କମଳାକାନ୍ତ ପତି
ଦେଶର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ସମ୍ପ୍ରସାରଣ ପାଇଁ ହାତଖୋଲା ଖର୍ଚ୍ଚ କରୁନାହାନ୍ତି। ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ୟୟରେ କାର୍ପଣ୍ୟ ଯୋଗୁ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି।
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଉପରେ ମୋଦୀ କ୍ଷୁବ୍ଧ
କରୋନା କାରଣରୁ ନିମ୍ନଗାମୀ ଅର୍ଥନୀତିରେ ସୁଧାର ଆଣିବା ସକାଶେ ସରକାରୀ ବ୍ୟୟବୃଦ୍ଧି ଏକାନ୍ତ ଅପରିହାର୍ଯ୍ୟ। ଦେଶ ବିଦେଶର ଅର୍ଥନୀତିଜ୍ଞ, ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଏଭଳି ପରାମର୍ଶ ଦେଇ ଆସୁଛନ୍ତି। ସରକାରୀ ଖର୍ଚ୍ଚ ବୃଦ୍ଧି ପାଇଲେ ଲୋକଙ୍କ ହାତକୁ ଅର୍ଥ ଆସିବ। ଯାହା ବଜାର ବ୍ୟବସ୍ଥାକୁ ଚଳଚଞ୍ଚଳ କରିବ ଏବଂ ଅର୍ଥନୀତିରେ ସୁଧାର ଆସିବ। ଏହି ନିରାଟ ସତ୍ୟକୁ ନା ବୁଝୁଛନ୍ତି ସରକାର, ନା ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଅତିକ୍ରାନ୍ତ ହୋଇଗଲାଣି। ଏହି ସମୟ ମଧ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବା ସରକାରୀ କମ୍ପାନିଗୁଡ଼ିକ ସେମାନଙ୍କ ସମ୍ପ୍ରସାରଣ ଯୋଜନାରେ ପୁଞ୍ଜିଗତ ବ୍ୟୟକୁ ହ୍ରାସ କରିଦେଇଛନ୍ତି।
ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କଠାରୁ ଆରମ୍ଭ କରି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ୫ ମାସ ମଧ୍ୟରେ ସମ୍ପ୍ରସାରଣ ଯୋଜନାରେ ଅଧିକ ଖର୍ଚ୍ଚ ଯେପରି ହୋଇପାରିବ ତାହା ସୁନିଶ୍ଚିତ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କୁହାଯାଇଛି ଯେ, ଆସନ୍ତା ଆର୍ଥିକ ବର୍ଷରେ ବ୍ୟୟ ପରିମାଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପଡ଼ିବ!
କରୋନା ପାଇଁ କଞ୍ଜୁସି
ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ କରୋନାର ପ୍ରଭାବ ଦେଶର ସବୁ କ୍ଷେତ୍ରରେ ପଡ଼ିଛି। କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ଓ ସଟ୍ଡାଉନ୍ ଘୋଷଣା ଆର୍ଥିକ କାର୍ଯ୍ୟକଳାପକୁ ପଙ୍ଗୁ କରିଦେଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ପର୍ଯ୍ୟନ୍ତ ମଧ୍ୟବିତ୍ତ, ଧନିକ, ଖଟିଖିଆ ସମସ୍ତେ କରୋନା ଯୋଗୁ ହନ୍ତସନ୍ତ ହୋଇଛନ୍ତି। କଳକାରଖାନା ବନ୍ଦ ହୋଇ ଯାଇଥିଲା। କେତେକ ଶିଳ୍ପରେ ଅଦ୍ୟାବଧି ତାଲା ଝୁଲୁଛି। ସରକାର ନିଜେ ଖର୍ଚ୍ଚ ବଢ଼ାଇନାହାନ୍ତି।
ଏଭଳି ସ୍ଥିତିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଉପରେ ନାଲି ଆଖି ଦେଖାଇବା ଯଥାର୍ଥ ମନେ ହେଉନାହିଁ। ବଜାର ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ସମ୍ପ୍ରସାରଣ ଯୋଜନାରେ ପୁଞ୍ଜି ବ୍ୟୟକୁ ନେଇ କଞ୍ଜୁସି କରିବା କିଛି ବିଚିତ୍ର ନୁହେଁ । ଏତଦ୍ବ୍ୟତୀତ ସମ୍ପ୍ରସାରଣ ପାଇଁ ଯେଉଁ ଲୋକବଳର ଆବଶ୍ୟକତା ରହିଛି, ତାହା କରୋନା କାଳରେ ଉପଲବ୍ଧ ହୋଇପାରି ନ ଥିବାରୁ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ପୁଞ୍ଜିଗତ ଖର୍ଚ୍ଚ ହ୍ରାସ ପାଇଥିବା ଅନୁମାନ କରାଯାଉଛି।
ଅର୍ଥ ଅଛି, ଖର୍ଚ୍ଚ ହୋଇପାରୁନି
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକ ବିପୁଳ ଅର୍ଥ ମାଡ଼ି ବସିଛନ୍ତି। ଗତ ୬ ମାସରେ ସେମାନେ ପୁଞ୍ଜିଗତ ଖର୍ଚ୍ଚ ଉପରେ ଗୁରୁତ୍ୱ ଦେଇନାହାନ୍ତି। ସରକାରୀ କମ୍ପାନିଗୁଡ଼ିକର ସମ୍ପ୍ରସାରଣ ଯୋଜନାରେ ଖର୍ଚ୍ଚ ଦେଶର ଅର୍ଥନୀତିର ଗତି ବଢ଼ାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିକଟରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ସରକାରୀ କମ୍ପାନିଗୁଡ଼ିକର ଖର୍ଚ୍ଚ ଧିମେଇ ଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଏହି କମ୍ପାନିଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୦ରୁ ୩୫ ପ୍ରତିଶତ ଅର୍ଥ ସମ୍ପ୍ରସାରଣ ଯୋଜନାରେ ଖର୍ଚ୍ଚ କରିଛନ୍ତି। ଖର୍ଚ୍ଚ କରିବାରେ କାର୍ପଣ୍ୟ କାରଣରୁ ସରକାରୀ କମ୍ପାନିଗୁଡ଼ିକୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ।
ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ବି କମ୍ ଖର୍ଚ୍ଚ
ସୂଚନା ମୁତାବକ ଦେଶର ତୈଳ ଓ ଗ୍ୟାସ୍ କ୍ଷେତ୍ରରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ମଧ୍ୟ ଆଲୋଚ୍ୟ ୬ ମାସ ମଧ୍ୟରେ ସେମାନଙ୍କ ଖର୍ଚ୍ଚ ଚାପି ଦେଇଛନ୍ତି। ଅବଶ୍ୟ ଏହା ସତ୍ୟ ଯେ, କରୋନା ଯୋଗୁ ତୈଳ କ୍ଷେତ୍ର ଉପରେ ପ୍ରଭାବ କିଛି କମ୍ ନଥିଲା। ଦେଶର ତୈଳ କମ୍ପାନିଗୁଡ଼ିକ ବିଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଥିଲେ ମଧ୍ୟ ଦେଶରେ ତୈଳ କଞ୍ଜପସନ୍ (ବ୍ୟବହାର) ହ୍ରାସ ପାଇଥିବାରୁ ସେମାନେ ଆମଦାନୀକୃତ ତୈଳ ରଖିବାକୁ ସ୍ଥାନ ପାଇପାରୁ ନ ଥିଲେ।
ତେଣୁ ଅନେକ ବ୍ୟାରେଲ୍ ଅଶୋଧିତ ତୈଳ ସମୁଦ୍ରରେ ଜାହାଜ ମଧ୍ୟରେ ରଖାଯାଉଥିଲା। ତୈଳ ବିକ୍ରି ହ୍ରାସ ପାଇଥିବାରୁ କମ୍ପାନିଗୁଡ଼ିକ ଖର୍ଚ୍ଚ ହ୍ରାସ କରିବାକୁ ବାଧ୍ୟ ହୋଇଥିଲେ। ଏବେ ସରକାରଙ୍କ ନିର୍ଦ୍ଦେଶ, ସେମାନେ ୧ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ଲକ୍ଷ୍ୟ ୨ ଲକ୍ଷ କୋଟି ଟଙ୍କାକୁ ବଢ଼ାନ୍ତୁ। ଆଗାମୀ ଆର୍ଥିକ ବର୍ଷରେ ଏହି ଖର୍ଚ୍ଚରେ ୩ ଲକ୍ଷ କୋଟି ଟଙ୍କାକୁ ବଢ଼ାନ୍ତୁ।
ଖର୍ଚ୍ଚ ବଢ଼ାଇବାକୁ ଅର୍ଥମନ୍ତ୍ରୀଙ୍କ ନିର୍ଦ୍ଦେଶ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ବଡ଼ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପୁଞ୍ଜିଗତ ଖର୍ଚ୍ଚ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ସରକାରୀ କମ୍ପାନିଗୁନିକ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୁଞ୍ଜିଗତ ଖର୍ଚ୍ଚ ୨୦୨୦ ଡିସେମ୍ବର ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୭୫ ପ୍ରତିଶତ ପୂର୍ଣ୍ଣ କରିବା ଆବଶ୍ୟକ। ଏହାଦ୍ୱାରା କରୋନା ଯୋଗୁ ଭୁଶୁଡ଼ି ପଡ଼ିଥିବା ଅର୍ଥ ବ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବ। ଅର୍ଥମନ୍ତ୍ରୀ ଇତିମଧ୍ୟରେ କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ଏବଂ ଏହି ମନ୍ତ୍ରଣାଳୟ ସହ ଯୋଡ଼ି ହୋଇ ରହିଥିବା ୧୪ଟି ପିଏସ୍ୟୁର ଚେୟାରମ୍ୟାନ୍ ତଥା ଏମ୍ଡିଙ୍କ ସହ ଅନଲାଇନ୍ ବୈଠକ କରିଥିଲେ। ଏହି ବୈଠକ କାଳରେ ନିର୍ମଳା ସେମାନଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ଉଦ୍ୟମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା କାଳରେ ଯେତେଥର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି, ସବୁଥର କହିଛନ୍ତି ଯେ, ‘ସଙ୍କଟ’ ଆମକୁ ‘ସଂକଳ୍ପ’ ନେବାର ବାଟ ଦେଖାଇଛି। ତେଣୁ ସେ ଆତ୍ମନିର୍ଭର ହେବାର ଆହ୍ୱାନ ଦେଇଛନ୍ତି। ସମାନ ଢଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି ଯେ, ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ଉଦ୍ୟମ ଲୋଡ଼ା। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିପୁଳ ବ୍ୟୟବରାଦ କରିଛନ୍ତି। ଏହି ବ୍ୟୟବରାଦ କରୋନା ଆଳରେ ପଡ଼ିରହିବା ଉଚିତ୍ ନୁହେଁ।
ସୂଚନା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷରେ ସାତଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସକାଶେ ୧,୨୪,୮୨୫ କୋଟି ପୁଞ୍ଜିବ୍ୟୟର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ସେମାନେ ଖର୍ଚ୍ଚ କରିଛନ୍ତି ମାତ୍ର ୨୪,୯୩୩ କୋଟି। ଅର୍ଥାତ୍ ବ୍ୟୟବରାଦର ମାତ୍ର ୨୦ ପ୍ରତିଶତ ଅର୍ଥ ଯେତେବେଳେ କି ସେହି ସମାନ ସମୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ପୁଞ୍ଜି ଖର୍ଚ୍ଚର ପରିମାଣ ଥିଲା ୮୮.୩୭ ପ୍ରତିଶତ। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କରୋନା ଭଳି ଅସାଧାରଣ ପରିସ୍ଥିତିରେ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ସକାଶେ ଅସାଧାରଣ ଉଦ୍ୟମ କରିନଥିବା ଏହି ପରିସଂଖ୍ୟାନ ସ୍ପଷ୍ଟ କରୁଛି।
ବିଚଳିତ କରୁଛି ଜିଡିପି ସଙ୍କୋଚନ
ଚଳିତ ଆର୍ଥିକ ବର୍ଷରେ ଦେଶରେ ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୯.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ଯଥେଷ୍ଟ ପୂର୍ବରୁ ଆଭାସ ଦେଇଥିଲା ରିଜର୍ଭ ବ୍ୟାଙ୍କ। ଏହା ପୂର୍ବରୁ ଗୋଲଡମ୍ୟାନ୍ ସଚ୍, ଇଣ୍ଡିଆ ରେଟିଙ୍ଗସ୍, ମୁଡିସ୍, ପିଚ୍, ଆଇଏମଫ୍ ଭଳି ସଂସ୍ଥା ଭାରତର ଜିଡିପି ସଙ୍କୋଚନ ୧୦ ଶତାଂଶରୁ ଊର୍ଦ୍ଧ୍ୱକୁ ଉଠିପାରେ ବୋଲି ପୂର୍ବାନୁମାନ କରିଥିଲେ। ତେଣୁ କେନ୍ଦ୍ର ସରକାର ଅକ୍ଟୋବର ଆରମ୍ଭରୁ କରୋନା କବଳିତ ଅର୍ଥନୀତିରେ କ୍ଷତି ହିସାବ ଆରମ୍ଭ କରିଛନ୍ତି। ଚଳିତ ମାସ ମଧ୍ୟଭାଗରେ ୫୫ ଜଣ ଅର୍ଥନୀତିଜ୍ଞଙ୍କୁ ନେଇ ଦେଶର ଅର୍ଥନୀତି ସମୀକ୍ଷା କରିଥିଲା ରଏଟର୍ସ।
ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ, ଦେଶର ଜିଡିପି ସଙ୍କୋଚନ ୧୦ ପ୍ରତିଶତକୁ ଟପିଯାଇପାରେ। ସୁତରାଂ କେନ୍ଦ୍ର ସରକାରଙ୍କ ମନରେ ଛନକା ପଶିଛି। ତେଣୁ ସରକାର ଏବେ ସରକାରୀ ଖର୍ଚ୍ଚ ବୃଦ୍ଧି ଉପରେ ଗୁରତ୍ୱ ଦେବା ଆରମ୍ଭ କଲେଣି। ସମ୍ଭବତଃ ସେଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଉପରେ ଚାପ ପ୍ରୟୋଗ କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଏସ୍ୟୁଗୁଡ଼ିକୁ ପୁଞ୍ଜିଖର୍ଚ୍ଚ ବୃଦ୍ଧି ପାଇଁ ଚେତାବନୀ ଦେବା ସତ୍ତ୍ୱେ ପିଏମ୍ଓ ପକ୍ଷରୁ ଏନେଇ ହସ୍ତକ୍ଷେପ କରିବାକୁ ପଡ଼ିଲା ବୋଲି ଅର୍ଥନୀତିଜ୍ଞମାନେ ବିବେଚନା କରୁଛନ୍ତି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)