ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଲାଞ୍ଚ ନେଇଥିବା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନୈନିତାଲ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ ଆଜି ରୋକ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ନାଁରେ ଭ୍ରଷ୍ଟାଚାର ଅଭିଯୋଗକୁ ନେଇ ଚର୍ଚ୍ଚା ଶୀର୍ଷରେ। ଉତ୍ତରାଖଣ୍ଡ ହାଇକୋର୍ଟ ରାୱତଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାୱତ। ଏହାର ଶୁଣାଣି କରି ଆଜି ସିବିଆଇ ତଦନ୍ତ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ବିରୋଧୀ ଦଳ ଓ ସେମାନଙ୍କର ନେତା କ୍ଷମତାସୀନ ଥିବା ବିଜେପି ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ସହ ଉତ୍ତରାଖଣ୍ଡରେ ନୂଆ କରି ପ୍ରବେଶ କରିଥିବା ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟମନ୍ତ୍ରୀ ରାୱତଙ୍କ ଇସ୍ତଫା ଦାବି କରୁଛି। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏବେ ତ୍ରିବେନ୍ଦ୍ରଙ୍କ ଇସ୍ତଫା ମାଗୁଛନ୍ତି। ଏହି ଘଟଣା ଏବେ ଉତ୍ତରାଖଣ୍ଡ ରାଜନୀତିରେ ହଲଚଲ ସୃଷ୍ଟି କରିଛି।

କେଉଁଠୁ ଆରମ୍ଭ ହେଲା ଏହି ବିବାଦ

ଚଳିତ ବର୍ଷ ଜୁନ୍ ୨୪ରେ ଡେରାଡୁନ୍‌ର ଜଣେ ସାମ୍ବାଦିକ ଉମେଶ କୁମାର ଶର୍ମା ସୋସିଆଲ ମିଡିଆରେ ୩୦ ମିନିଟ୍‌ର ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ନାଁରେ ଗୋଟିଏ ପରେ ଗୋଟିଏ ସାଂଘାତିକ ଅଭିଯୋଗ ରହିଥିଲା। ସେଥିରେ କୁହାଯାଇଥିଲା ଯେ ତ୍ରିବେନ୍ଦ୍ର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ୨୦୧୬ରେ ଝାଡ଼ଖଣ୍ଡ ବିଜେପିର ପ୍ରଭାରୀ ଥିଲେ। ସେହି ସମୟରେ ସେ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବାର ଅଭିଯୋଗ ତାଙ୍କ ନାମରେ ରହିଛି। ବିମୁଦ୍ରୀକରଣ ପରେ ନିର୍ବାଚନ ପାଇଁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟ ଜରିଆରେ ବେଆଇନ ଭାବେ ଟଙ୍କା ଆଦାୟ କରିବା, ଖଣି ଦୁର୍ନୀତିରେ ମଧ୍ୟ ତାଙ୍କର ସମ୍ପୃକ୍ତି, ମଦ କାରବାରରେ ନିଜ ସହଯୋଗୀଙ୍କୁ ଲାଭ କରାଇବା ଭଳି ଭ୍ରଷ୍ଟାଚାରର ଅଭିଯୋଗ ସମ୍ପର୍କରେ ସେହି ଭିଡିଓରେ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ଏସବୁ ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଓ ଚକ୍ରାନ୍ତ ବୋଲି କହିଥିଲେ।

ସାମ୍ବାଦିକଙ୍କ ନାମରେ ହେଲା ଏତଲା, ଗିରଫଦାରୀ

ଭିଡିଓ ସାମ୍ନାକୁ ଆସିବା ପରେ ଉକ୍ତ ସାମ୍ବାଦିକଙ୍କ ନାମରେ ଏତଲା କରାଯିବା ସହ ମୁଖ୍ୟମନ୍ତ୍ରୀ ରାୱତଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଡେରାଡୁନ୍‌ ପୋଲିସ ତୁରନ୍ତ ପଦକ୍ଷେପ ନେଇ ଉକ୍ତ ସାମ୍ବାଦିକଙ୍କୁ ଗିରଫ କରିଥିଲା। ସାମ୍ବାଦିକଙ୍କ ନାମରେ ଆଇପିସିର ଧାରା ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦-ବି ଅନୁଯାୟୀ ମାମଲା ରୁଜୁ କରିଥିଲା ପୋଲିସ।

ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧରେ ସାମ୍ବାଦିକ ଜଣକ ନୈନିତାଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ। ତାଙ୍କର ଯାଚିକା ଗ୍ରହଣ କରିବା ସହ ହାଇକୋର୍ଟ କହିଲେ ଯେ ମାମଲା ଗମ୍ଭୀର। ଏହାସହ ହାଇକୋର୍ଟ ଆବେଦନକାରୀ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ରୋକ ଲଗାଇଦେଲେ। କିନ୍ତୁ ଅକ୍ଟୋବର ୨୭ରେ ସବୁ ପକ୍ଷକୁ ଶୁଣିବା ପରେ ଉତ୍ତରାଖଣ୍ଡ ହାଇକୋର୍ଟ ସାମ୍ବାଦିକଙ୍କ ନାମରେ ହୋଇଥିବା ମାମଲାକୁ ରଦ୍ଦ କରିବା ସହ ମୁଖ୍ୟମନ୍ତ୍ରୀ ରାୱତଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଦେଲେ। ହାଇକୋର୍ଟର ଜଷ୍ଟିସ ରବୀନ୍ଦ୍ର ମୈଥାଣୀଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ। ଆବେଦନକାରୀ ସାମ୍ବାଦିକଙ୍କ ପକ୍ଷରୁ ମାମଲା ଲଢୁଥିଲେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା କପିଲ ସିବଲ।

ସୁପ୍ରିମକୋର୍ଟରୁ ଆଶ୍ୱସ୍ତ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

୨୮ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ରାୱତ ହାଇକୋର୍ଟଙ୍କ ଏହି ରାୟ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ। ୨୯ ଅକ୍ଟୋବରରେ ଏହାର ଶୁଣାଣି କରି ମୁଖ୍ୟମନ୍ତ୍ରୀ ରାୱତଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟରେ ଜଷ୍ଟିସ ଅଶୋକ ଭୂଷଣ ମାମଲାର ଶୁଣାଣି କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ନ ଶୁଣି ହାଇକୋର୍ଟ ଏଭଳି ରାୟ ଦେବା ଆଶ୍ଚର୍ଯ୍ୟଜନକ। ଆବେଦନକାରୀ ସାମ୍ବାଦିକ ସିବିଆଇ ତଦନ୍ତ ପାଇଁ ଦାବି କରି ନ ଥିଲେ। ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଉପରେ ରୋକ ଲଗାଇବା ସହ ନୈନିତାଲ ହାଇକୋର୍ଟଙ୍କୁ ନୋଟିସ୍‌ କରି ୪ ସପ୍ତାହ ଭିତରେ କୈଫିୟତ ତଲବ କରିଛନ୍ତି। ଏହାପରେ ସବୁ ପକ୍ଷକୁ ଶୁଣିବା ପରେ କି ପ୍ରକାର ନିଷ୍ପତ୍ତି ଆସିବ, ତାହାକୁ ନେଇ ଉତ୍କଣ୍ଠା ବଢ଼ିଛି।

Comment