ଓଡ଼ିଶାଲାଇଭ୍ ବ୍ୟୁରୋ

ଇଟାଲୀରେ ଏମିତି ଏକ ସହର ଅଛି ଯେଉଁଠାରେ ରହୁଛନ୍ତି ମାତ୍ର ଦୁଇ ଜଣ ଲୋକ। କଥାଟା ବିଶ୍ଵାସ ନହେଲେ ମଧ୍ୟ ସତ। ତେବେ ସବୁଠୁ ଖାସ୍ କଥା ହେଉଛି ଏହି ସହରରେ ମାତ୍ର ୨ ଜଣ ଲୋକ ଥିଲେ ବି ସେମାନେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି।

ଇଟାଲିର ନର୍ଟୋସ୍କ ସହରରେ କେବଳ ଦୁଇ ଜଣ ଅବସରପ୍ରାପ୍ତ ବୟସ୍କ ବ୍ୟକ୍ତି ରହୁଛନ୍ତି। ଜଣେ ହେଲେ ଜିୟୋବନୀ କାରିଲି(୮୨) ଓ ଅନ୍ୟ ଜଣେ ହେଲେ ଜିୟାମ୍ପିରୋ ନୋବିଲି(୭୪)। ସେମାନଙ୍କର କେହି ପଡ଼ୋଶୀ ନାହାନ୍ତି। ତଥାପି କରୋନାରେ ଆକ୍ରାନ୍ତ ହୋଇ ସେମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ଚାହାନ୍ତିନାହିଁ। ତେଣୁ କାରିଲି ଓ ନୋବିଲି କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି।ଏହି ସହରରେ କେବଳ ଦୁଇ ଜଣ ଲୋକ ରହୁଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ତେବେ ସହରଟି ଭୂମିଠାରୁ ୯୦୦ ମିଟର ଉଚ୍ଚରେ ଥିବାରୁ ଏଠାକୁ ଯିବା ଆସିବା ଲାଗି ବହୁତ ଅସୁବିଧା ହୋଇଥାଏ। ତେଣୁ ସହର ଭିତରକୁ ବାହାର ଲୋକଙ୍କ ପ୍ରବେଶ ଏକ ପ୍ରକାର ନିଷେଧ କହିଲେ ଚଳେ।

ତଥାପି କାରିଲି ଓ ନୋବିଲି କରୋନା ସଂକ୍ରମଣକୁ ଭୟ କରୁଛନ୍ତି। ତେଣୁ ସେମାନେ କରୋନା ଗାଇଡ୍‌ଲାଇନ୍‌କୁ ଗୁରୁତ୍ଵ ଦେଉଥିବା କହିଛନ୍ତି। କାରିଲି ଓ ନୋବିଲି ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧନ୍ତି। ସେମାନେ ପରସ୍ପରକୁ ଭେଟିବା ସମୟରେ ୧ ମିଟର ଦୂରତା ରକ୍ଷା କରନ୍ତି।ଏନେଇ କାରିଲି କହିଛନ୍ତି, “ଭୂତାଣୁଠାରୁ ମୃତ୍ୟୁକୁ ଅଧିକ ଭୟ କରୁଛି। ଯଦି ମୁଁ ଅସୁସ୍ଥ ହୋଇଯିବି, ମୋର ଦେଖାଶୁଣା କିଏ କରିବ। ମୁଁ ଏବେ ବୁଢ଼ା ହୋଇଗଲିଣି। ତଥାପି ମେଣ୍ଢା, ବଳଦ, ମହୁମାଛି ଏବଂ ବଗିଚାର ଯତ୍ନ ନେବାକୁ ମୁଁ ଏଠାରେ ରହିବାକୁ ଚାହୁଁଛି। ମୁଁ ମୋ ଜୀବନକୁ ବହୁତ ଉପଭୋଗ କରୁଛି।”ନୋବିଲିଙ୍କ ମତରେ ସୁରକ୍ଷା ଉପାୟକୁ ଅଣଦେଖା କରିବା କିମ୍ବା ନିଜ ଜୀବନକୁ ବିପଦରେ ପକାଇବା ଆଦୌ ଉଚିତ ନୁହେଁ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା କେବଳ ସ୍ଵାସ୍ଥ୍ୟଗତ କାରଣ ପାଇଁ ନୁହେଁ, ବରଂ ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଜରୁରୀ ବୋଲି ନୋବିଲି କହିଛନ୍ତି।

Comment