ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଅଫିସ୍‌କୁ କେବେ ସିଲ୍ କରାଯିବ? ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଶନିବାର ଅପରାଜିତାଙ୍କ ଅଫିସ୍ ସିଲ୍ କରାଯିବା ପରେ ସାମ୍ୱାଦିକ ସମ୍ମିଳନୀ କରି ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି ଅପରାଜିତା।

ମହାରଥୀଙ୍କ ଶେଷକୃତ୍ୟ ସମୟରେ ବିଜେଡି ଅଫିସରେ ହୋଇଥିବା ଗହଳିକୁ ନେଇ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଲେ ଅପରାଜିତା। ଏଥିରେ ମହାରଥୀଙ୍କ ଶେଷ ଦର୍ଶନକୁ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧି ନଥିଲେ। ସେହିପରି ତିର୍ତ୍ତୋଲ ବିଜେଡିର ବୈଠକରେ ନେତାଙ୍କ ସହ ୩ଶହ ଲୋକ ମାସ୍କ ପିନ୍ଧିନଥିବା ଫଟୋ ମଧ୍ୟ ଦେଖାଇଥିଲେ।

“ଦୈନିକ ମୁଁ ୧୩/୧୪ ଘଣ୍ଟା କାମ କରୁଛି, ଲୋକଙ୍କ ପାଖକୁ ଯାଉଛି। ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ସମସ୍ତଙ୍କ ପାଇଁ ନିୟମ ସମାନ ହେବା ଦରକାର। ଏମିତି ପାତର ଅନ୍ତର ନ କରାଯାଉ। ଆକ୍ରୋଶମୂଳକ ମନୋଭାବ ରଖାନଯାଉ”, କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅକ୍ଟୋବର ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଜନ୍ମଦିନ ଉତ୍ସବରେ ସାମିଲ ଅନ୍ୟ ମହିଳାମାନେ ମାସ୍କ ପିନ୍ଧିନଥିଲେ ଏବଂ ସାମାଜିକ ଦୂରତା ମାନିନଥିବା ଅଭିଯୋଗ ହୋଇଥିଲା। ଏନେଇ କେନ୍ଦ୍ରକୁ ଫେରାଦ ହୋଇଥିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସାଂସଦଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଦାବି କରିଥିଲେ।

ଅପରାଜିତାଙ୍କ ଜନ୍ମଦିନ ପାଳନର ଭିଡିଓ ଭାଇରାଲ ହେବା ପରେ ଜଣେ କୋଭିଡ ଯୋଦ୍ଧା ତାଙ୍କ ନାଁରେ ଶନିବାର ଭୁବନେଶ୍ଵର ଡିସିପିଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି। ଏହା ପରେ ବିଏମ୍‌ସିର ଜୋନାଲ ଡେପୁଟୀ କମିସନରଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଯାଇ ସାଂସଦଙ୍କ  କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସିଲ୍ କରିଛି।

Comment