ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କ ପାଇଁ ଆରମ୍ଭ ହେଲା ‘ଭରସା’ ଟ୍ରଷ୍ଟ। ଶନିବାର ଦିନ ଇଡକୋଲ ଅଡିଟୋରିୟମରେ ଏହାକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗରିବ ଜନସାଧାରଣଙ୍କୁ ଅସୁବିଧା ବେଳେ ଆର୍ଥିକ ସହାୟତା ଯୋଗାଇ ଦେବା ହେଉଛି ଏହି ଟ୍ରଷ୍ଟର ଲକ୍ଷ୍ୟ।

ସାଂସଦ ହେବା ପୂର୍ବରୁ ଅପରାଜିତା ଭୁବନେଶ୍ଵରର ସମସ୍ତ ଅଞ୍ଚଳ ବୁଲିଥିଲେ। ସେତେବେଳେ ସେ ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ମତାମତ ନେଇଥିଲେ। ଲୋକମାନେ କେମିତି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତାହା ଅପରାଜିତା ନିଜ ଆଖିରେ ଦେଖିଥିଲେ। ଏଣୁ ଏଭଳି ଏକ ଟ୍ରଷ୍ଟ ଗଠନ କରିବାକୁ ସେବେଠାରୁ ସେ ମନ ବଳାଇଥିଲେ। ଆଜି ତାହା ସାକାର ହୋଇଛି। ସାଂସଦ ଅପରାଜିତାଙ୍କ ଏହି ଉଦ୍ୟମକୁ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି।

ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ‘‘ଭରସା ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ। ଏହାର ସମସ୍ତ ଦାୟିତ୍ୱ ଲୋକମାନଙ୍କର। ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ଲୋକଙ୍କୁ, ଦୁର୍ଘଟଣାଗ୍ରସ୍ତ ଲୋକ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ଅସହାୟ ମହିଳା, ଅନାଥ ପିଲାମାନଙ୍କ ପଛରେ ଭରସା ସବୁବେଳେ ଠିଆ ହେବ। ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବିଭିନ୍ନ ଅସୁବିଧାର ସମ୍ମୁଖିନ ଜନସାଧାରଣଙ୍କୁ ‘ଭରସା’ ସବୁବେଳେ ସହଯୋଗର ହାତ ବଢ଼ାଇବ। ‘ଭରସା’ ଅଧିନରେ ହେବାକୁ ଥିବା ସମସ୍ତ କାର୍ଯ୍ୟରେ ସ୍ୱଛତା ରହିବ। ଜଣେ ଚାଟାର୍ଡ ଆକାଉଣ୍ଟାଟଙ୍କ ଦ୍ଵାରା ପ୍ରତି ୩ ମାସରେ ଏହାର ଅଡିଟ ହେବ।’’

ଭରସା ଟ୍ରଷ୍ଟକୁ ଅପରାଜିତା ଷଡ଼ଙ୍ଗୀ ତାଙ୍କର ୫ ମାସର ଦରମା ଦେଇସାରିଛନ୍ତି। ଯେଉଁମାନେ ଚାହିଁବେ ଏହି ଟ୍ରଷ୍ଟକୁ ସହଯୋଗର ହାତ ବଢ଼ାଇ ପାରିବେ। ଯେଉଁ ଲୋକମାନଙ୍କୁ ସାହାଯ୍ୟ କରାଯିବ ତାର ସତ୍ୟତା ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟିର ନିଷ୍ପତ୍ତି ବଳରେ ସାଧାରଣ ଲୋକମାନେ ସହାୟତା ପାଇପାରିବେ।

ସହାୟତା ପାଇଁ ୦୬୭୪-୨୫୫୩୯୮୮ କିମ୍ବା ୭୬୦୬୦୫୫୦୨୨ ନମ୍ବରରେ ଫୋନ୍ କରି ଆବେଦନର ପ୍ରକ୍ରିୟା ଜାଣିହେବ।

Comment