ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ପାଠାଗାରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ପାଠାଗାରରେ ବହି ରଖିବା ପାଇଁ ଜାଗା ନଥିବାରୁ ବହିଗୁଡ଼ିକୁ ମାସ ମାସ ଧରି ବସ୍ତାରେ ରଖାଯାଇଛି। ସେହିପରି ଅନେକ ବହି ପଢ଼ା ଟେବୁଲ ଉପରେ ଗଦା ହୋଇ ରହିଛି। ଫଳରେ ପାଠାଗାରକୁ ଅଧ୍ୟୟନ ପାଇଁ ଆସୁଥିବା ପାଠକମାନେ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହୋଇ ଫେରୁଥିବା ଦେଖିବାକୁ ମିଳିଛି।

ଜିଲ୍ଲା ପାଠାଗାରରେ ଏଭଳି ଅଭାବନୀୟ ଦୃଶ୍ୟ ସାଧାରଣରେ ଉଦବେଗ ସୃଷ୍ଟି କରିଛି। ଏହି ପାଠାଗାରରେ ଜିଲ୍ଲା, ରାଜ୍ୟ ତଥା ଦେଶ ଓ ବିଦେଶର ଇତିହାସ, ରାଜନୈତିକ ଦୃଶ୍ୟପଟ୍ଟ, ଭୂଗୋଳ ସ୍ଥିତାବସ୍ଥା, ସଂସ୍କୃତି ଓ ପରମ୍ପରା, ଧର୍ମ, ସାହିତ୍ୟ, ଗଳ୍ପ, ଉପନ୍ୟାସ ସମେତ ବିଭିନ୍ନ ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷା ସକାଶେ ଓଡିଆ, ଇଂରାଜୀ ଓ ହୀନ୍ଦି ଭାଷାରେ ମୋଟ ୨୪,୭୪୮ଖଣ୍ଡ ବହି ରହିଛି।ତେବେ ଉପଯୁକ୍ତ ସ୍ଥାନ ଅଭାବରୁ ବହିଗୁଡ଼ିକୁ ଏଣେତେଣେ ରଖାଯିବା ସହିତ ବସ୍ତା ଭିତରେ ବାନ୍ଧି ରଖାଯାଇଥିବା ଦେଖିବାକୁ ମିଳିଛି। କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ମାସରୁ ପାଠାଗାରରେ ସାଧାରଣ ପାଠକଙ୍କୁ ବସି ଅଧ୍ୟୟନ ପାଇଁ ଅନୁମତି ଦିଆଯାଉ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ପାଠାଗାରକୁ ହାତଗଣତି କିଛି ବ୍ୟକ୍ତି ଅଧ୍ୟୟନ ପାଇଁ ଆସୁଛନ୍ତି। କିନ୍ତୁ ଏଭଳି ଅବ୍ୟବସ୍ଥା ଲାଗି ରହିଥିବାରୁ ପାଠକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଢ଼ା ଟେବୁଲ ଉପରେ ବସ୍ତାବସ୍ତା ବହି ରଖାଯାଇଥିବାରୁ ପାଠକଙ୍କ ସକାଶେ ସ୍ଥାନ ଅଭାବ ହେଉଛି।

ଅନ୍ୟପକ୍ଷେ ପୁସ୍ତକ ସେଲ୍ଫ ଆବଶ୍ୟକ ପରିମାଣରେ ନଥିବାରୁ ଗୋଟିଏ ସ୍ଥାନରେ ଏକାଧିକ ବହି ରହୁଛି। ଯାହାଫଳରେ ପାଠକଙ୍କୁ ଠିକଣା ସ୍ଥାନରୁ ବହି ଆଣିବା ପାଇଁ ଘଣ୍ଟାଘଣ୍ଟା ଧରି ଖୋଜିବାକୁ ପଡୁଛି। ଜିଲ୍ଲାସ୍ତରୀୟ ପାଠାଗାରରେ ଦୀର୍ଘଦିନରୁ ଏଭଳି ଅବ୍ୟବସ୍ଥା ଲକ୍ଷ୍ୟ କରାଯାଉଛି। କିନ୍ତୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।ପାଠାଗାରଟି ଜିଲ୍ଲା ସଦର ମହକୁମାରେ ରହିଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକ, ଜିଲ୍ଲା ମୁଖ୍ୟାଳୟରେ କାମଧନ୍ଧା କରୁଥିବା ବ୍ୟକ୍ତିବିଶେଷଙ୍କ ସମେତ କଲେଜ ଓ ସ୍କୁଲ ପଢୁଆ ଛାତ୍ରାଛାତ୍ରୀ ଏବଂ ବିଭିନ୍ନ ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷା ସକାଶେ ପ୍ରସ୍ତୁତି କରୁଥିବା ବ୍ୟଦ୍ୟାର୍ଥୀ ପ୍ରତ୍ୟେକ ଦିନ ଏଠାକୁ ଆସି ଅଧ୍ୟୟନ କରିଥାନ୍ତି। କିନ୍ତୁ ଏଭଳି ଅବ୍ୟବସ୍ଥା ଲାଗି ରହିଥିବାରୁ ଏଠାରେ ପାଠକଙ୍କ ସଂଖ୍ୟା କମିବାରେ ଲାଗିଛି।

କରୋନା କାଳରେ ଆଗଭଳି ସେତେ ବେଶୀ ପାଠକ ଆସୁନାହାନ୍ତି। ସାଧାରଣ ଦିନଗୁଡ଼ିକରେ ୧୦ରୁ ୧୫ଜଣ ପାଠକ ପାଠାଗାର ଆସୁଥିବା ପାଠାଗାର ସହକାରୀ ମାରିଆନା କିରୋ ସୂଚନା ଦେଇଛନ୍ତି।ଅନ୍ୟପଟେ ଏନେଇ ଜିଲ୍ଲା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ବସନ୍ତକୁମାର ପ୍ରଧାନ କହିଛନ୍ତି, ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ। ବହିଗୁଡ଼ିକୁ ଉପଯୁକ୍ତ ଢଙ୍ଗରେ ରଖିବା ସକାଶେ ସେଲ୍ଫ ଓ ୧୦ଟି ଆଲମିରା ଆଣାଯିବା ପରେ ଏଭଳି ଅବ୍ୟବସ୍ଥା ଆଉ ପରିଲିକ୍ଷତ ହେବ ନାହିଁ। ପାଠକଙ୍କୁ ପୁସ୍ତକାଳୟରେ ସବୁପ୍ରକାର ସୁବିଧା ସହଯୋଗ ମିଳିପାରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Comment