ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ୍ସପ୍ରେସ୍ ସର୍ଭିସ୍ ସେବା ଆରମ୍ଭ
  • ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକଙ୍କ ପାଇଁ ଏଣିକି ଅଧିକ ସୁବିଧା ହେବ
  • ସେବାର ଶୁଭାରମ୍ଭ କଲେ ବିଧାୟକ ଓ କମିସନର

ସହରର ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟରଙ୍କୁ ଅଧିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଉରକେଲା ମହାନଗର ନିଗମ ଆଜି ଏକ୍ସପ୍ରେସ୍ ସର୍ଭିସ୍ ସେବାର ଶୁଭାରମ୍ଭ କରିଛି। ଏଥିନିମନ୍ତେ ଦୁଇଟି ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରିଛି ନିଗମ। ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଏବଂ ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା ଏହି ସେବାର ଶୁଭାରମ୍ଭ କରିଛନ୍ତି।

ସହରରରେ ଥିବା ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟର ଏବଂ ବିଶେଷ କରି ହୋଟେଲ୍ ଓ ରେସ୍ତୋରାଁଗୁଡିକର ଆବର୍ଜନା ପରିଚାଳନା ସବୁବେଳେ ନିଗମ ପାଇଁ ମୁଣ୍ଡବ୍ୟଥା ସାଜୁଥିଲା। ସ୍ଥାନ ଅଭାବରୁ ସହରର ଅଧିକାଂଶ ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟରଗୁଡ଼ିକ ନିଜ ନିଜ ପରିସରରେ କଂପୋଷ୍ଟିଂ କରିପାରୁନଥିଲେ। ଅଧିକ ପରିମାଣର ବର୍ଜ୍ୟବସ୍ତୁ ଉତ୍ପାଦନ ହେଉଥିବାରୁ ତାକୁ ନିୟମିତ ଭାବେ ସଂଗ୍ରହ କରି ପ୍ରକ୍ରିୟାକରଣ କରିବା ଦିଗରେ ରାଉରକେଲା ମହାନଗର ନିଗମର ସଫେଇ କର୍ମଚାରୀମାନେ ମଧ୍ୟ ଅସୁବିଧା ଭୋଗୁଥିଲେ।ତେଣୁ ଏହାକୁ ନଜରରେ ରଖି ନିଗମ ପକ୍ଷରୁ ଏହି ଏକ୍ସପ୍ରେସ୍ ସର୍ଭିସ୍ ସେବାର ଆରମ୍ଭ କରାଯାଇଛି। ଏହି ସେବା ଅଧିନରେ ଦୁଇଟି ସ୍ୱତନ୍ତ୍ର ଗାଡ଼ି ଏଣିକି ବୁଲି ବୁଲି ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟରଙ୍କ ପରିସରରୁ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ଅଲଗା ଭାବେ ସଂଗ୍ରହ କରି ପ୍ରକ୍ରିୟାକରଣ ନିମନ୍ତେ ମାଇକ୍ରୋ କଂପୋଷ୍ଟିଂ ସେଣ୍ଟରକୁ ନେବେ। ସେଠାରେ ଉକ୍ତ ଆବର୍ଜନାର ପ୍ରକ୍ରିୟାକରଣ କରାଯାଇ ଓଦା ଆବର୍ଜନାକୁ କଂପୋଷ୍ଟରେ ପରିଣତ କରାଯିବ ଏବଂ ଶୁଖିଲା ଆବର୍ଜନାକୁ ତାହାର ପ୍ରକାର ଅନୁସାରେ ଅଲଗା ଅଲଗା କରି ଆବଶ୍ୟକ କାର୍ଯ୍ୟରେ ବିନିଯୋଗ କରାଯିବ।

ସଲିଡ ୱେଷ୍ଟ ପରିଚାଳନା ନିୟମାବଳୀ ଅନୁଯାୟୀ ଏଥିଲାଗି ବିଭିନ୍ନ ବର୍ଗର ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟରଙ୍କ ନିମନ୍ତେ ଦେୟ ଧାର୍ଯ୍ୟ କରାଯାଇଛି। ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଏହି ଗାଡ଼ି ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟରଙ୍କ ପରିସରକୁ ଯାଇ ସେଠାରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବେ। ଏଥିଲାଗି ରୁଟ୍ ଚାର୍ଟ୍ ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ଅଞ୍ଚଳ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି। ପାଖାପାଖି  ଏକ ଶହରୁ ଅଧିକ ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା ବଲ୍କ ୱେଷ୍ଟ ଜେନେରେଟରଙ୍କୁ ଏହା ଦ୍ୱାରା ସେବା ଯୋଗାଇଦିଆଯିବ ବୋଲି ଜଣାପଡ଼ିଛି।“ଏହି ସେବା ଆରମ୍ଭ ହେବା ଦ୍ୱାରା ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକ ବା  ବଲ୍କ ୱେଷ୍ଟ ଜେନେରେଟରଙ୍କ ଦୀର୍ଘ ଦିନର ଅସୁବିଧା ଦୂର ହୋଇପାରିବ ଏବଂ ସ୍ୱଚ୍ଛ ରାଉରକେଲା ନିମନ୍ତେ ଚାଲିଥିବା ପ୍ରୟାସ ରୂପାୟନ କରିବା ଦିଗରେ ସଫଳତା ନେଇ ଅଧିକ ଆଶା ସଞ୍ଚାର ହୋଇପାରିଛି”, କହିଛନ୍ତି ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା।

ସେହିପରି ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମହାନଗର ନିଗମର ଏଭଳି ପ୍ରୟାସ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ଏହାର ଉତ୍ତମ ପରିଚାଳନା ହୋଇପାରିଲେ ଜନସାଧାରଣ ଅଧିକ ସୁବିଧା ପାଇପାରିବେ ବୋଲି ମତବ୍ୟକ୍ତ କରିଛନ୍ତି।

ଏକ୍ସପ୍ରେସ୍ ସର୍ଭିସ୍ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମହାନଗର ନିଗମର ଦୁଇ ଡେପୁଟି କମିସନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି ଏବଂ ସ୍ୱାସ୍ଥ୍ୟ ଅଧିକାରୀ  ସୁଶିଲ କୁମାର ପରିଡ଼ା, ହୋଟେଲ ଓ ରେସ୍ତୋରାଁ ସଂଘର କର୍ମକର୍ତ୍ତା ଏବଂ ନିଗମର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comment