ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ୨+୨ ବୈଠକ ସଫଳ ହୋଇଛି। ଦୁଇ ଦେଶ ମଧ୍ୟରେ ଐତିହାସିକ ବିଇସିଏ (Basic Exchange and Cooperation Agreement) ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏଥିସହ ପରମାଣୁ ସହଯୋଗକୁ ନେଇ ମଧ୍ୟ ଦୁଇ ଦେଶର ନେତାଙ୍କ ମଧ୍ୟରେ କଥାବାର୍ତ୍ତା ସଫଳ ହୋଇଥିବା ଜଣାପଡ଼ିଛି।

ଭାରତ ଓ ଆମେରିକା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହେଲା। କରୋନା ସଙ୍କଟ ପରବର୍ତ୍ତୀ ସ୍ଥିତି, ବର୍ତ୍ତମାନ ଦୁନିଆର ହାଲଚାଲ୍, ଦେଶର ପ୍ରତିରକ୍ଷା ଆଦି ବିଷୟକୁ ନେଇ ଆଲୋଚନା ହୋଇଛି। ଭାରତ ଓ ଆମେରିକା ମଧ୍ୟରେ ପରମାଣୁ ସହଯୋଗ ବଢାଇବାକୁ ନେଇ ମଧ୍ୟ ଆଲୋଚନା ଶେଷ ହୋଇଥିବା ରାଜନାଥ କହିଛନ୍ତି।ସେହିପରି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର କହିଛନ୍ତି ଯେ, ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତ୍ୱ ସାରା ବିଶ୍ୱ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଚୀନ୍ ଏବେ ସାରା ବିଶ୍ୱ ପାଇଁ ବିପଦ ସାଜିଛି। ତେଣୁ ବିଶ୍ୱର ବଡ଼ ବଡ଼ ଦେଶମାନେ ଏକାଠି ହେବା ଦରକାର। ଏଥିସହ ଆଗାମୀ ଦିନରେ ଭାରତ, ଆମେରିକା ଓ ଜାପାନ ମିଶି ସାମରିକ ଅଭିଯାନ କରିବେ ବୋଲି ମାର୍କ ଏସ୍ପର ସୂଚନା ଦେଇଛନ୍ତି।

ଅନ୍ୟପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିୟୋ କହିଛନ୍ତି ଯେ, ମୋଦୀ ଓ ଟ୍ରମ୍ପଙ୍କ ନେତୃତ୍ୱରେ ଭାରତ ଓ ଆମେରିକାର ସମ୍ପର୍କ ସୁଦୃଢ଼ ହୋଇଛି। ଏଥିସହ ମାଇକ୍ ପମ୍ପିୟୋ ନିଜ ଭାଷଣରେ ଚୀନକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଚୀନର କମ୍ୟୁନିଷ୍ଟ ପାର୍ଟି ଏବେ ବିଶ୍ୱବାସୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ମାଇକ୍ ପମ୍ପିୟୋ କହିଛନ୍ତି। ସେହିପରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଏହି ଆଲୋଚନା ସଫଳ ହୋଇଥିବା କହିଛନ୍ତି।

ଆଜି ଆମେରିକାର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଏହି ଆଲୋଚନା ପୂର୍ବରୁ ଦିଲ୍ଲୀର ୱାର୍ ମେମୋରିୟାଲ ଯାଇ ସହିଦ ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଜ୍ଞଳି ଦେଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ମଧ୍ୟ ଆମେରିକା ପ୍ରତିନିଧିଙ୍କୁ ଦେଖାକରି ଆଲୋଚନା କରିଥିଲେ। ଏହାଦ୍ୱାରା ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି କୁହାଯାଉଛି।

Comment