ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଜଗତଜନନୀ ମା’ ଦୁର୍ଗା। ସେ ଅଭୟଦାୟିନୀ, ଦୁର୍ଗତିନାଶିନୀ। ଏମିତି ଅନେକ ନାଁରେ ତାଙ୍କୁ ଡାକନ୍ତି ଭକ୍ତ। କିନ୍ତୁ ପୁରାଣ କଥା ଅନୁସାରେ ମା’ ଦୁର୍ଗାଙ୍କ ପ୍ରକୃତ ନାମ ହେଉଛି ଦେବୀ ଭଗବତୀ। ତେବେ ଆସନ୍ତୁ ଜାଣିବା କେମିତି ମା’ ଭଗବତୀଙ୍କ ନାଁ ଦୁର୍ଗା ରହିଲା?

ପୌରାଣିକ କଥା ଅନୁଯାୟୀ ପ୍ରାଚୀନ କାଳରେ ଦୁର୍ଗମ ନାମରେ ଏକ ଅସୁର ରହୁଥିଲା। ସେ ଭଗବାନ ବ୍ରହ୍ମାଙ୍କୁ ତପସ୍ୟା ଦ୍ୱାରା ସନ୍ତୁଷ୍ଟ କରି ସମସ୍ତ ବେଦକୁ ନିଜ ଅଧୀନକୁ ନେଇ ଆସିଲା। ଫଳରେ ଦେବଗଣଙ୍କ ବଳ କମ୍‌ ହୋଇଗଲା। ଏହାପରେ ଦୁର୍ଗମ ଅସୁର ଦେବତାମାନଙ୍କୁ ପରାସ୍ତ କରି ସ୍ୱର୍ଗ ଉପରେ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇଥିଲା।

ଫଳରେ ଦେବତାମାନଙ୍କ ମଧ୍ୟରେ ହାହାକାର ଦେଖାଦେବାରେ ଲାଗିଲା। ଦେବଗଣ ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଭଗବତୀ ଦେବୀଙ୍କୁ ଆବାହନ କଲେ। ଶୁମ୍ଭ-ନିଶୁମ୍ଭ, ମଧୁ-କୈଟଭ ତଥା ଚଣ୍ଡ-ମୁଣ୍ଡଙ୍କ ଭଳି ଅସୁରଙ୍କୁ ସଂହାର କରିଥିବା ଭଗବତୀ ଦେବୀଙ୍କୁ ଦେବତାମାନେ ଆହ୍ୱାନ କଲେ। ଦେବତାମାନଙ୍କ ଆହ୍ୱାନ ଶୁଣି ଦେବୀ ଭଗବତୀ ପ୍ରକଟ ହୋଇ ଦେବତାମାନଙ୍କ ଭୟର କାରଣ ପଚାରିଲେ।

ଦୁର୍ଗମ ନାମକ ଅସୁର ଦେବଗଣଙ୍କ ଉପରେ କିଭଳି ଅତ୍ୟାଚାର କରୁଛି, ସ୍ୱର୍ଗ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି ସେନେଇ ଦେବତାମାନେ ଦେବୀ ଭଗବତୀଙ୍କୁ ଜଣାଇଥିଲେ। ଏଥିସହିତ ଦୁର୍ଗମ ଅସୁରକୁ ବଧ କରିବା ପାଇଁ ଦେବୀଙ୍କୁ ଗୁହାରୀ କରିଥିଲେ।

ଦେବତାମାନଙ୍କ କଥା ଶୁଣି ଦେବୀ ଦୁର୍ଗମକୁ ବଧ କରିବା ଲାଗି ରାଜି ହୋଇଗଲେ। ଏକଥା ଦୁର୍ଗମ ଅସୁର ଜାଣିବା ପରେ ସେ ଦେବତାଙ୍କ ଉପରେ ଆହୁରି ଅତ୍ୟାଚାର କରିବାରେ ଲାଗିଲା। ଏଥିରେ ଦେବୀ ଭଗବତୀ ଉଗ୍ର ରୂପ ଧାରଣ କରି ସମସ୍ତ ଦୈତ୍ୟ ସେନାକୁ ବିନାଶ କରିଥିଲେ। ଏହା ପରେ ଅସୁର ଦୁର୍ଗମ ସହ ଦେବୀ ଭଗବତୀଙ୍କ ଭୟଙ୍କର ଯୁଦ୍ଧ ହୋଇଥିଲା। ଶେଷରେ ଦେବୀ ଭଗବତୀ ଦୁର୍ଗମ ଅସୁରକୁ ବଧ କରିଥିଲେ।

ତେବେ ଦେବୀ ଭଗବତୀ ଦୁର୍ଗମ ନାମକ ଅସୁରର ବିନାଶ କରି ସୃଷ୍ଟିକୁ ବଞ୍ଚାଇଥିବାରୁ ସେହିଦିନଠୁ ତାଙ୍କୁ ‘ମା’ ଦୁର୍ଗା’ କୁହାଯାଉଛି। ଅନ୍ୟପକ୍ଷରେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିଲେ, ଦୁର୍ଗତୀ ବା କଷ୍ଟ ନାଶ କରିଥିବାରୁ ଦେବୀ ଭଗବତୀଙ୍କୁ ମା’ ଦୁର୍ଗା ବୋଲି ମଧ୍ୟ କୁହାଯାଏ।

Comment