ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଅନ୍ୟପଟେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ମୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲି, କୌଣସି ପଦଯାତ୍ରା କରିବାକୁ ନୁହେଁ।

ଆଜି ଅପରାଜିତା ଷଡ଼ଙ୍ଗୀ ପ୍ରାୟ ୨୦ଟି ଗାଡ଼ିରେ ନିଜ ସମର୍ଥକଙ୍କ ସହ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ସାଂସଦଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ ଅଟକାଇ ଥିଲା। ଏହାପରେ ଅପରାଜିତା ଷଡ଼ଙ୍ଗୀ ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। କିଛି ବାଟ ଚାଲିବା ପରେ ପୁଣି ଗାଡ଼ିରେ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ। ମାଳତିପାଟପୁର ନିକଟରୁ ତାଙ୍କୁ ଗାଡ଼ିରେ ଯିବାକୁ ଅନୁମତି ମିଳିଲା।

ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଏବଂ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ତାଙ୍କୁ କେବଳ ଦୁଇଟି ଗାଡ଼ିରେ ଶ୍ରୀମନ୍ଦିର ନିକଟ ପର୍ଯ୍ୟନ୍ତ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ବଡ଼ଦାଣ୍ଡରୁ କିଛି ବାଟ ଚାଲି ସାଂସଦ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସାଂସଦଙ୍କୁ ବିରୋଧ କରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବଡ଼ଦାଣ୍ଡରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ଶ୍ରୀମନ୍ଦିର କର୍ଯ୍ୟାଳୟ ନିକଟରେ କେହି ଜଣେ ସାଂସଦଙ୍କ ପଦଯାତ୍ରା ସମୟରେ ଟମାଟୋ ମାଡ଼ କରିଥିବା ଅଭିଯୋଗ ଆସିଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟା ଦେଇ ଅପରାଜିତା ଷଢ଼ଙ୍ଗୀ କହିଛନ୍ତି, “ମହାପ୍ରଭୁଙ୍କୁ ଦର୍ଶନ ପାଇଁ କାହାର ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ। ପତିତପାବନ ବାନା ଦର୍ଶନ ପାଇଁ ଆସିଥିଲି। ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ସତ ମାର୍ଗରେ ଯା’ନ୍ତୁ। ମୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲି, କୌଣସି ପଦଯାତ୍ରା କରିନାହିଁ”।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରକଳ୍ପ ବିବାଦକୁ ନେଇ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁରୀ ସଂସଦ ପିନାକୀ ମିଶ୍ର ଖୋଲା ଚ୍ୟାଲେଞ୍ଜ କରିବା ସହ ସବୁ କାମ ଆଇନ ଅନୁସାରେ ହୋଇଛି ବୋଲି କହିଛନ୍ତି। ହାଇକୋର୍ଟରେ ଦୁଇ ଥର ଶୁଣାଣି ହୋଇଛି, କିନ୍ତୁ କୋର୍ଟ କାହିଁକି ଷ୍ଟେ ଅର୍ଡର ଦେଇନାହାନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପୁରୀ ସାଂସଦ। ସେ କହିଛନ୍ତି ଯିଏ ଜଗନ୍ନାଥଙ୍କ ନାଁ ନେଇ ରାଜନୀତି କରେ ସେ କେବେ ସଫଳତା ପାଇପାରେ ନାହିଁ।

ଏପଟେ ଶ୍ରୀମନ୍ଦିରର ଅନେକ ସେବାୟତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅପରାଜିତା ରାଜନୀତି କରୁଥିବା ଅଭିଯୋଗ ଆଣି ତାଙ୍କୁ ବିରୋଧ କରିଥିଲେ। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବା ଆବଶ୍ୟକ ବୋଲି ସେବାୟତମାନେ କହିବା ସହ ଏହାକୁ ନେଇ ସାଂସଦ ରାଜନୀତିକରଣ ନକରନ୍ତୁ ବୋଲି କହିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଇନ ଭଙ୍ଗ କରି ପଦଯାତ୍ରା କରିଥିବା ଅଭିଯୋଗ କରି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି।

Tags: #MPAparajitaSarangi #MPPinkiMishra #ShreeMandiraParikramaPrakalpa #ShreeJagannathTemple

Comment