ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିୟୋ ଭାରତ ଗସ୍ତରେ ଆସିଛନ୍ତି। ଆଜି ଦୁଇ ଦେଶ ମଧ୍ୟରେ ଐତିହାସିକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଭାଷଣ ରଖି ମାଇକ୍ ପମ୍ପିୟୋ ଚୀନ୍ ଉପରେ ଟାର୍ଗେଟ କରିଛନ୍ତି।

ମାଇକ୍ ପମ୍ପିୟୋ କହିଛନ୍ତି ଯେ, ଭାରତର ଅଖଣ୍ଡତା ରକ୍ଷା କରିବା ପାଇଁ ଆମେରିକା ସବୁବେଳେ ଭାରତ ସହ ରହିଛି। ଚୀନ୍ ଲଗାତାର ଭାବେ ଭାରତ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି। ଯାହା ଫଳରେ ଭାରତର ୨୦ ଜଣ ସୈନ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ତେଣୁ ବିଶ୍ୱର ଏହି ସର୍ବବୃହତ ଗଣତନ୍ତ୍ର ସହ ଆମେରିକା ସବୁବେଳେ ରହିଛି ବୋଲି ସେ ତାଙ୍କର ଭାଷଣରେ କହିଛନ୍ତି।

ଏଥିସହ ମାଇକ୍ ପମ୍ପିୟୋ ଆଜି ଚୀନ୍ ସହ ହୋଇଥିବା ଉତ୍ତେଜନାରେ ପ୍ରାଣ ହରାଇଥିବା ଯବାନଙ୍କୁ ଶ୍ରଦ୍ଧାଜ୍ଞଳି ଦେଇଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିୟୋ ସବୁବେଳେ ବିଭିନ୍ନ ମାମଲାକୁ ନେଇ ଚୀନକୁ ଟାର୍ଗେଟ କରିଥାନ୍ତି। ଚୀନ୍ ନିଜର ବିସ୍ତାରବାଦ ନୀତି ଯୋଗୁ ଭାରତ ସହ ଜାଣିଶୁଣି ତିକ୍ତତା ସୃଷ୍ଟି କରୁଛି ବୋଲି ପମ୍ପିୟୋ କହିଛନ୍ତି।

ଆଜି ଭାରତ ଓ ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଶେଷ ହୋଇଛି। ଏହାଦ୍ୱାରା ଆଗାମୀ ଦିନରେ ଭାରତ ଓ ଆମେରିକାର ସମ୍ପର୍କ ସୁଦୃଢ଼ ହେବ ବୋଲି କୁହାଯାଉଛି। ପମ୍ପିୟୋ ଆଜି ଆଲୋଚନା ପୂର୍ବରୁ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଡୋଭାଲ୍ ଓ ପମ୍ପିୟୋଙ୍କ ମଧ୍ୟରେ ଦୁଇ ଦେଶର ସୁରକ୍ଷା ଓ ପ୍ରତିରକ୍ଷାକୁ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।

Comment