ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା କଟକଣା ଭିତରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା। ଏଥର ଶ୍ରଦ୍ଧାଳୁମାନଙ୍କୁ ଦେବୀ ଦର୍ଶନ ବାରଣ ହୋଇଥିବାବେଳେ କେବଳ ପୂଜକଙ୍କୁ ନେଇ ପୂଜା ବିଧି ପାଳନ ହେଉଛି।ମା’ ମଝିଘରିଆଣୀଙ୍କ ନିକଟରେ ଗତ ୧୬ ତାରିଖ ବିଳମ୍ବିତ ରାତି ପ୍ରତିପଦାଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। ବର୍ଷକୁ ଥରେ ମା’ଙ୍କ ନିକଟରେ ପୂଜା ପାଉଥିବା ଜୟ ଦୁର୍ଗା ଖଣ୍ଡାକୁ ମନ୍ଦିର ପାର୍ଶ୍ଵବର୍ତ୍ତୀ ଝଞ୍ଜାବତୀ ନଦୀରେ ସ୍ନାନଧୌତ କରିବା ପରେ ଏହି ବିଶେଷ ପୂଜା ବିଧାନ ଅନୁଷ୍ଠିତ ହୋଇଥାଏ। ଏହି ଖଣ୍ଡାକୁ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅସ୍ଥାୟୀ ମନ୍ଦିର ଗୃହରେ ଆଣି ସ୍ଥାପନ କରାଯାଇଥାଏ। ସେଠାରେ ପ୍ରତ୍ୟେକ ଦିନ ପୂଜକମଣ୍ଡଳୀଙ୍କ ଦ୍ୱାରା ହୋମଯଜ୍ଞ ଓ ରାତିରେ ଚଣ୍ଡୀପାଠ ହୋଇଥାଏ।ମହାଷ୍ଟମୀ ଦିନ ବିଶେଷ ସନ୍ଧିପୂଜା ଆୟୋଜନ ହୋଇଥାଏ। ସେହିଦିନ ମା’ ମଝିଘରିଆଣୀଙ୍କ ଖଣ୍ଡାକୁ ଅନୁରୂପ ପୂଜାର୍ଚ୍ଚନା କରି ସ୍ଥାପନ କରାଯିବା ସହ ଗୁପ୍ତ ପୂଜା ଅନୁଷ୍ଠିତ ହୁଏ। ମହାନବମୀରେ ଯଜ୍ଞ ପୂର୍ଣ୍ଣାହୁତି ହୁଏ। ଏହି ସମୟରେ ମା’ଙ୍କ ନିକଟରେ ଅଖଣ୍ଡ ଦୀପ ଲାଗି ହୋଇଥାଏ ।

ପ୍ରତିବର୍ଷ ଆନ୍ଧ୍ର ପ୍ରଦେଶରୁ ଶତାଧିକ ଭକ୍ତ ରାୟଗଡ଼ାକୁ ମା’ଙ୍କ ଦର୍ଶନ ପାଈଁ ଆସିଥାନ୍ତି। ଚଳିତ ଥର ମହାମାରୀ ଭୂତାଣୁ ଭୟରେ ସରକାରଙ୍କ ତରଫରୁ ଲାଗିଥିବା କଟକଣା ଯୋଗୁଁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସି ନଥିବା ଦେଖୁବାକୁ ମିଳିଛି।

Comment