ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସୀମା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଏହି ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ହେଉଥିବା ସୂଚନା ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।

ଗଞ୍ଜେଇ ଚୋରାଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ମାଛକୁଣ୍ଡ ପୋଲିସ। ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ମାଛକୁଣ୍ଡ ଡି. ଡ୍ୟାମ ଦେଇ ଏକ ଗଞ୍ଜେଇ ବୋଝେଇ ପିକ୍‌ଅପ୍ ଭ୍ୟାନ ଯାଉଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏହାପରେ ନନ୍ଦପୁର ଏସ୍‌ଡିପିଓ, ମାଛକୁଣ୍ଡ ଥାନା ଅଧିକାରୀ, ଲମତାପୁଟ ଫାଣ୍ଡି ଅଧିକାରୀ ଏବଂ ଜୋଲାପୁଟ ଫାଣ୍ଡି ଅଧିକାରୀଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍ ମଟାମପୁଟ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ।ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଏକ ନମ୍ବର ବିହୀନ ମେକ୍ସ ପିକ୍‌ଅପ୍‌ ଆସୁଥିବା ଦେଖି ପୋଲିସ ତାହାକୁ ଅଟକାଇ ଥିଲା। ତେବେ ଘନ କୁହୁଡ଼ିର ସୁଯୋଗ ନେଇ ଗାଡ଼ି ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ପୋଲିସ ଜବତ କରିଥିଲା।ପୋଲିସ ସୂଚନା ଅନୁଯାୟୀ, ଗାଡ଼ିରେ ପ୍ରାୟ ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଥିଲା।  ଏହାର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।  ଜବତ ଗାଡ଼ିଟି କିଛି ମାସ ତଳେ କିଣା ହୋଇଥିବାରୁ ଏହାର ପଞ୍ଜୀକରଣ ହୋଇଛି କି ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ। ଗାଡ଼ିର ଚେସିସ୍ ଏବଂ ଇଞ୍ଜିନ ନମ୍ବର କୋରାପୁଟ ଆର୍‌ଟିଓଙ୍କୁ ପଠାଯାଇଥିବା ସୂଚନା ମିଳିଛି। ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Comment