ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରୁ ପ୍ରଥମ ଦଳ ଭାବେ ସିଏସକେ ପ୍ଲେ-ଅଫ୍ ଦୌଡ଼ରୁ ବିଦା ହୋଇସାରିଛି। ହେଲେ ଗତକାଲି ଦଳ ଲିଗ୍ ମ୍ୟାଚରେ କେକେଆରକୁ ଚକମା ଦେବା ସହିତ ଦମଦାର ବିଜୟ ହାସଲ କରିଛି। ଏହି ମ୍ୟାଚରେ ଚେନ୍ନାଇର ଯୁବ ଖେଳାଳି ଋତୁରାଜ ଗାଏକ୍ୱାଡ ୭୨ ରନର ଦମଦାର ଇଂନିସ ଖେଳି ଚେନ୍ନାଇକୁ ଜିତାଇଥିଲେ।

ଋତୁରାଜଙ୍କ ଏହି ଇଂନିସ ପରେ ତାଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି କ୍ୟାପଟେନ୍ କୁଲ୍ ମାହି। ଋତୁରାଜଙ୍କୁ ଜଣେ ପ୍ରତିଭାବାନ ଯୁବ ଖେଳାଳି କହିବା ସହିତ ତାଙ୍କ ବ୍ୟାଟିଂକୁ ପ୍ରଂଶସା କରିଛନ୍ତି ଧୋନୀ।ଗତକାଲି ମ୍ୟାଚ୍ ଶେଷ ହେବା ପରେ ଧୋନୀ କହିଥିଲେ, “ଋତୁରାଜ ନେଟସରେ ବ୍ୟାଟିଂ କରୁଥିବା ଆମେ ଦେଖିଥିଲୁ। ଏହାପରେ ସେ କରୋନା ସଂକ୍ରମିତ ହୋଇ ୨୦ ଦିନ ଦଳଠାରୁ ଦୂରରେ ରହିଲେ। ଯାହା ଦୁର୍ଭାଗ୍ୟପୂର୍ଣ୍ଣ, ହେଲେ ସେ ନିଜର ବ୍ୟାଟିଂ ବଳରେ ନିଜର ପ୍ରତିଭା ସମସ୍ତଙ୍କୁ ଦେଖାଇଛନ୍ତି।”

ଅନ୍ୟପଟେ ସିଏସକେର କୋଚ ଷ୍ଟିଫେନ୍ ଫ୍ଲେମିଂ ମଧ୍ୟ ଋତୁରାଜଙ୍କ ବ୍ୟାଟିଂ ଟାଇମିଂକୁ ପ୍ରଂଶସା କରିଛନ୍ତି। ସେ ଗତକାଲି ଦମଦାର ଇଂନିସ ଖେଳିଥିଲେ, ଯାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା ବୋଲି ଫ୍ଲେମିଂ କହିଛନ୍ତି।

ଗତକାଲି ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୧୭୨ ରନ୍ କରିଥିଲା। ଚେନ୍ନାଇ ଦଳକୁ ଏହି ମ୍ୟାଚରେ ବିଜୟୀ ହେବାକୁ ୨୦ ଓଭରରେ ୧୭୩ ରନ୍ ଆବଶ୍ୟକ ହେଉଥିଲା। ଚେନ୍ନାଇ ପାଇଁ ଓପନିଂ କରି ଋତୁରାଜ ୫୩ ବଲରୁ ୭୨ ରନ୍ ସଂଗ୍ରହ କରିଥିଲେ। ଶେଷରେ ଜାଡେଜାଙ୍କ ଧୁଆଁଧାର ଇଂନିସ ସହ ଦଳ ବିଜୟୀ ହୋଇଥିଲା। ଋତୁରାଜ ଏହି ମ୍ୟାଚରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ।

Comment