ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ବିଜୟା ଦଶମୀରେ ରାବଣପୋଡ଼ି ହୋଇଥାଏ। ଅସତ୍ୟ ଉପରେ ସତ୍ୟର ଜୟକୁ ଦର୍ଶାଇବା ପାଇଁ ଏପରି କରାଯାଉଥିବା ବିଶ୍ଵାସ ରହିଛି। କିନ୍ତୁ ଏମିତି କିଛି ସ୍ଥାନ ରହିଛି ଯେଉଁଠି ରାବଣକୁ ପୂଜା କରାଯାଏ। ସେଥିମଧ୍ୟରୁ ମଧ୍ୟ ପ୍ରଦେଶର ମନ୍ଦସୌର ସହର ଅନ୍ୟତମ। ଏଠାରେ ରାବଣକୁ ଜ୍ଵାଇଁ ଭଳି ସମ୍ମାନ ଦିଆଯାଏ।

ପ୍ରାଚୀନ କାଳରେ ମନ୍ଦସୌରକୁ ଦଶପୁର ବୋଲି କୁହାଯାଉଥିଲା। ପୌରାଣିକ ମାନ୍ୟତା ଅନୁସାରେ ରାବଣର ପତ୍ନୀ ମନ୍ଦୋଦରୀଙ୍କ ବାପ ଘର ଥିଲା ମନ୍ଦସୌର। ଏହି କାରଣରୁ ଏଠାକାର ଲୋକେ ରାବଣକୁ ଜ୍ଵାଇଁ ବୋଲି ମାନନ୍ତି। ତେଣୁ ମନ୍ଦସୌରରେ ସବୁବେଳେ ରାବଣକୁ ପୂଜା କରାଯାଏ।

ମନ୍ଦସୌରର ନାମଦେବ ସମାଜର ଲୋକମାନେ ମନ୍ଦୋଦରୀଙ୍କୁ ନିଜ ବଂଶର ଝିଅ ବୋଲି ମାନନ୍ତି। ଏହି କାରଣରୁ ରାବଣକୁ ଏଠାରେ ଆଜି ବି ଜ୍ଵାଇଁ ଭଳି ସମ୍ମାନ ଦିଆଯାଏ।ମନ୍ଦସୌରରେ ରାବଣର ଏକ ବିଶାଳ ପ୍ରତିମା ରହିଛି। ଏଠାକୁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ୪୧ ଫୁଟ ଉଚ୍ଚର ଏହି ମୂର୍ତ୍ତି ପ୍ରାୟ ୪୦୦ ବର୍ଷ ପୁରୁଣା ବୋଲି ବିଶ୍ଵାସ କରାଯାଏ।

ରାବଣକୁ ଜ୍ଵାଇଁ ବୋଲି ମାନୁଥିବାରୁ ଏଠାକାର ମହିଳାମାନେ ରାବଣକୁ ପୂଜା କଲାବେଳେ ମୁଣ୍ଡରେ ଓଢ଼ଣା ଦେଇ ମୁହଁ ଲୁଚାଇ ପୂଜା କରିଥା’ନ୍ତି। ବିଶେଷକରି ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଏଠାରେ ରାବଣକୁ ପୂଜା କରାଯାଏ।ମନ୍ଦସୌରର ଲୋକମାନେ ଦଶହରା ଦିନ ସକାଳୁ ଉଠି ଢୋଲ, ବାଜା ବଜାଇ ରାବଣ ମୂର୍ତ୍ତିକୁ ପୂଜା କରିଥାନ୍ତି। ଏହା ପରେ ରାମ ଓ ରାବଣ ସେନା ବାହାରନ୍ତି। ସନ୍ଧ୍ୟାରେ ରାବଣ ପୋଡ଼ି ହୋଇଥାଏ। ତେବେ ରାବଣ ପୋଡ଼ି ପୂର୍ବରୁ ଏଠାକାର ଲୋକମାନେ ରାବଣକୁ କ୍ଷମାପ୍ରାର୍ଥନା କରିଥା’ନ୍ତି।

LEAVE A REPLY

Please enter your comment!
Please enter your name here