ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରି ପୋଲିସର ନିଦ ହଜାଇଥିବା ମହିଳା ଅପରାଧୀ ରାଧାରାଣୀ ଜେନା (୩୧) ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଦୀର୍ଘ ଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବୈକୁଣ୍ଠ ନାୟକ (୩୨)କୁ ନନ୍ଦିଘୋର ନିକଟରୁ ଗିରଫ କରାଯାଇଛି।। ବୈକୁଣ୍ଠର ଘର ଓଡଗାଁ ନିକଟସ୍ଥ ବାହାଡାପିଠା ଗ୍ରାମରେ ବୋଲି ଜଣାପଡ଼ିଛି।

ବୈକୁଣ୍ଠକୁ ଗୁରୁବାର କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ଘଟଣାର ଅନ୍ୟଜଣେ ଅଭିଯୁକ୍ତ ପହଲି ସାହୁ ଗିରଫ ହୋଇ ଏକ ବର୍ଷ ହେବ ବିଚାରଧୀନ କଏଦୀ ଭାବେ ଜେଲରେ ଅଛି।

ମୃତା ରାଧାରାଣୀ ନନ୍ଦିଘୋର ଗ୍ରାମର ଜଣେ ଲୁଗା ବ୍ୟବସାୟୀ ମହାଦେବ ସାହୁଙ୍କୁ ପ୍ରେମଜାଲରେ ଫସାଇ ହତ୍ୟାକରିବା ପରେ ତାଙ୍କୁ କୁସୁମୀ ନଦୀ ପଠାରେ ପୋତିଦେଇଥିଲା। ଏହି ଘଟଣାରେ ପୋଲିସ ରାଧାରାଣୀକୁ ଗିରଫ କରିଥିଲା। ଜେଲରେ ସଜାକାଟି ଫେରିବା ପରେ ରାଧାରାଣୀ ବହୁ ଯୁବତୀ ଓ ଅପରାଧରେ ସମ୍ପୃକ୍ତ ଯୁବକଙ୍କୁ ଏକାଠି କରି ନିଜର ଏକ ଅପରାଧିକ ସାମ୍ରାଜ୍ୟ ଗଠନ କରିଥିଲା। ଏହି ଗ୍ୟାଙ୍ଗର ଲିଡର ହୋଇ ସେ ସେକ୍ସ ରାକେଟ୍, ଚୋରି, ଡକାୟତିରେ ସମ୍ପୃକ୍ତ ଥିଲା।

ଦୁର୍ଦ୍ଦାନ୍ତ ଅପରାଧୀ ରାଧାରାଣୀକୁ ଏକ ବର୍ଷ ତଳେ ପହଲି ଓ ବୈକୁଣ୍ଠ କୌଶଳ କ୍ରମେ ହତ୍ୟା କରିଥିଲେ। ଜନ୍ମାଷ୍ଟମୀ ଦିନ ମଧ୍ୟରାତ୍ରିରେ ତା’ ଶବକୁ ଏକ ଅଟୋରେ ନେଇ ୬୨ କିଲୋମିଟର ଦୂରରେ ଥିବା କଣ୍ଟିଲୋ ନିକଟସ୍ଥ ସିଧାମୂଳା ବ୍ରିଜ ଉପରୁ ବନ୍ୟାଜଳକୁ ଫୋପାଡ଼ି ଦେଇଥିଲେ। ଏହାର ଏକ ସପ୍ତାହ ପରେ ଜଗତସିଂହପୁର ଜିଲ୍ଲାର ନାଉଗାଁ ନିକଟସ୍ଥ ଦେବୀ ନଦୀ ପଠାରୁ ରାଧାରାଣୀର ଖଣ୍ଡ ବିଖଣ୍ଡିତ ଶବକୁ ନାଉଗାଁ ଥାନା ପୋଲିସ ଉଦ୍ଧାର କରିଥିଲା।

Comment