ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ଜଣେ ଯୁବକ ସେନାରେ ଭର୍ତ୍ତି ହେବାର ସୁଯୋଗ ନମିଳିବାରୁ ଶେଷରେ ଆତ୍ମହତ୍ୟା କରିଛନ୍ତି।

ସେନାରେ ଚାକିରି ନମିଳିବାରୁ ଯୁବକଙ୍କ ଆତ୍ମହତ୍ୟା। ପୁଣି ଫେସ୍‌ବୁକ୍‌ ଲାଇଭ୍‌ ସୁଇସାଇଡ୍। ନ୍ୟୁ ଆଗ୍ରା ଶାନ୍ତି ନଗର ଅଞ୍ଚଳରେ ରହୁଥିବା ମୁନ୍ନା କୁମାର ନାମକ ଜଣେ ବିଏସ୍‌ସି ଗ୍ରାଜୁଏଟଙ୍କ ଆତ୍ମହତ୍ୟାକୁ ନେଇ ସବୁଠି ଚର୍ଚ୍ଚା।

ଭାରତୀୟ ସେନାରେ ଭର୍ତ୍ତି ହେବାପାଇଁ ୫ଥର ପରୀକ୍ଷା ଦେଇଥିଲେ ମଧ୍ୟ ସ୍ୱପ୍ନ ସାକାର ହେଲାନାହିଁ। ସ୍ୱପ୍ନ ଭାଙ୍ଗିବା ଯୋଗୁଁ ଶେଷରେ ଫେସବୁକରେ ଲାଇଭ ସୁଇସାଇଡ କେଲେ ୨୪ ବର୍ଷୀୟ ଯୁବକ ମୁନ୍ନା।

ବୁଧବାର ମୁନ୍ନା ଆତ୍ମହତ୍ୟା କରିବା ସମୟରେ ଫେସବୁକ୍‌ରେ ଏହାକୁ ପାଖାପାଖି ୨ହଜାର ୭ଶହ ୫୦ ଜଣ ଲାଇଭ୍‌ ଦେଖିଥିଲେ। କିନ୍ତୁ କେହି ତାଙ୍କ ପରିବାର ଏବଂ ପୋଲିସକୁ ଜଣାଇନଥିଲେ। ୧ ମିନିଟ୍‌ ୯ ସେକେଣ୍ଡର ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ଭାରତୀୟ ସେନାରେ ଯୋଗ ଦେବା ପାଇଁ ଆବଶ୍ୟକ ବୟସସୀମା ଗଡିଯିବାରୁ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଭଗତ୍‌ ସିଂଙ୍କ ଦ୍ୱାରା ପ୍ରେରଣା ପାଇ ସେ ସେନାରେ ଯୋଗଦେବାକୁ ପିଲାଦିନରୁ ଇଚ୍ଛା ରଖିଥିବା ତାଙ୍କ ବଡଭାଇ କହିଛନ୍ତି।

ଏପଟେ ମୁନ୍ନାଙ୍କ ମୃତଦେହ ନିକଟରୁ ମିଳିଥିବା ଏକ ୬ପୃଷ୍ଠା ବିଶିଷ୍ଟ ସୁଇସାଇଡ୍‌ ନୋଟ୍‌ରେ ତାଙ୍କ ମୃତ୍ୟୁପାଇଁ ସେ ନିଜେ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି।

ଆତ୍ମହତ୍ୟା କରିବା ପୂର୍ବରୁ ସେ ପରିବାର ସହିତ ରାତ୍ରି ଭୋଜନ ମଧ୍ୟ କରିଥିଲା। ପରିବାର ଲୋକଙ୍କ ସହିତ ଭଲ ଆଚରଣ କରୁଥିବା ମୁନ୍ନା ଏଭଳି ପଦକ୍ଷେପ ନେବ ବୋଲି କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

ପୋଲିସ ପକ୍ଷରୁ ମୃତ ଶରୀରକୁ ଜବତ କରାଯିବା ସହ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଅପରପକ୍ଷରେ ମୁନାଙ୍କ ଫେସବୁକ ଆକାଉଣ୍ଟକୁ ପୋଲିସ ତଦନ୍ତ କରୁଛି।

Comment