ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଚିଠି। ତାଙ୍କ ନାଁରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଫେରାଦ ହୋଇଛନ୍ତି ରାଜ୍ୟ ଶକ୍ତି, ଗୃହ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କରୋନା ସମୟରେ ଅପରାଜିତାଙ୍କ ଜନ୍ମଦିନ ପାଳନର ଭିଡିଓକୁ ନେଇ ସେ ଆପତ୍ତି ଉଠାଇଛନ୍ତି।

ଗତ ୮ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନ ପାଳନ କରିଥିଲେ। ସେତିକିବେଳେ ତାଙ୍କୁ ବହୁ ମହିଳା କର୍ମୀ ଘେରି ରହିଥିବା ଭିଡିଓରେ ଦେଖିବାକୁ ମିଳୁଛି। ସେଥିରେ ସାମିଲ ଥିବା ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ମାସ୍କ ପିନ୍ଧି ନ ଥିବାବେଳେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ମଧ୍ୟ ନ ଥିଲା। ସାଂସଦଙ୍କ ଏଭଳି ଜନ୍ମଦିନ ପାଳନ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନ କୋଭିଡ୍ ଗାଇଡଲାଇନର ଖୋଲା ଉଲ୍ଲଂଘନ। କୋଭିଡ୍ ଗାଇଡଲାଇନକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ସଚେତନତା ବାର୍ତ୍ତା ଦେଇଆସୁଛନ୍ତି, ତାହାକୁ ତାଙ୍କ ଦଳର ସାଂସଦ ନିଜେ ଉଲ୍ଲଂଘନ କରିଛନ୍ତି ବୋଲି ଦିବ୍ୟଶଙ୍କର ଅଭିଯୋଗ କରିଛନ୍ତି।

ଦିବ୍ୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ ସାଂସଦଙ୍କର ଏଭଳି ଆଚରଣ ପ୍ରଥମ ନୁହେଁ। ମାର୍ଗଦର୍ଶିକା, ସତର୍କତା ଜାରି କରାଯିବା ସତ୍ତ୍ୱେ ସାଂସଦ ଅପରାଜିତା ୩ ଥର କୋଭିଡ୍ ଗାଇଡ୍‌ଲାଇନ ଉଲ୍ଲଂଘନ କଲେଣି। ତାଙ୍କର ଏଭଳି କାର୍ଯ୍ୟ ତାଙ୍କ ନିକଟତର ଲୋକେ ଓ ସାଧାରଣ ଜନତାଙ୍କୁ ବିପଦରେ ପକାଉଛି।

ଭୁବନେଶ୍ୱର ମହାନଗର କରୋନା ସହ ଏକ ବଡ଼ ଲଢ଼େଇ ଲଢୁଛି। ଅନେକ କୋଭିଡ୍ ଯୋଦ୍ଧା ଲୋକଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଦିନରାତି କାମ କରୁଛନ୍ତି। କିନ୍ତୁ ଜଣେ ଲୋକ ପ୍ରତିନିଧିଙ୍କ ଏଭଳି କାର୍ଯ୍ୟ ସେହି କୋଭିଡ୍ ଯୋଦ୍ଧାଙ୍କ ପ୍ରତି ଅପମାନ ବୋଲି ଦିବ୍ୟଶଙ୍କର କହିଛନ୍ତି।

ସାଂସଦ ଅପରାଜିତା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା। ଏଭଳି ସମୟରେ ତାଙ୍କର ଆଚରଣ ଲୋକଙ୍କୁ କୋଭିଡ୍ ଗାଇଡ୍‌ଲାଇନକୁ ମାନିବାରେ ନିରୁତ୍ସାହିତ କରିବ।

କରୋନା ଯୋଗୁ ଭୁବନେଶ୍ୱରରେ ୧୦୯ ଜଣଙ୍କ ଜୀବନ ଗଲାଣି। ୫ ଜଣ କୋଭିଡ୍ ଯୋଦ୍ଧା ଆଖି ବୁଜିଛନ୍ତି। ଏଭଳି ସମୟରେ ସାଂସଦଙ୍କ ଏଭଳି ଜନ୍ମଦିନ ପାଳନ ଏକ ଉପହାସ। ତେଣୁ ଏହି ଘଟଣା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦୃଷ୍ଟିକୁ ନେବା ପାଇଁ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Comment