେଳେ ସରକାରଙ୍କ କାମାଥ କମିଟି ରିପୋର୍ଟ ଏବଂ ଏପର୍ଯ୍ୟନ୍ତ ଜାରି ସମସ୍ତ ବିବୃତ୍ତି ଓ ବିଜ୍ଞପ୍ତି ଅଦାଲତରେ ଦାଖଲ କରିବାକୁ ପଡ଼ିବ। ସୁତରାଂ ଜିଏସ୍‌ଟି କ୍ଷତିପୂରଣ ଏବଂ ମୋରାଟୋରିୟମ୍ କାଳରେ ଅନାଦେୟ ଋଣ କିସ୍ତି ପ୍ରସଙ୍ଗ ସରକାରଙ୍କୁ ଗୋଲକଧନ୍ଦାରେ ପକାଇ ଦେଇଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment