ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବନ ଯନ୍ତ୍ରଣା ଭିତରେ ଆଗ୍ରାର ରୋଟି ବାଲି ଆମ୍ମା।

ବୟସ ଆସି ୮୦ ଛୁଇଁଲାଣି। ଦେହରେ ବଳ ମଧ୍ୟ ନାହିଁ। ହେଲେ ଭୋକବିକଳ ଏଇ ପେଟ ଖଣ୍ଡିକୁ ଖାଦ୍ୟ ଦେବାଲାଗି ସେ ଅନ୍ୟମାନଙ୍କ ପାଇଁ ରୁଟି, ତରକାରୀ ରାନ୍ଧେ। ତାକୁ ବିକି ଯାହା କିଛି ପାଏ ତାକୁ ନେଇ ହିଁ ତା’ ଜୀବନ ବଞ୍ଚେ। ହେଲେ କରୋନା ଏବେ ସବୁକିଛି ବିଗାଡ଼ିଦେଇଛି। ପେଟକୁ ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଇବା ବି ଏବେ କଷ୍ଟକର ହୋଇପଡ଼ିଲାଣି।

ଆଗ୍ରାର ରାସ୍ତା କଡ଼ରେ ରୁଟି, ତରକାରୀ ବିକୁଥିବା ‘ରୋଟି ବାଲି ଆମ୍ମା’ର ଏ ହେଉଛି ଦୁଃଖଭରା କାହାଣୀ। ତାଙ୍କର ପ୍ରକୃତ ନାଁ ଭଗବାନ ଦେବୀ ହୋଇଥିଲେ ମଧ୍ୟ ଲୋକଙ୍କ ମୁହଁରେ ‘ରୋଟି ବାଲି ଆମ୍ମା’ ନାଁ’ରେ ସେ ପରିଚିତ। ଆମ୍ମାଙ୍କ ସ୍ୱାମୀ ପରପାରିକୁ ଯିବାପରେ ପିଲାମାନେ ମଧ୍ୟ ପଚାରୁନାହାଁନ୍ତି। ତେଣୁ ଶେଷରେ ବାଧ୍ୟ ହୋଇ ପେଟ ପୋଷିବାକୁ ରୁଟି, ତରକାରୀ ବିକୁଛନ୍ତି ଆମ୍ମା।ଆଗ୍ରାର ସେଣ୍ଟ୍ ଜୋନସ କଲେଜ ରାସ୍ତାରେ ମାତ୍ର ୨୦ ଟଙ୍କାରେ ରୁଟି, ତରକାରୀ ବିକିଥାନ୍ତି ଆମ୍ମା। ସେଥିପାଇଁ ଅନେକ ରିକ୍ସା ବାଲା, ଶ୍ରମିକମାନେ ଆମ୍ମାଙ୍କ ପାଖରେ ଗହଳି ଲଗାଇଥିଲା। ହେଲେ କରୋନା ଓ ଲକଡାଉନ୍ ଯୋଗୁ ଏବେ ଆମ୍ମାଙ୍କ ବେପାର କମିବା ସହିତ ତାଙ୍କ ଜୀବନ ଜିଇବା କଷ୍ଟକର ହୋଇପଡ଼ିଛି।

ଅନ୍ୟପଟେ ରାସ୍ତା କଡ଼ରେ ଖାଇବା ବିକୁଥିବାରୁ ଅଧିକାଂଶ ସମୟରେ ସରକାରୀ ଲୋକମାନେ ତାଙ୍କ ଦୋକାନ ହଟେଇ ଦେଉଛନ୍ତି। ବୁଢ଼ୀ ବୟସରେ ସେ ଆଉ ଅବା କଣ କରିପାରିବେ। ତେଣୁ ତାଙ୍କୁ ଗୋଟିଏ ଦୋକାନ ଯୋଗାଇଦେଲେ ସେ ତାଙ୍କ ଗୁଜରାଣ ମେଣ୍ଟାଇବେ ବୋଲି ଅନୁରୋଧ କରିଛନ୍ତି।

Comment