ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା କାଳରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ରାୟଗଡ଼ା ଜିଲ୍ଲାର ସ୍ୱାସ୍ଥ୍ୟସେବା। ସମଗ୍ର ଜିଲ୍ଲା ପାଇଁ ୨୪୯ଟି ଡାକ୍ତର ପଦବୀ ରହିଥିଲେ ମଧ୍ୟ ମାତ୍ର ୧୦୦ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ଜିଲ୍ଲାରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। କରୋନା ମହାମାରୀ ସମୟରେ ଏହି ସମସ୍ୟା ଆହୁରି ବଢ଼ିଯାଇଛି। ଲୋକଙ୍କୁ ପ୍ରାଥମିକ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାକୁ ଆରମ୍ଭ ହୋଇଥିବା ଟେଲି ମେଡିସିନ୍ ସେବା ଅନେକ ଅଞ୍ଚଳରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି।

ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ଦୀର୍ଘ ଦିନ ହେଲା ଏଭଳି ସମସ୍ୟା ଲାଗିରହିଛି। ଅନ୍ୟପଟେ ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଟେଲି ମେଡିସିନ ସେବା ଆରମ୍ଭ ହୋଇଛି। ହେଲେ ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ ଭାବେ ପରିଚିତ ରାୟଗଡ଼ା ଜିଲ୍ଲାର ଅନେକ ଗ୍ରାମାଞ୍ଚଳରେ ଏବେ ବି ଟେଲିଫୋନ ନେଟୱର୍କ ସୁବିଧା ପହଞ୍ଚିପାରିନାହିଁ। ଏଭଳି ସ୍ଥିତିରେ ଜିଲ୍ଲାରେ ଟେଲି ମେଡିସିନ୍ ସେବା କିଭଳି ଜାରି ରହିଛି ତାହା ସହଜେ ଅନୁମେୟ।

ରାୟଗଡ଼ା ଜିଲ୍ଲା ୧୧ଟି ବ୍ଲକ, ୨ଟି ପୌରପାଳିକା ଓ ଗୋଟିଏ ଏନଏସିକୁ ନେଇ ଗଠିତ। ଏଠାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଉପଖଣ୍ଡ ଚିକତ୍ସାଳୟ ସମେତ ମୋଟ ୧୧ଟି ପିଏଚସି ଏବଂ ୩୦ରୁ ଅଧିକ ସିଏଚସି ରହିଛି। ଜିଲ୍ଲାରେ ୧୦ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ବସବାସ କରୁଛନ୍ତି। ତେବେ ଏମାନଙ୍କ ଚିକିତ୍ସା ପାଇଁ ନିଯୁକ୍ତ ଅଛନ୍ତି ମାତ୍ର ୧୦୦ ଜଣ ଡାକ୍ତର।

ଜିଲ୍ଲାବାସୀଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ ସକାଶେ ସରକାରୀ ସ୍ତରରେ ୨୪୯ ଜଣ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି। ହେଲେ ବିଡ଼ମ୍ବନାର ବିଷୟ ଯେ, ମୋଟ ପଦବୀର ମାତ୍ର ୪୦ ପ୍ରତିଶତ ଡାକ୍ତର ନିଯୁକ୍ତ ଅଛନ୍ତି। ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଗତ ୨ବର୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲାରେ ୫୦ରୁ ଊର୍ଦ୍ଧ୍ଵ ଡାକ୍ତରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। କିନ୍ତୁ ଅଧାରୁ ଅଧିକ ଡାକ୍ତର ଗ୍ରାମାଞ୍ଚଳରେ ଗମନାଗମନ, ବିଦ୍ୟୁତ ସେବା, ରହଣି ଭଳି ମୌଳିକ ସୁବିଧା ନଥିବା ଅଭିଯୋଗ କରିବା ସହିତ କେତେକ ଉଚ୍ଚଶିକ୍ଷା ନାଁରେ କାର୍ଯ୍ୟରେ ଯୋଗ ଦେଉନଥିବା ଜଣାପଡ଼ିଛି।

ସହରାଞ୍ଚଳରୁ ଡାକ୍ତରମାନେ ଏହି ଦୁର୍ଗମ ଜିଲ୍ଲାକୁ ଆସିବା ପାଇଁ ଇଚ୍ଛା କରୁନଥିବା ବେଳେ ଅଳ୍ପ କିଛି ଡାକ୍ତରଙ୍କ ହାତରେ ଚାଲିଛି ଜିଲ୍ଲାର ରୋଗୀସେବା। ସରକାର ରୋଗୀ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଡାକ୍ତରଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନକରିବା  ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷେ ସରକାର ଏ ଦିଗରେ କୌଣସି ସଠିକ ପଦକ୍ଷେପ ଗ୍ରହଣ କରୁନଥିବାରୁ ଉଚ୍ଚଶିକ୍ଷା ଓ ଅନ୍ୟାନ୍ୟ ବାହାନା ଦେଇ ନିଜ କର୍ତ୍ତବ୍ୟରୁ ମୁହଁ ଫେରାଇ ନେଉଛନ୍ତି ଅନେକ ଯୁବ ଡାକ୍ତର।

ଏନେଇ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ କହିଛନ୍ତି ଯେ,  ରାଜ୍ୟ ସରକାରଙ୍କୁ ଏ ବିଷୟରେ ପତ୍ର ଲେଖାଯାଇଛି। ସୀମିତ ସମ୍ବଳ ମଧ୍ୟରେ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଶତ ପ୍ରତିଶତ ଡାକ୍ତର ନିଯୁକ୍ତ ହେବେ ବୋଲି ଡାକ୍ତର ନାୟକ ସୂଚନା ଦେଇଛନ୍ତି।

Comment