ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟର ପରିଚାଳନା ପରିଷଦ ସଭାପତି ପଦବୀକୁ ନେଇ ଦୀର୍ଘ ଦିନ ଲାଗିରହିଥିବା ବିବାଦର ଅନ୍ତ ଘଟିଛି। ପରିଚାଳନା ପରିଷଦର କାର୍ଯ୍ୟକାଳ ଶେଷ ହେବାପରଠାରୁ ପରବର୍ତ୍ତୀ ପରିଷଦ ଗଠନ ହେବା ପର୍ଯ୍ୟନ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏହି ଏହାର ସଭାପତି ଭାବେ ଦାୟିତ୍ୱ ତୁଲାଇବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

ଗତ କିଛି ଦିନ ଧରି କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟର ସଭାପତି ପଦବୀକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ମହାବିଦ୍ୟାଳୟ  ପରିଚାଳନା ପରିଷଦର କାର୍ଯ୍ୟକାଳ ୨୦୧୮ ମସିହାରୁ ଶେଷ ହୋଇଥିଲା ବେଳେ ପରିଷଦର ପୂର୍ବତନ ସଭାପତି ତତ୍କାଳୀନ ବିଧାୟକ କିଶୋର କୁମାର ତରାଇ ନିଜକୁ ସଭାପତି ରହିଥିବା ଦାବି କରିଆସୁଥିଲେ। ତେବେ ପୂର୍ବତନ ବିଧାୟକଙ୍କ ନିର୍ଦ୍ଦେଶକୁ କଲେଜର ଅଧ୍ୟକ୍ଷ ଗ୍ରହଣ କରୁନଥିବାରୁ ବିବାଦ ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା।

କିଛିଦିନ ତଳେ ମହାବିଦ୍ୟାଳୟର ପୂର୍ବତନ ସଭାପତି ତଥା ଏବେକାର ଅନ୍ତରୀଣ ସଭାପତି ଭାବେ କିଶୋର କୁମାର ତରାଇ କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ ଆଦେଶ ଦେଇଥିଲେ। ଏତଦ୍ ବ୍ୟତୀତ ଅଧ୍ୟକ୍ଷଙ୍କ ନାମରେ ଥିବା କଲେଜର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା ନକରିବାକୁ ବ୍ୟାଙ୍କକୁ ଚିଠି ଲେଖିଥିଲେ। ଫଳରେ ମହାବିଦ୍ୟାଳୟରେ ଏକ ପ୍ରକାର ଅଚଳ ଅବସ୍ଥା ସୃଷ୍ଟି ହୋଇଛି।

ଏହି ବିବାଦ ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ପହଞ୍ଚିବାପରେ ୧୫ ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଏହି ମର୍ମରେ ଏକ ନିର୍ଦ୍ଦେଶନାମା ଜାରିକରିଛନ୍ତି। ଏହି ନିର୍ଦ୍ଦେଶ ନାମା ଅନୁସାରେ କୌଣସି ବେସରକାରୀ ଅନୁଦାନପ୍ରାପ୍ତ ସ୍ଵୟଂଶାସିତ ମହାବିଦ୍ୟାଳୟର ପରିଚାଳନା ପରିଷଦର କାର୍ଯ୍ୟକାଳ ଯଦି ଶେଷ ହୋଇଯାଏ ତେବେ ପରବର୍ତ୍ତୀ ପରିଚାଳନା ପରିଷଦ ଗଠନ ହେବା ପର୍ଯ୍ୟନ୍ତ ସେହି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଭାପତି ଦାୟିତ୍ୱ ତୁଲାଇବେ। ଯେଉଁ ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ଥିବେ ସେହି ଜିଲ୍ଲାର ଜିଲ୍ଲାପାଳ କୌଣସି ଜଣେ ଅତିରିକ୍ତ  ଜିଲ୍ଲାପାଳଙ୍କୁ ବାଛି ସଭାପତି ଦାୟିତ୍ୱ ପ୍ରଦାନ କରିପାରିବେ ବୋଲି ରାଜ୍ୟ ଉଚ୍ଚଶିକ୍ଷା ସଚିବ ଏହି ନିର୍ଦ୍ଦେଶରେ କହିଛନ୍ତି।

“କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ସଭାପତି ତଥା ପୂର୍ବତନ ବିଧାୟକ କିଶୋର ତରାଇ ସିଧାସଳଖ ଅଧ୍ୟକ୍ଷଙ୍କୁ ନିଲମ୍ବନ କରିବା ଆଇନତଃ ଅସିଦ୍ଧ ଅଟେ। ସଭାପତି ଭାବରେ ଯଦି ସେ କୌଣସି କାରଣରୁ କଲେଜର ଅଧ୍ୟକ୍ଷଙ୍କୁ ବହିସ୍କାର କରିବାକୁ ଚାହାନ୍ତି, ତେବେ ସେ ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ନିଜର ସୁପାରିଶ ପଠାଇଥାନ୍ତେ। ଉଚ୍ଚଶିକ୍ଷା ବିଭାଗ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥାନ୍ତେ। ତାପରେ ଅଧ୍ୟକ୍ଷଙ୍କ ନିଲମ୍ବନ ପ୍ରଶ୍ନ ଉଠିଥାନ୍ତା” , କହିଛନ୍ତି କେନ୍ଦ୍ରାପଡା ତୁଳସୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଜୟ ସାମଲ।

Comment