ଓଡ଼ିଶାଲଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଅବଧି ଶେଷହୋଇ ତିନିବର୍ଷ ବିତିଯାଇଥିଲେ ସୁଦ୍ଧା ଅଧାରେ ଝୁଲୁଛି ରାୟଗଡ଼ା ଝଞ୍ଜାବତୀ ନଦୀ ଉପର ବ୍ରିଜ ନିର୍ମାଣ କାର୍ଯ୍ୟ। ଠିକାଦରଙ୍କୁ ପୂର୍ତ୍ତି ବିଭାଗର ଅହେତୁକ ଅନୁକମ୍ପା ଯୋଗୁଁ ନିର୍ମାଣ କାର୍ଯ୍ୟ ଡେରି ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶ ସହ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ଝଞ୍ଜାବତୀ ନଦୀ ଉପରେ ନିର୍ମାଣଧିନ ବ୍ରିଜ ଏବେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି। ପ୍ରସ୍ତାବିତ ୬୨ମିଟର ଲମ୍ବର ଏହି ବ୍ରିଜଟି ଧାର୍ଯ୍ୟ ଅବଧି ଶେଷ ହୋଇ ତିନିବର୍ଷ ବିତିଯାଇଥିଲେ ସୁଦ୍ଧା ଠିକଦାରଙ୍କ ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ଯାଏଁ ଶେଷ ହୋଇପାରୁ ନାହିଁ। ତେବେ ଠିକାଦରଙ୍କୁ ପୂର୍ତ୍ତି ବିଭାଗର ଅହେତୁକ ଅନୁକମ୍ପା ଯୋଗୁଁ ନିର୍ମାଣ କାର୍ଯ୍ୟ ଡେରି ହେଉଥିବା ସ୍ଥନୀୟ ଲୋକଙ୍କ ମଧ୍ୟରେ ଅଭିଯୋଗ ହେଉଛି ।ବିଗତ ୨୦୧୬-୧୭ ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ଏପ୍ରିଲ ୧୫ରେ ଆନ୍ଧ୍ର ଠିକଦାରଙ୍କୁ ନିର୍ମାଣ ସକାଶେ ୧୦କୋଟି ୩୪.୪୭ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଟେଣ୍ଡର ପ୍ରଦାନ କରଯାଇଥିଲା। ନିର୍ମାଣ କାର୍ଯ୍ୟ ଆରମ୍ଭଠୁ ଏକବର୍ଷ ମଧ୍ୟରେ ଅର୍ଥାତ ୨୦୧୮ ମସିହା ଏପ୍ରିଲ ମାସ ୧୪ ତାରିଖ ଦିନ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା।

ଅନ୍ୟପକ୍ଷେ ବର୍ତ୍ତମାନ ଓଡ଼ିଶା ଓ ଆନ୍ଧ୍ରକୁ ଯୋଡୁଥିବା ଏକମାତ୍ର ବ୍ରିଟିଶ ଅମଳ ବ୍ରିଜ ପ୍ରାୟ ୧୦୦ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବାରୁ ଏହାକୁ ସମୟନୁକ୍ରମେ ମରାମତି କରାଯାଇ ନଥିବାରୁ ଏହା ବିପଦ ସଙ୍କୁଳ ହୋଇପଡିଛି। ଶିଳ୍ପାଞ୍ଚଳ ଜିଲ୍ଲା ରାୟଗଡ଼ାକୁ ପଡୋଶୀ ଆନ୍ଧ୍ର ସହ ଯୋଡିବା ପାଇଁ ଏହା ଏକମାତ୍ର ଲାଇଫ ଲାଇନ ବା ମାଧ୍ୟମ ହୋଇପଡିଛି। ଜିଲ୍ଲାରେ ପ୍ରତିଷ୍ଠିତ ବୃହତ ଶିଳ୍ପ ପ୍ରତିଷ୍ଠାନଗୁଡିକ କଞ୍ଚାମାଲ ପରିବହନ ସକାଶେ ଉକ୍ତ ବ୍ରିଜଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଏ ନେଇ ପୂର୍ତ୍ତି ବିଭାଗ ନିର୍ବାହୀ ଯନ୍ତ୍ରୀ ଯମୁନା ବେହେରୋଙ୍କୁ ପଚାରିବାରୁ ସେ କହିଛନ୍ତି ବ୍ରିଜର ନକ୍ସା ପରିବର୍ତ୍ତନ ହୋଇଥିବାରୁ ଠିକାସଂସ୍ଥା ଏଥିନେଇ ବ୍ୟୟ ଅଟକଳ ପରିବର୍ତ୍ତନ କରାଯିବା ପାଇଁ ଦାବି କରିଛନ୍ତି। ବିଭାଗ ପକ୍ଷରୁ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବଶିଘ୍ର ବ୍ରିଜ ନିର୍ମାଣ କାମ ତ୍ୱରାନ୍ୱିତ କରାଯିବ ବୋଲି ଯନ୍ତ୍ରୀ ବେହେରେ ସୂଚନା ଦେଇଛନ୍ତି।

Comment