ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ଜନ୍ମଦିନ ପାଳନ ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ତାଙ୍କ ସମର୍ଥକ ମାନେ ଧୁମ ନାଚ ଗୀତ, ଖିଆପିଆ କରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କୋଭିଡ ନିୟମ ଭାଙ୍ଗି ନାଟ ତାମସା କରିଥିବା କାରଣରୁ ଶନିବାର ଦିନ ବିଏମସି ପକ୍ଷରୁ ସାଂସଦଙ୍କ ପଳାଶପଲ୍ଲୀ ଅଫିସ ସିଲ କରାଯାଇଥିବା ବେଳେ ସାଂସଦଙ୍କ ଅବାଞ୍ଛିତ ବ୍ୟବହାରକୁ ନେଇ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ପାଖକୁ ଏକ ଚିଠି ବି ଲେଖିଛନ୍ତି।

ଜନ୍ମଦିନ ପାଳନ ବେଳର ଏକ ଭିଡ଼ିଓ କ୍ଲିପକୁ ରାଏଙ୍କ ପାଖକୁ ପଠାଇ ମିଶ୍ର କହିଛନ୍ତି ଯେ ଆଠ ତାରିଖରେ ଶହ ଶହ ମହିଳା ଅପରାଜିତାଙ୍କ ସହ ଥିଲେ ଓ  ତାଙ୍କ ଉପସ୍ଥିତିରେ ମସ୍ତି କରିଥିଲେ। ସେମାନେ ନା ମାସ୍କ ପିନ୍ଧିଥିଲେ ନା ସାମାଜିକ ଦୂରତା ବଜାୟ ରଖିଥିଲେ। କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ଗାଇଡଲାଇନକୁ ଅପରାଜିତା କେବଳ ଉଲ୍ଲଂଘନ କରିଛନ୍ତି ତାହା ନୁହେଁ ସାମାଜିକ ଦୂରତା ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଅପିଲକୁ ମଧ୍ୟ ବେଖାତିର କରିଛନ୍ତି – ଏକଥା ଚିଠିରେ ଲେଖାଯାଇଛି।

ମିଶ୍ରଙ୍କ ଚିଠିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏହିଭଳି ଦାୟିତ୍ୱହୀନ ବ୍ୟବହାର ତାଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ ବିପଦ ଭିତରକୁ ଠେଲି ଦେଇଛି।ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆହୁରି ଲେଖିଛନ୍ତି ଯେ କୋଭିଡକୁ ପରାସ୍ତ କରିବା ପାଇଁ ଭୁବନେଶ୍ୱର ପ୍ରାଣପଣେ ଲଢ଼ୁଛି ଏବଂ କରୋନା ଯୋଦ୍ଧା ମାନେ ଲୋକଙ୍କ  ମୂଲ୍ୟବାନ ଜୀବନକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବଳି ଦେଉଛନ୍ତି।

ଉକ୍ତ ଅଭିଯୋଗ ପତ୍ରରେ କ୍ୟାପଟେନ ମିଶ୍ର କହିଛନ୍ତି ଯେ ଲୋକ ପ୍ରତିନିଧିଙ୍କ ଏହିଭଳି ଆଚରଣ କୋଭିଡ ଯୋଦ୍ଧାଙ୍କ ମନୋବଳକୁ ଭାଙ୍ଗିବ କେବଳ ନୁହେଁ ଯେଉଁମାନେ ଏଥି ପାଇଁ ପ୍ରାଣ ହରାଇଛନ୍ତି ସେମାନଙ୍କ ପ୍ରତି ଏହା  ଅପମାନ ମଧ୍ୟ। ତାଛଡ଼ା ପ୍ରଧାନମନ୍ତ୍ରୀଙ୍କ ନିବେଦନ ଓ ପ୍ରଚେଷ୍ଟାର ଏହା ବିରୁଦ୍ଧାଚରଣ କରୁଛି।

ମିଶ୍ର କେନ୍ଦ୍ରମନ୍ତ୍ରୀ ରାଏଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ଭୁବନେଶ୍ୱର ସାଂସଦଙ୍କ ଏହି ଆଚରଣ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟିକୁ ଅଣାଯାଉ। ଉକ୍ତ ଚିଠିରେ କୁହାଯାଇଛି ଯେ ଅଧିକାରୀଙ୍କ ପକ୍ଷରୁ  ବାରମ୍ବାର ପରାମର୍ଶ ଦିଆଯିବା ସତ୍ତ୍ୱେ ଭୁବନେଶ୍ୱର ସାଂସଦ ଏହାକୁ ବେଖାତିର କରିବା ସହ ତିନି ତିନି ଥର ଏହିଭଳି ଘଟଣା ଘଟାଇଛନ୍ତି ଓ ତାଙ୍କର ଆଚରଣରେ କୌଣସି ପରିବର୍ତ୍ତନ ଆସିନାହିଁ।

 

Comment