ଓଡ଼ିଶାଲାଇଭ୍ ବ୍ୟୁରୋ

ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସବୁକିଛି ସମ୍ଭବ। ଏହି କଥାଟିକୁ ସତ ପ୍ରମାଣିତ କରିଛନ୍ତି ପୋଲିସ କନଷ୍ଟେବଳ ପୁନମ କୁମାରୀ। ନ୍ୟୁ ଆଗ୍ରା ଥାନାରେ କାର୍ଯ୍ୟରତ ପୁନମ ନିଜ ୧୦ ମାସର ଶିଶୁକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି। ଏପରିକି ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ସେ କେବେ ତାଙ୍କ କାମରେ ଅବହେଳା କରିନାହାନ୍ତି। ଶିଶୁର ଯତ୍ନ ନେବା ସହ ନିଜ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରି ନାରୀ ସଶକ୍ତିକରଣର ଅନ୍ୟତମ ଉଦାହରଣ ପାଲଟି ଯାଇଛନ୍ତି ପୁନମ।

ଅଲିଗଡ଼ ନିବାସୀ ପୁନମ ନ୍ୟୁ ଆଗ୍ରା ଥାନାରେ ଥିବା ମହିଳା ହେଲ୍ପ ଡେସ୍କରେ କାମ କରନ୍ତି। ଆଗନ୍ତୁକମାନଙ୍କ ନାଁ ପଞ୍ଜିକରଣ କରିବା ସହ ସେମାନଙ୍କ ଅଭିଯୋଗ ବିଷୟରେ ପଚାରି ବୁଝନ୍ତି। ଏହାପରେ ସେହି ଅଭିଯୋଗ ସମ୍ବନ୍ଧିତ ପୋଲିସ ଅଧିକାରୀଙ୍କ ପାଖକୁ ଆଗନ୍ତୁକଙ୍କୁ ପଠାଇଥାଆନ୍ତି। ତେବେ ସବୁ ସମୟରେ ପୁଅ ଆୟୁଷ ତାଙ୍କ ପାଖରେ ହିଁ ଥାଏ।ପୁଅ ଜନ୍ମ ହେବା ପରେ ପୁନମଙ୍କୁ ୬ ମାସ ମାତୃତ୍ଵ ଅବକାଶ ମିଳିଥିଲା। କିନ୍ତୁ ଚାଇଲ୍ଡ କେୟାର ଲିଭ୍ ମିଳିନାହିଁ। ଏଥିପାଇଁ ସେ ଆବେଦନ କରିଥିବା କହିଛନ୍ତି। ପରିବାର ଲୋକ ଥିଲେ ମଧ୍ୟ ଆୟୁଷ ସେମାନଙ୍କ ପାଖରେ ରହିପାରେ ନାହିଁ। ତେଣୁ ଡ୍ୟୁଟିକୁ ଆସିବା ବେଳେ ପୁନମ ପୁଅକୁ ସାଙ୍ଗରେ ନେଇଆସନ୍ତି। ଥାନା କାମ କରିବା ସହ ପୁଅ କଥା ମଧ୍ୟ ବୁଝନ୍ତି।

ପୁନମଙ୍କ କାମକୁ ଥାନା ଅଧିକାରୀ ଉମେଶ ଚନ୍ଦ୍ର ତ୍ରିପାଠୀ ମଧ୍ୟ ପ୍ରଶଂସା କରିଛନ୍ତି। ପୁନମ ନିଷ୍ଠାର ସହ ନିଜ ସାଂସାରିକ ଓ ବୃତ୍ତିଗତ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।ପୁନମ କହିଛନ୍ତି ଯେ, ଥାନାର ସବୁ କର୍ମଚାରୀ ଏବଂ ଆଗନ୍ତୁକମାନେ ଆୟୁଷକୁ ବହୁତ ଭଲ ପାଆନ୍ତି। ଲୋକଙ୍କଠାରୁ ମିଳୁଥିବା ଏହି ସ୍ନେହ ଓ ଭଲପାଇବା ତାଙ୍କୁ ଆଗକୁ ବଢ଼ିବା ପାଇଁ ଶକ୍ତି ଯୋଗାଏ ବୋଲି ସେ କହିଛନ୍ତି।

ପୁନମଙ୍କ ସ୍ଵାମୀ ଭାରତୀୟ ସେନାରେ କାର୍ଯ୍ୟରତ। ଏବେ ସେ ସୀମାରେ ନିୟୋଜିତ ଅଛନ୍ତି। ସ୍ଵାମୀ ସ୍ତ୍ରୀ ଉଭୟ ଦେଶ ସେବା କରୁଥିବାରୁ ବେଶ୍ ଖୁସି ଥିବା ପୁନମ ପ୍ରକାଶ କରିଛନ୍ତି।

Comment