ଓଡ଼ିଶାଲାଇଭ୍ ବ୍ୟୁରୋ

ଦଶପଲ୍ଲା ବ୍ଲକ ଡିହଗାଁରେ ବଜ୍ରାଘାତ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ମୃତକ ଦ୍ଵୟ ହେଲେ ଉଦୟନାଥ ପ୍ରଧାନ (୭୫) ଓ ଆଶାଳତା ସାହୁ (୫୩)। ବୁଧବାର ଭୋର ସମୟରେ ଏମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଲଘୁଚାପ କାରଣରୁ ଆଜି ଦଶପଲ୍ଲା ଅଞ୍ଚଳରେ ଲଗାଣ ବର୍ଷା ସାଙ୍ଗକୁ ବଜ୍ରାଘାତ ଲାଗି ରହିଥିଲା। ସବୁଦିନ ପରି ଗାଁର ଏହି ଦୁଇ ବ୍ୟକ୍ତି ନିତ୍ୟକର୍ମ ପାଇଁ ଗାଁ ପୋଖରୀ ନିକଟକୁ ଯିବା ସମୟରେ ହଠାତ୍ ବଜ୍ରାଘାତ ହେବାଫଳରେ ସେମାନେ ଏଥିରେ ଟଳି ପଡ଼ିଥିଲେ। ପରେ ଗାଁ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ନିକଟସ୍ଥ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଯାଇଥିଲେ।

ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଛି। ସରକାରଙ୍କ ଆପତ୍ତକାଳୀନ ପାଣ୍ଠିରୁ ମୃତକ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଲୋକେ ଦାବି କରିଛନ୍ତି।

Comment