ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସମୟରେ ଓଡ଼ିଶାବାସୀଙ୍କ ପାଇଁ କେନ୍ଦ୍ର ସମ୍ବେଦନଶୀଳ ଥିବାବେଳେ ରାଜ୍ୟ ସରକାର ସମ୍ବେଦନହୀନତାର ପରିଚୟ ଦେଇଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହୋଇଥିବା ଭର୍ଚୁଆଲ ରାଲିରେ ବିଜେଡି ସରକାରଙ୍କୁ ସମ୍ବେଦନହୀନ କହି ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟର ବାଲେଶ୍ୱର ଓ ତିର୍ତ୍ତୋଲ ପରି ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ପ୍ରଚାର ଜୋରଦାର ଚାଲିଛି। ଶାସକ ବିଜେଡି ନିଜ ଦଳର କରୋନା ପରିଚାଳନା ସଫଳତାକୁ ଭୋଟରଙ୍କୁ ଦେଖାଉଥିବା ବେଳେ ବିଜେପି କରୋନା କାଳରେ ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ଜନତାଙ୍କ ଆଗରେ ପ୍ରସଙ୍ଗ ଭାବେ ଥୋଉଛି। ଏହି କ୍ରମରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଶୁକ୍ରବାର ଦଳ ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି ଯେ ମୋଦୀ ସରକାର କରୋନା ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଦେଇ ସମ୍ବେଦନଶୀଳ ସରକାରର ପରିଚୟ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଚରମ ସୀମାରେ ପହଞ୍ଚିଛି। ଏହା ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପରାକାଷ୍ଠା ନୁହେଁ କି ବୋଲି ସେ ପ୍ରଶ୍ନ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କୋଭିଡ୍‌-୧୯ ମୁକାବିଲା ଓ ପରିଚାଳନାରେ ଭାରତ ବିଶ୍ୱରେ ଏକ ଉଦାହରଣ ତିଆରି କରିପାରିଛି। ଅନ୍ୟପକ୍ଷରେ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଅବସ୍ଥା କ’ଣ ରହିଛି? ମୋଦି ସରକାର ଗରିବ ଲୋକଙ୍କ ପାଇଁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରିଛନ୍ତି। ମାତ୍ର ରାଜ୍ୟରେ ଏ ପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନା ଲାଗୁ ହେଲା ନାହିଁ। ରାଜ୍ୟରେ ଏହି ଯୋଜନା ଲାଗୁ କରାଗଲେ ଓଡ଼ିଶାର ଲକ୍ଷାଧିକ ଗରିବ ଲୋକେ ଲାଭ ପାଇପାରିବେ।

ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାରେ ଲୋକଙ୍କୁ ବ୍ୟକ୍ତି ପିଛା ୫ କେଜି ଚାଉଳ ଏବଂ ପରିବାର ପିଛା ୧କେଜି ଡାଲି ଦେବାର ବ୍ୟବସ୍ଥା କରାଗଲା। ମାତ୍ର ରାଜ୍ୟ ସରକାର ଏଠାରେ ସଠିକ୍ ଭାବରେ ବାଣ୍ଟିପାରିଲେ ନାହିଁ। ଅପରପକ୍ଷରେ ବାହାରେ କାମ କରୁଥିବା ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍‌ ଉପଲବ୍ଧ କରାଇଛନ୍ତି। ସେମାନଙ୍କୁ ରୋଜଗାର ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି। କିନ୍ତୁ ଦୀର୍ଘ ବର୍ଷ ଦାୟିତ୍ୱରେ ରହିବା ପରେ ବି ଏଠାକାର ସରକାର ପ୍ରବାସୀଙ୍କୁ ରୋଜଗାର ଦେଇପାରିଲେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ରାଜ୍ୟ ସରକାର ବିଜେପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ପ୍ରତିଶ୍ରୁତି ମଧ୍ୟ ଏଯାଏ ପୂରଣ କଲେ ନାହିଁ। ଅନ୍ୟପକ୍ଷରେ ମୋଦୀ ସରକାର ଓଡ଼ିଶାକୁ ମୁକ୍ତ ହସ୍ତରେ ସହାୟତା କରିବା ପାଇଁ ପ୍ରସ୍ତୁତ। ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ମୋଦୀ ସରକାରଙ୍କ ହାତମୁଠାକୁ ଅଧିକ ଟାଣ କରିବା ପାଇଁ ଧର୍ମେନ୍ଦ୍ର ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ତିର୍ତ୍ତୋଲବାସୀ ଭୋଟ୍‌ ଦେଇ ଓଡ଼ିଶା ରାଜନୀତିକୁ ନୂଆ ଦିଗଦର୍ଶନ ଦେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

Comment