ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଅର ଇଚ୍ଛା ଆହୁରି ଅଧିକ ପାଠ ପଢ଼ିବ। ଏଇ ବର୍ଷ ମେଟ୍ରିକ ପାସ୍ ବି କରିଛି। କଲେଜ ନାମ ଲେଖାଇବାକୁ ମନ ବଳାଇଛି ପୁଅ। ହେଲେ ବାପା କହିଲେ ଏ ବର୍ଷ ଟଙ୍କାପଇସା ନାହିଁ, ଆର ବର୍ଷକୁ ପଢ଼ିବୁ। ବାପାଙ୍କଠାରୁ ଏତିକି ଶୁଣିବା ପରେ ଭାଙ୍ଗି ପଡ଼ିଥିଲା ପୁଅ ଆଉ କେହି ଘରେ ନଥିବା ବେଳେ ଆତ୍ମହତ୍ୟା ଭଳି ଏକ ଘୃଣ୍ୟ କାର୍ଯ୍ୟ କରିବସିଲା।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ। ବାପା କଲେଜରେ ନାମ ଲେଖାଇ ନ ପାରିବାରୁ ଭାଙ୍ଗିପଡ଼ି ଛାତ୍ରଜଣକ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ନାକରୁଣ୍ଡି ପଞ୍ଚାୟତ କେଲୁଆ ଗ୍ରାମର ଶ୍ୟାମ ମାଝିଙ୍କ ପୁଅ ସଞ୍ଜୟ ମାଝି। ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ଦେଇ ପାସ୍ କରିଛନ୍ତି। ଏହାପରେ ଉଚ୍ଚଶିକ୍ଷା କରିବାକୁ ଇଚ୍ଛା ରଖିଥିଲେ ସଞ୍ଜୟ। ଗତ ୬ ତାରିଖରେ ଯୁକ୍ତ ଦୁଇରେ ନାମ ଲେଖାଇ ଦେବାକୁ ବାପାଙ୍କୁ କହିଥିଲେ। ପାଖରେ ଟଙ୍କା ନଥିବାରୁ ଏ ବର୍ଷ ନାମ ନ ଲେଖାଇ ଆର ବର୍ଷକୁ ନାମ ଲେଖାଇଦେବେ ବୋଲି ବାପା କହିଥିଲେ।

ଏହାପରେ ବାପା, ମା ଉଭୟେ ବିଲକୁ ଚାଲିଯାଇଥିଲେ। ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକକୁ ପିଇ ଦେଇଥିଲେ। ଭାଇର ଏଭଳି ଅବସ୍ଥା ଦେଖି ଭଉଣୀ ସରିତା ସଙ୍ଗେ ସଙ୍ଗେ ବାପା-ମାଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ସଞ୍ଜୟଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଇଥିଲେ।ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Comment