ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତାଜମହଲ ଆସୁଥିବା ପର୍ଯ୍ୟଟଙ୍କ ଉପରେ ରୋକ ଲଗାଇଛନ୍ତି। ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସ୍ଆଇ)ର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବିଭାଗର ପ୍ରସ୍ତାବ ଅନୁଯାୟୀ ପ୍ରତିଦିନ ଅତିବେଶୀରେ ୪୦,୦୦୦ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିପାରିବେ।

ଶୀତଦିନେ ଆଗ୍ରାର ତାଜମହଲ ବୁଲି ଯିବାର ପ୍ରକୃଷ୍ଟ ସମୟ ବୋଲି ଧରାଯାଏ। ତେଣୁ ଏହି ସମୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଏ ଯେ, ଏହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହୁଏ ନାହିଁ। ତେଣୁ  ପ୍ରତ୍ନତତ୍ତ୍ବ  ନିର୍ଦ୍ଦେଶାଳୟର ଏହି ପ୍ରସ୍ତାବ ସପକ୍ଷରେ ଅଛନ୍ତି ସରକାର।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ୍ ଶର୍ମା ସଂସ୍କୃତି ମନ୍ତ୍ରାଳୟର ବିଭିନ୍ନ ପଦାଧିକାରୀଙ୍କ ସହ ଏକ ବୈଠକ ଡକାଇ ଏ  ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି ।

ମହେଶ ଶର୍ମା କହିଛନ୍ତି, “ପ୍ରତ୍ନତତ୍ତ୍ବ ବିଭାଗ ତାଜମହଲର ସୁରକ୍ଷା ପାଇଁ ଯାହା ପଦକ୍ଷେପ ନେବେ ତାହା ମଞ୍ଜୁର ହେବ। ଏହାଛଡା ଅନ୍ୟ କୌଣସି ବିକଳ୍ପ ନାହିଁ। ସୂଚନାଯୋଗ୍ୟ ଯେ ଗତ ୨୮ ଡିସେମ୍ବରରେ ତାଜମହଲର ପ୍ରବେଶ ଦ୍ୱାରରେ ପ୍ରବଳ ଭିଡ଼ ଜମିବାରୁ ଦଳାଚକଟାରେ ଜଣେ ଛୋଟ ଝିଅ ସମେତ ପାଞ୍ଚ ଜଣ ଆହତ ହୋଇଥିଲେ।

ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ କୁହାଯାଇଛି କି, ପ୍ରତିଦିନ ତାଜମହଲ ଦେଖିବାକୁ ୩୫,୦୦୦ରୁ ୪୦,୦୦୦ ଦର୍ଶକ ଆସିଥାନ୍ତି। କିନ୍ତୁ ଛୁଟିଦିନ ମାନଙ୍କରେ ଏହି ସଂଖ୍ୟା ବଢି ୬୦,୦୦୦ରୁ  ୭୦,୦୦୦ ହୋଇଯାଏ। ଯାହା ନିୟନ୍ତ୍ରଣ କରିବା ଆଦୌ ସମ୍ଭବପର ନୁହେଁ। ଭିଡ଼ ନିୟନ୍ତ୍ରଣକୁ ଲକ୍ଷ୍ୟରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Comment